ଅବକାରୀ କର୍ମଚାରୀଙ୍କ ହେପାଜତରେ ଲହୁ ଲୁହାଣ ଯୁବକ ଏସସିବିରେ ମୃତ

ରାସ୍ତାରୋକ କରିବାରୁ ୪ ଲକ୍ଷ କ୍ଷତିପୂରଣ ଦେଲେ, ମୁକୁଳାଇବାକୁ ୫୦ ହଜାର ମାଗିଥିଲେ 

ଫୁଲବାଣୀ : ଏଥର କନ୍ଧମାଳ ଅବକାରୀ ବିଭାଗର ରକ୍ତମୁଖା କାର୍‌ନାମା ପଦାକୁ ଆସିଛି। ଗଞ୍ଜେଇ ଚାଲାଣ କରୁଥିବା ସନ୍ଦେହରେ ଅମିତ ମୁଖି ନାମକ ଜଣେ ଯୁବକଙ୍କୁ ପିଟି ଗୁରୁତର କରିବା ପରେ କଟକରେ ତାଙ୍କର ମୃତ୍ୟୁ ହୋଇଛି। ଅମିତଙ୍କୁ ଛାଡିବାକୁ ୫୦ ହଜାର ମାଗିଥିଲେ, ନଦେବାରୁ ପିଟିପିଟି ମାରିଦେଲେ ବୋଲି ଅଭିଯୋଗ ପରେ ଫିରିଙ୍ଗିଆ ଅଞ୍ଚଳରେ ୨ଦିନ ହେଲା ଉତ୍ତେଜନା ଲାଗି ରହିଛି। ସୋମବାର ରାତି ଶବ ପହଞ୍ଚିବା ପରେ ୫୦ ଲକ୍ଷ କ୍ଷତିପୂରଣ ଦାବିରେ ମଙ୍ଗଳବାର ରାସ୍ତାରୋକ ହେବାରୁ ଅବକାରୀ ଅଧୀକ୍ଷକ କର୍ମଚାରୀଙ୍କଠାରୁ ୪ ଲକ୍ଷ ଟଙ୍କା ଆଦାୟ କରି ମୃତକଙ୍କ ପରିବାରକୁ ଦେବା ପରେ ଉତ୍ତେଜନା ଥମିଛି। ଅବକାରୀ ହେପାଜତରେ ସନ୍ଦେହଜନକ ଅବସ୍ଥାରେ ଯୁବକ ଗୁରୁତର ହେବା ଓ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିବା ନେଇ ଫୁଲବାଣୀ ଟାଉନ୍‌ ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି।

ଫିରିଙ୍ଗିଆ ଥାନା ସାଇତିଙ୍ଗିଆ ଗ୍ରାମର ଅମିତ ମୁଖିଙ୍କୁ ଅବକାରୀ କର୍ମଚାରୀ ଚୋରା ଗଞ୍ଜେଇ କାରବାର ଅଭିଯୋଗରେ ଅଟକ ରଖିଥିଲେ। ତେବେ ଅବକାରୀ କର୍ମଚାରୀଙ୍କ ମାଡ଼ରେ ଅମିତ ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ପଠାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ ଦେହ ଗ୍ରାମରେ ପହଞ୍ଚିବା ପରେ ମଙ୍ଗଳବାର ଫିରିଙ୍ଗିଆ ବ୍ଲକ୍ ସଦର ମହକୁମା ସନ୍ନିକଟ ମାଶ୍ରିପଡ଼ା ଛକ ରାସ୍ତାକୁ ଲୋକେ ଅବରୋଧ କରିଥିଲେ। ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ସହ ଘଟଣାର ନିରପେକ୍ଷ ତଦନ୍ତ ଦାବି କରା ଯାଇଥିଲା। ଅମିତଙ୍କ ସାନଭାଇ ରିଣ୍ଟୁ ମୁଖିଙ୍କ କହିବା ଅନୁଯାୟୀ, ଅମିତ ଓ ରିଣ୍ଟୁ ଗତ ୧୩ ତାରିଖରେ ବୌଦ୍ଧ ଯାଉଥିବା ବେଳେ ରାଣୀପଥର ଘାଟିରେ ଅବକାରୀ ମୋବାଇଲ୍‌ ସ୍କ୍ବାଡ଼ କର୍ମଚାରୀ ସେମାନଙ୍କୁ ଅଟକାଇଥିଲେ।

