କବିସୂର୍ଯ୍ୟନଗର : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ପାଇକଯମୁନା ଗ୍ରାମ ନିକଟ ପାହାଡ଼ରେ ବାର୍‌ହା ଶିକାର ପାଇଁ କିଛି ଯୁବକ ଗତକାଲି ରାତିରେ ଉଚ୍ଚକ୍ଷମତା ସଂପନ୍ନ ବିଦ୍ୟୁତଶକ୍ତି ପ୍ରବାହିତ ହେଉଥିବା ତାର ବିଛାଇଥିଲେ। ହେଲେ ଅସାବଧାନତାବଶତଃ ନିଜେ ଏହାର ସଂସ୍ପର୍ଶରେ ଆଜି ଜଣେ ଯୁବକ ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ, ରତନ ବିଷୋୟୀ (୪୩)। ନିମୁଣ୍ଡିଆ-ବଡ଼ଚଢ଼ିଆପଡ଼ା ରାସ୍ତାକଡ଼ ବିଲରୁ ରତନଙ୍କ ଶବ ଉଦ୍ଧାର ହୋଇଛି। ଶବ ପାଖରୁ ବି କିଛି ମଦ ବୋତଲ ବି ମିଳିଛି। ଫଳରେ ପ୍ରକୃତରେ ରତନ ବିଦ୍ୟୁତ୍ ଆଘାତରେ ପ୍ରାଣ ହରାଇଛନ୍ତି ନା’ ଏହାପଛରେ ଅନ୍ୟ କାରଣ ରହିଛି ଏନେଇ ପୁଲିସ ଛାନ୍‌ଭିନ୍ ଆରମ୍ଭ କରିଛି। ଶବ ବ୍ୟବଚ୍ଛେଦ ପରେ ହିଁ ସମସ୍ତ ରହସ୍ୟ ସାମ୍ନାକୁ ଆସିବ ବୋଲି ସୂଚନା ମିଳିଛି। ପ୍ରାଥମିକ ତଦନ୍ତକୁ ଆଧାର କରି ୫ରୁ ଅଧିକଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।

Advertisment

ସୂଚନାନୁସାରେ, ଗତକାଲି ରାତି ପ୍ରାୟ ସାଢ଼େ ୮ଟା ବେଳେ ରତନଙ୍କୁ ତାଙ୍କ ସାଙ୍ଗମାନେ ବାହାରକୁ ଯିବା ଲାଗି ଡାକିଥିଲେ। ନିକଟ ପାହାଡ଼କୁ ଯାଇ ତାର ବିଛାଇବା ସହ ଛକି ରହିଥିଲେ। କିନ୍ତୁ ହଠାତ୍ ତାର ସଂସ୍ପର୍ଶରେ ଆସି ବିଦ୍ୟୁତ୍ ଆଘାତରେ ରତନଙ୍କ ମୃତ୍ୟୁ ହୋଇଥିଲା। ଫଳରେ ଘଟଣାକୁ ଲୁଚାଇବାକୁ ଯାଇ ରତନଙ୍କ ଶବକୁ ସେମାନେ ପାହାଡ଼ ପାଦଦେଶରେ ଥିବା ଏକ ଧାନବିଲରେ ପକାଇ ସେଠାରୁ ପଳାଇଥିଲେ। ସେପଟେ ରତନ ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ନଫେରିବାରୁ ପରିବାରବର୍ଗ ତାଙ୍କ ସାଙ୍ଗମାନଙ୍କୁ ପଚରାଉଚରା କରିଥିଲେ। ହେଲେ ରତନ ସେମାନଙ୍କ ସହ ଆସି ନଥିବା କହିବାରୁ ମନରେ ସନ୍ଦେହ ଜାତ ହୋଇଥିଲା। ବିଳମ୍ବିତ ରାତିରେ ବହୁ ସମୟ ଧରି ଖୋଜାଖୋଜି କରିବା ପରେ ନିମୁଣ୍ଡିଆ-ବଡ଼ଚଢ଼ିଆପଡ଼ା ରାସ୍ତା ବିଲରୁ ରତନଙ୍କ ଶବ ମିଳିଥିଲା।

କବିସୂର୍ଯ୍ୟନଗର ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ୫ରୁ ଅଧିକ ଯୁବକଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ମୃତକଙ୍କ ପୁଅ ବିକାଶଙ୍କ ଏତଲା କ୍ରମେ କବିସୂର୍ଯ୍ୟନଗର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ତଦନ୍ତ ପରେ ସମସ୍ତ ତଥ୍ୟ ସାମ୍ନାକୁ ଆସିବ ବୋଲି ସୂଚନା ମିଳଛି।