ଦ୍ବିତୀୟ ବିବାହ କରିବାକୁ ଆସି ଶିଶୁପାଳ ହୋଇ ଫେରିଲେ ଯୁବକ

ନୀଳଗିରି: ପ୍ରଥମ ପତ୍ନୀ ସରକାରୀ ହାଇସ୍କୁଲରେ ବିଜ୍ଞାନ ଶିକ୍ଷୟିତ୍ରୀ ଥିବା ବେଳେ ତାଙ୍କର ୧୫ବର୍ଷର ଝିଅଟିଏ ମଧ୍ୟ ଅଛି। ସ୍ବାମୀ ବୀମା କମ୍ପାନିରେ ଏଜେଣ୍ଟ ଭାବେ କାର୍ଯ୍ୟ କରୁଥିବା ବେଳେ ବେଶ୍ ଭଲରେ ଚାଲିଥିଲା ସଂସାର। ହେଲେ କିଛିବର୍ଷ ପରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ଝଡ଼। ଆଉ ଯୁବକ ଜଣକ ଅନ୍ୟତ୍ର ବିବାହ କରିବା ପାଇଁ ସ୍ଥିର କରି ରବିବାର ବରବେଶରେ ବନ୍ଧୁମାନଙ୍କୁ ନେଇ ନୀଳଗିରି ମହନ୍ତ ମନ୍ଦିର ନିକଟରେ ପହଞ୍ଚି ଥିଲେ। ଏପରିକି ଝିଅଘର ପକ୍ଷରୁ ବରଯାତ୍ରୀଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ ହୋଇ ସାରିଥିଲା। ମାତ୍ର ଯୁବକଙ୍କ ପ୍ରଥମ ସ୍ତ୍ରୀ ବିବାହ ବିଷୟରେ ସୁରାକ ପାଇ ପ୍ରଥମେ କପ୍ତିପଦା ଥାନା ପରେ ନୀଳଗିରି ଥାନାକୁ ଅବଗତ କରିବା ସହ ପରିବାର ଲୋକଙ୍କୁ ନେଇ ନୀଳଗିରି ମହନ୍ତ ମନ୍ଦିରରେ ପହଞ୍ଚିଥିଲେ।

ପ୍ରଥମ ସ୍ତ୍ରୀ ଓ ତାଙ୍କର ପରିଜନ ଏବଂ ଥାନା ଗାଡ଼ିକୁ ଦେଖି ବରବେଶରେ ଆସିଥିବା ଯୁବକ ଜଣକ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ବରର ଏତାଦୃଶ କାର୍ଯ୍ୟକୁ ଦେଖି କନ୍ୟାପକ୍ଷ ମଧ୍ୟ ନିଜ କନ୍ୟାକୁ ଧରି ଉଭାନ ହୋଇଗଲେ। କନ୍ୟା ପକ୍ଷରୁ ଆସିଥିବା ବନ୍ଧୁବର୍ଗ ଏହା ଦେଖି ଅବାକ ହୋଇ ଯାଇଥିଲେ।

ସୂଚନା ଅନୁସାରେ ୨୦୦୫ ମସିହାରେ କପ୍ତିପଦା ଅଞ୍ଚଳର ଜନୈକ ଯୁବତୀଙ୍କୁ ବାଲେଶ୍ବର ଜିଲ୍ଲା ସଦର ଥାନା ଖାନନଗର ପୁରୁଷୋତ୍ତମପୁର ଗ୍ରାମର ସୁଜୟ ପତି ବିବାହ କରିଥିଲେ। ୫୩ ବର୍ଷୀୟ ସୁଜୟ ନୀଳଗିରି ଅଞ୍ଚଳର ୪୨ବର୍ଷୀୟା ଯୁବତୀକୁ ବିବାହ କରିବାକୁ ଆସିଥିବା ବେଳେ ଏପରି ହଟହଟା ହେବାକୁ ପଡ଼ିଛି। ଘଟଣାଟି ନୀଳଗିରିରେ ବେଶ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ସମ୍ବନ୍ଧିତ ଖବର