ଗଞ୍ଜେଇ ଚ‌ୋରା ଚାଲାଣ କରୁଥିବା ଅଭିଯୋଗରେ ଅବକାରୀ ପୁଲିସ ସେମାନଙ୍କୁ ସାଙ୍ଗରେ ନେଇ ଯାଇଥିଲା। ତେବେ ୫୦ ହଜାର ଟଙ୍କା ଦେଲେ ଅମିତଙ୍କୁ ଛାଡ଼ି ଦିଆଯିବ ବୋଲି ଅବକାରୀ କର୍ମଚାରୀ କୁଆଡ଼େ କହିଥିଲେ ବୋଲି ଅମିତଙ୍କ ଭାଇ ଅଭିଯୋଗ ଆଣିଛନ୍ତି। ଅପରପକ୍ଷେ, ଅମିତ ଅବକାରୀ କର୍ମଚାରୀଙ୍କ ହେପାଜତରେ ଥିବା ବେଳେ କିପରି ଗୁରୁତର ହେଲେ ତାକୁ ନେଇ ମଧ୍ୟ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜଣେ ଅବକାରୀ ବିଭାଗ ଅଧିକାରୀଙ୍କ ସଫେଇ ଅନୁସାରେ, ଅମିତ ଛାତ ଡେଇଁ ଫେରାର ହୋଇ ଯାଉଥିବା ବେଳେ ଛାତରୁ ଖସିପଡ଼ି ଆହତ ହୋଇଥିଲେ। ମାତ୍ର, ଅମିତଙ୍କୁ ଅବକାରୀ କର୍ମଚାରୀ ପ୍ରବଳ ମାଡ଼ ମାରି ମୁଣ୍ଡ ଫଟାଇ ଦେଇଥିବା ଅମିତଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ପ୍ରକୃତପକ୍ଷେ, କେଉଁ କାରଣରୁ ଅମିତ ଗୁରୁତର ହେଲେ ତାହାକୁ ନେଇ ସନ୍ଦେହ ଘନୀଭୂତ ହୋଇଛି। ରାସ୍ତା ଅବରୋଧ ଫଳରେ ଫୁଲବାଣୀ ଓ ବାଲିଗୁଡ଼ା ମଧ୍ୟରେ ଦୀର୍ଘ ସମୟ ଧରି ଯାନବାହନ ଚଳାଚଳ ବନ୍ଦ ରହିଥିଲା। ସଦର ଏସ୍‌ଡିପିଓ ମହେନ୍ଦ୍ର ନାଥ ମୁର୍ମୁ, ଫିରିଙ୍ଗିଆ ଥାନାଧିକାରୀ ପି. ଶ୍ୟାମସୁନ୍ଦର ରାଓଙ୍କ ସମେତ ଫିରିଙ୍ଗିଆ ବିଡ଼ିଓ ରଶ୍ମିରଂଜନ ମହାନ୍ତ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନରତ ଲୋକଙ୍କୁ ବୁଝାସୁଝା କରିଥିଲେ। ଉତ୍ତେଜନା ପ୍ରଶମିତ କରିବା ପାଇଁ ଅବକାରୀ ଅଧୀକ୍ଷକ ମଧୁସ୍ମିତ ନାୟକଙ୍କ ନିର୍ଦ୍ଦେଶରେ ଡ୍ୟୁଟିରତ କର୍ମଚାରୀଙ୍କ ଠାରୁ  ଆଦାୟ ୪ ଲକ୍ଷ ଟଙ୍କା ପ୍ରଦାନ କରାଯିବା ପରେ ଆନ୍ଦୋଳନକାରୀ ରାସ୍ତା ଅବରୋଧରୁ ହଟିଥିଲେ।

ସମ୍ବନ୍ଧିତ ଖବର