୪୯ ହଜାର ଟଙ୍କା ପାଇ ଫେରାଇଲେ ଯୁବକ

ବୈଶିଙ୍ଗା/ମାଣତ୍ରୀ: ଜଣେ ଯୁବକ ରାସ୍ତାରୁ ଟଙ୍କା ଭର୍ତ୍ତି ବ୍ୟାଗ୍‌ ପାଇ ଫେରାଇ ଦେଇଛନ୍ତି। ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ମହିଷାଶୋଳ ପଞ୍ଚାୟତ ବିଷ୍ଣୁପୁର ଗ୍ରାମର ଶତ୍ରୁଘନ ସିଂ’ଙ୍କ ପୁଅ କାଳୁରାମ ସିଂ ଜଣେ ମୂର୍ତ୍ତି କାରିଗର ଭାବେ କାମ କରନ୍ତି। ସେ ବାଲେଶ୍ୱର ଶାନ୍ତରାଗାଡ଼ିଆ ଅଞ୍ଚଳର ମୂର୍ତ୍ତି ଠିକାଦାରଙ୍କ ଠାରୁ ଘର ତିଆରି ପାଇଁ ଅଗ୍ରିମ ଟଙ୍କା ନେଇ ଆସୁଥିଲେ। ଏହି ସମୟରେ ମିତ୍ରପୁର ଓ ରେମୁଣା ମଝିରେ ଗାଡ଼ିରେ ଟଙ୍ଗା ଥିବା ଟଙ୍କା ବ୍ୟାଗ୍‌ଟି ଖସିପଡ଼ିଥିଲା। ଜାଣିବା ପରେ କାଳୁରାମ ଖୋଜା‌ଖୋଜି କରିଥିଲେ ବି ପାଇ ନ ଥିଲେ।

ଏହି ସମୟରେ ଉକ୍ତ ରାସ୍ତାରେ ଯାଉଥିବା ବାଲେଶ୍ୱର ସୋମନାଥପୁର ସ୍ଥିତ ଚାର୍‌ମିନାର୍‌ କମ୍ପାନିରେ ଠିକା କାମ କରୁଥିବା ନୀଳଗିରି ଥାନା ଅଧୀନ ମାଇଁସାପଟା ଗ୍ରାମର ପ୍ରଶାନ୍ତ କୁମାର ସାହୁ ରାସ୍ତା ଉପରେ ପଡ଼ିଥିବା ଉକ୍ତ ବ୍ୟାଗ୍‌ଟିକୁ ପାଇଥିଲେ। ବ୍ୟାଗ୍‌ରେ ଟଙ୍କା ଥିବା ଦେଖି ସେ ସଂଗେସଂଗେ ରେମୁଣା ଥାନାରେ ପହଞ୍ଚିଥିଲେ। ପୁଲିସ ବ୍ୟାଗ୍‌ ଖୋଲିବାରୁ ତହିଁରେ ୪୯ ହଜାର ଟଙ୍କା ସହ କିଛି କାଗଜପତ୍ର ଥିବା ଦେଖିଥିଲେ। ଉକ୍ତ କାଗଜପତ୍ରରେ ଥିବା କାଳୁରାମଙ୍କ ଠିକଣା ପାଇ ବୈଶିଙ୍ଗା ଥାନା ଅଧିକାରୀଙ୍କ ଜରିଆରେ କାଳୁରାମଙ୍କୁ ଖବର ଦିଆଯାଇଥିଲା। ପରେ ସେ ରେମୁଣା ଥାନାରେ ପହଞ୍ଚି ପ୍ରମାଣ ଦେଇ ନିଜର ବ୍ୟାଗ୍‌ ଫେରିପାଇଥିଲେ। ତେବେ କାଳୁରାମ ଖୁସିରେ ପ୍ରଶାନ୍ତଙ୍କୁ ପୁରସ୍କାର ସ୍ୱରୂପ କିଛି ଟଙ୍କା ଯାଚିଥିଲେ। ହେଲେ ପ୍ରଶାନ୍ତ ଗ୍ରହଣ କରିବାକୁ ମନା କରିଦେଇଥିଲେ। ପ୍ରଶାନ୍ତଙ୍କ ଏପରି କାର୍ଯ୍ୟ ପାଇଁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।

ସମ୍ବନ୍ଧିତ ଖବର