ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକକୁ ମିଳିମିଶି ହାଣିଦେଲେ!

ବୌଦ୍ଧ: ଵୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଦପଲା ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜନୈକ ଯୁବକକୁ ୭ଜଣ ବ୍ୟକ୍ତି ମିଶି ବିଭିନ୍ନ ମାରଣାସ୍ତ୍ର ସାହାଯ୍ୟରେ ସଙ୍ଗବଦ୍ଧ ଆକ୍ରମଣ କରି ହତ୍ୟା କରିଛନ୍ତି। ପୁଲିସର ସୂଚନା ଅନୁସାରେ, ଦପଲା ଗ୍ରାମସ୍ଥ ପୋଖରୀ ନିକଟ ନିଜ ଜମିରେ ସମାରୁ ସାହୁଙ୍କ ପୁଅ ଦିଗାମ୍ବର ସାହୁ(୩୫) ହଳ କରୁଥିବା ସମୟରେ ପୂର୍ବ ଯୋଜନା ମୁତାବକ ସେହି ଗ୍ରାମର ବାବୁଲା ଦେହୁରୀ, ସାନ ଦେହୁରୀ ଓ ଅନ୍ୟ ୫ ଜଣ ମିଶି ବିଭିନ୍ନ ମାରଣାସ୍ତ୍ରରେ ଦିଗାମ୍ବରକୁ ଆକ୍ରମଣ କରି ରକ୍ତାକ୍ତ କରିଦେଇ ଫେରାର ହୋଇ ଗଲାପରେ ପରିବାର ଲୋକ ଘଟଣା ସ୍ଥଳକୁ ଯାଇ ୧୦୮ ଆମ୍ବୁଲାନ୍ସ ସହାୟତାରେ ମୁମୂର୍ଷୁ ଦିଗାମ୍ବରକୁ ପ୍ରଥମେ ମନମୁଣ୍ଡା ଓ ପରେ ସୋନପୁର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ବୁର୍ଲାକୁ ନେବାକୁ ଡାକ୍ତର ପରାମର୍ଶ ଦେଉଥିବାବେଳେ ସେଠାରେ ଦିଗାମ୍ବରଙ୍କ ମୃତ୍ୟୁ ହୋଇଥିଲା।

ଏ ସମ୍ପର୍କରେ ମୃତ ଦିଗାମ୍ବରଙ୍କ ମାଆ ଉକିଆ ମନମୁଣ୍ଡା ଥାନାରେ ଅଭିଯୋଗ କରିଛନ୍ତି। ସୋନପୁର ଠାରେ ଶବ ବ୍ୟବଚ୍ଛେଦ କଲାପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏ ସଂକ୍ରାନ୍ତରେ ଏକ ହତ୍ୟା ମାମଲା ରୁଜୁ କରି ହତ୍ୟାକାଣ୍ଡର ତଦନ୍ତ ଜାରି ରହିଥିବା ତଦନ୍ତକାରୀ ପୁଲିସ ଅଧିକାରୀ ପରେଶ ଷଡଙ୍ଗୀ ପ୍ରକାଶ କରିଛନ୍ତି। ଆଜି ରାତି ମଧ୍ୟରେ ସମସ୍ତ ହତ୍ୟାକାରୀଙ୍କୁ ଧରାଯିବ ବୋଲି ମନମୁଣ୍ଡା ଥାନା ଆଇଆଇସି ଗୋପୀନାଥ ପ୍ରଧାନ ଗଣମାଧ୍ୟମକୁ କହିଛନ୍ତି।

ସମ୍ବନ୍ଧିତ ଖବର