ଘରୁ ରାଗି ଚାଲି ଯାଇଥିଲେ ଯୁବକ

ଭୋଗରାଇ: କୌଣସି କାରଣରୁ ଘରୁ ରାଗି ଚାଲି ଯାଇଥିଲେ ଜଣେ ଯୁବକ। ଆଉ ଆଜି ଦୁଇମାସ ପରେ ତାଙ୍କ କଙ୍କାଳ ଜଙ୍ଗଲରୁ ଉଦ୍ଧାର ହେବା ଘଟଣା ଭୋଗରାଇ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ସୂଚନା ଅନୁଯାୟୀ, ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍ ନାରାୟଣ ମହାନ୍ତି ପଡ଼ିଆ ଗାଁର ଲକ୍ଷ୍ମୀକାନ୍ତ ଗିରିଙ୍କ ୩ ପୁଅ। ସାନପୁଅ ରାଧାକୃଷ୍ଣ(୩୨)ଙ୍କ ଉପରେ ବାପା କୌଣସି କଥା ନେଇ ରାଗିଲେ କିମ୍ବା ତାଗିଦ କଲେ ସେ ଘରଛାଡ଼ି ବାରମ୍ବାର କୋଲକାତା କିମ୍ବା ଅନ୍ୟ ରାଜ୍ୟକୁ ଚାଲି ଯାଉଥିଲେ। ୨ମାସ ପୂର୍ବରୁ ଏଭଳି କିଛି କଥାରେ ରାଧାକୃଷ୍ଣ ଘର ଛାଡ଼ି ଚାଲି ଯାଇଥିଲେ। ହେଲେ ସେହି ଦିନଠାରୁ ତାଙ୍କ ମୋବାଇଲ ସ୍ବିଚଅଫ୍ ରହିଥିଲା। ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ସୁଦ୍ଧା ତାଙ୍କର କୌଣସି ସନ୍ଧାନ ପାଇନଥିଲେ।

ବୁଧବାର ସକାଳେ ଜନୈକା ମହିଳା ତାଙ୍କର ଗୋରୁଗାଈଙ୍କୁ ଖୋଜିବା ପାଇଁ ମାଟିକେଞ୍ଚା ବାଲି ଆଡ଼ିଆରେ ଥିବା ଜଙ୍ଗଲକୁ ଯାଇଥିଲେ। ସେଠାରେ ଦୁର୍ଗନ୍ଧ ହେବାରୁ ପାଖକୁ ଯାଇ ଦେଖିବା ବେଳକୁ ଜଣେ ଯୁବକଙ୍କ କଙ୍କାଳ ପଡ଼ିଥିଲା। ପାଖରେ ବ୍ୟାଗ, କିଛି ଲୁଗାପଟା, ଜୋତା ଆଦି ପଡ଼ିଥିବା ସେ ଦେଖିବାକୁ ପାଇଥିଲେ। ଖବର ପ୍ରଚାରିତ ହେବା ପରେ ସେଠାରେ ଲୋକେ ରୁଣ୍ଡ ହୋଇଥିଲେ। ପରେ ରାଧାକୃଷ୍ଣଙ୍କ ପରିବାର ଲୋକ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ପୁଅର କଙ୍କାଳ ଦେଖି ହତବାକ୍ ହୋଇ ଯାଇଥିଲେ।

ରାଧାକୃଷ୍ଣଙ୍କ ମୃତ୍ୟୁକୁ ନେଇ ଭିନ୍ନ ଭିନ୍ନ କଥା ଆଲୋଚନା ହେଉଥିବା ବେଳେ ଖବର ଲେଖାହେବା ପର୍ଯ୍ୟନ୍ତ ପୁଲିସ ସେଠାରେ ଉପସ୍ଥିତ ରହି ତନାଘନା କରୁଛି। ସେପଟେ ଗୁରୁବାର ସାଇଣ୍ଟିଫିକ୍ ଟିମ ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ଭୋଗରାଇ ପୁଲିସ ସୂତ୍ରରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର