ବେଲଗୁଣ୍ଠା/ ଧରାକୋଟ/କୁକୁଡ଼ାଖଣ୍ଡି/ପାତ୍ରପୁର: ‘ଟମାଟୋ, ଅଣ୍ଡା, ଜୋତା ପକାନ୍ତୁ, କି କଳାପତାକା ଦେଖାନ୍ତୁ, କିମ୍ବା ଗୁଳି କରିଦିଅନ୍ତୁ। ଓଡ଼ିଶାବାସୀଙ୍କ ସେବାରେ ମୁଁ ସମର୍ପିତ, ମୋତେ କିଛି ଫରକ୍ ପଡ଼ିବନି। ମୁଁ ଏମିତି ଆପଣମାନଙ୍କ ପାଖକୁ ଆସୁଥିବି। କାରଣ ଆମ ଲକ୍ଷ୍ୟ ଗୋଟିଏ। ଲୋକଙ୍କ ବିକାଶ ଓ ନବୀନ ଓଡ଼ିଶା ଗଠନ ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ।’ ୫-ଟି ଅଧ୍ୟକ୍ଷ ଭି. କାର୍ତ୍ତିକ ପାଣ୍ଡିଆନ ଆଜି ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ବେଲଗୁଣ୍ଠାରେ ଆୟୋଜିତ ସାଧାରଣ ସଭାରେ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ଏହା କହିଛନ୍ତି। ଆଜି ସକାଳେ ୧୧ଟା ୧୫ ବେଳେ ଶ୍ରୀ ପାଣ୍ଡିଆନ ବେଲଗୁଣ୍ଠା ବସ୍ଷ୍ଟାଣ୍ଡ ପଡ଼ିଆରେ ହେଲିକପ୍ଟରରୁ ଓହ୍ଲାଇ ନବନିର୍ମିତ ଇଣ୍ଡୋର୍ ଷ୍ଟାଡିୟମ୍ ପରିଦର୍ଶନରେ ଯାଇଥିଲେ। ସେଠାରୁ ସଭାସ୍ଥଳରେ ପହଞ୍ଚିବା ବେଳେ ଗୋବରା ପଞ୍ଚାୟତ ବିରିପୁର ଗ୍ରାମର ଅନୀଲ ମଳିକ (୨୮) ନାମକ ଜଣେ ଯୁବ କଂଗ୍ରେସ କର୍ମୀ ଦଳର ପତାକା ଦେଖାଇବା ସହ ଗୋଟିଏ ଟମାଟୋକୁ ଦଳି ଶ୍ରୀ ପାଣ୍ଡିଆନଙ୍କ ଉପରକୁ ଫୋପାଡ଼ିଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ କିଛି ବିଜେଡି କର୍ମୀ ତାଙ୍କୁ କାବୁ କରି ନିର୍ଧୁମ ମାଡ଼ ମାରିଥିଲେ। ପୁଲିସ ସେଠାରୁ ତାଙ୍କୁ ଉଠାଇ ନେଇ ଥାନାରେ ଅଟକ ରଖିଥିବା ଜଣାପଡ଼ିଛି। ଏହାପରେ ସମାବେଶକୁ ଉଦ୍ବୋଧନ ଦେଇ ଶ୍ରୀ ପାଣ୍ଡିଆନ କହିଥିଲେ, ‘ଏଭଳି ବିରୋଧ ବିକାଶଧାରାକୁ ଅଟକାଇ ପାରିବନି। ସଭାରେ ଭାଷଣ ଦେଇ ପଳାଉଥିବା ଅନେକ ବ୍ୟକ୍ତିଙ୍କୁ ଆପଣମାନେ ଜାଣିଥିବେ। କିନ୍ତୁ ମୁଁ ସେମିତି ନୁହେଁ। ଆପଣମାନଙ୍କୁ ଭେଟି ଖୁସି ଲାଗୁଛି। ମୁଖ୍ୟମନ୍ତ୍ରୀଙ୍କ ପ୍ରେରଣା ପାଇ ଆପଣମାନଙ୍କ ସେବାରେ ସମର୍ପିତ। ଏକ ନୂତନ ଓଡ଼ିଶା ଗଠନ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ ସାକାର କରିବାକୁ ଓଡ଼ିଶାବାସୀ ଆଗେଇ ଆସନ୍ତୁ ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ। ଏହି ଅବସରରେ ସେ ଜନସାଧାରଣଙ୍କ ଠାରୁ ବିଭିନ୍ନ ଅଭିଯୋଗପତ୍ର ଗ୍ରହଣ ତୁରନ୍ତ ତା’ର ସମାଧାନ କରାଯିବ ସମସ୍ୟା ସମ୍ବଳିତବୋଲି ପ୍ରତିଶ୍ରୁତି ଦେଇଥିଲେ।
ଏଠାରେ ପ୍ରକାଶଥାଉକି, ଆଜି ୫-ଟି ଅଧ୍ୟକ୍ଷ ଭି. କାର୍ତ୍ତିକ ପାଣ୍ଡିଆନ୍ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ବ୍ଲକ୍ରେ ଜନସାଧାରଣଙ୍କ ଅଭିଯୋଗ ଶୁଣିଥିଲେ। ଶ୍ରୀ ପାଣ୍ଡିଆନ ପ୍ରଥମେ ବେଲଗୁଣ୍ଠା, ଧରାକୋଟ, କୁକୁଡ଼ାଖଣ୍ଡି ଓ ଶେଷରେ ପାତ୍ରପୁର ବ୍ଲକ୍ରେ ଆୟୋଜିତ ସଭାରେ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇଥିଲେ। ସୋରଡ଼ା ବ୍ଲକ୍ରେ ତିଆରି ହେବାକୁ ଥିବା ପିପଳପଙ୍କା ଡ୍ୟାମ୍, ଧରାକୋଟ ବ୍ଲକ୍ର ଜାନିବିଲି ବ୍ୟାରେଜ୍ ଓ ଦିଗପହଣ୍ଡି ବ୍ଲକ୍ର ଛେଳିଗଡ଼ ଜଳସେଚନ ପ୍ରକଳ୍ପର ସ୍ଥିତି ସମୀକ୍ଷା କରିଥିଲେ। ପ୍ରାୟ ୧ହଜାର ୩୦୦ କୋଟିର ଏହି ପ୍ରକଳ୍ପରୁ ୧ଲକ୍ଷ ୮୪ହଜାର ଏକର ଜମିକୁ ଜଳସେଚନ ସୁବିଧା ମିଳି ପାରିବ। ଜନ ଅଭିଯୋଗ ଶୁଣାଣିରେ ଶ୍ରୀ ପାଣ୍ଡିଆନ୍ ଜନସାଧାରଣଙ୍କ ଦରଖାସ୍ତ ଗ୍ରହଣ କରିଥିଲେ। ଏହାପରେ ସରକାରଙ୍କ ଦ୍ବାରା ନିଆଯାଇଥିବା ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। ସାମାଜିକ ସୁରକ୍ଷା ଯୋଜନାରେ ମିଳୁଥିବା ଭତ୍ତାକୁ ମୁଖ୍ୟମନ୍ତ୍ରୀ ୫ଶହ ଟଙ୍କା ବୃଦ୍ଧି,ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ଓ ମୁଖ୍ୟମନ୍ତ୍ରୀ ବୁଣାକାର ଓ କାରିଗର ସହାୟତା ଯୋଜନାରେ ମଧ୍ୟ ମିଳୁଥିବା ଭତ୍ତା ୧୨ଶହରୁ ୨ହଜାରକୁ ବୃଦ୍ଧି କରାଯାଇଥିବା ସୂଚନା ଦେଇଥିଲେ।
ମମତା ଯୋଜନାରେ ମିଳୁଥିବା ଆର୍ଥିକ ସହାୟତା ୫ହଜାରରୁ ୧୦ହଜାରକୁ ବୃଦ୍ଧି କରାଯାଇଥିବା ବେଳେ ନୂଆ ଓ ବୃତ୍ତି ଜରିଆରେ ଯୁକ୍ତତିନି ଓ ପିଜି ଛାତ୍ରଙ୍କୁ ୯ହଜାର ଏବଂ ଛାତ୍ରୀଙ୍କୁ ୧୦ହଜାର ଟଙ୍କା ସହାୟତା ପ୍ରଦାନ କରାଯିବ ବୋଲି କହିଥିଲେ। କିନ୍ତୁ ଏସ୍ସି ଓ ଏସ୍ଟି ଏବଂ ନିର୍ମାଣ ଶ୍ରମିକ ଶ୍ରେଣୀର ପୁଅଙ୍କୁ ୧୦ହଜାର ଓ ଝିଅମାନଙ୍କୁ ୧୧ହଜାର ଟଙ୍କା ମିଳିବ ବୋଲି କହିଥିଲେ। ଆସନ୍ତା ୨୬ତାରିଖରୁ ଏହି ରାଶି ସିଧାସଳଖ ପିଲାଙ୍କ ଖାତାରେ ଜମା ହେବ ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ। ସେହିପରି ସ୍ବୟଂ ‘ସ୍ବତନ୍ତ୍ର ଯୁବ ଉଦ୍ୟମୀ’ ଯୋଜନାରେ ମୁଖ୍ୟମନ୍ତ୍ରୀ ଯୁବକଯୁବତୀଙ୍କୁ ଆତ୍ମନିର୍ଭର କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ବୋଲି କହିଥିଲେ। ଏହା ସହିତ ଗାଁର ମନ୍ଦିର, ମଜସିଦ୍, ଗୀର୍ଜାଘର, ଚର୍ଚ୍ଚ ସମ୍ପର୍କିତ ଯେଉଁ ସବୁ ଅଭିଯୋଗ ଆସିଛି, ୭ ଦିନରେ ତା’ର ସମାଧାନ ହେବ, ଖୁସି ଖବର ପାଇବେ ବୋଲି ଶ୍ରୀ ପାଣ୍ଡିଆନ ପ୍ରତିଶ୍ରୁତି ଦେଇଥିଲେ।