ଯୁବତୀଙ୍କୁ ବ୍ଲାକମେଲ କରି ଯୁବକ ଗିରଫ

ବରୀ/ଯାଜପୁରସଦର: ଇନଷ୍ଟାଗ୍ରାମରେ ଯୁବତୀଙ୍କ ନକଲି ଏକାଉଣ୍ଟ ଖୋଲି ଚାଟିଂ କରିବା ସହ ଅଶ୍ଳୀଳ ଫଟୋ ଭାଇରାଲ କରିବା ଅଭିଯୋଗରେ ଜଣେ ହୋଟେଲ କୁକ୍‌କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତ ଭଦ୍ରକ ଜିଲ୍ଲା ବାଂଶଡ଼ା ଥାନା ଜନ୍ତୁଆଳି ଗାଁର ସୁଶାନ୍ତ ବେହେରା। ସେ ହାଇଦ୍ରାବାଦର ଏକ ହୋଟେଲରେ ରୋଷେୟା ଭାବେ କାମ କରୁଥିଲା। ଇନ୍‌ଷ୍ଟାଗ୍ରାମରେ ଯୁବତୀଙ୍କ ନାଁରେ ଫେକ୍‌ ଆକାଉଣ୍ଟ ଖୋଲି ବନ୍ଧୁତା କରିବା ପରେ ସେମାନଙ୍କୁ ବ୍ଲାକମେଲ କରିବା ସହ ଅଶ୍ଳୀଳ ଚାଟିଂ କରିବା ତା’ର ନିଶା। ଯୁବତୀଙ୍କ ନମ୍ୱର୍ ନେବା ପରେ ଭିଡିଓ କଲ୍‌ କରି ଶରୀରର ବିଭିନ୍ନ ଅଙ୍ଗ ଦେଖିବାକୁ ବାଧ୍ୟ କରିଥାଏ।

ଭିଡିଓ କଲ୍‌ ସମୟରେ ସେହି ନଗ୍ନ ଫଟୋ ରଖି ପରେ ବ୍ଲାକମେଲ୍ କରିଥାଏ। ସେ ପ୍ରାୟ ୧୫ ରୁ ଅଧିକ ଯୁବତୀଙ୍କ ଫେକ୍‌ ଆଇଡି ଖୋଲି ସେମାନଙ୍କ ସହ ଅଶ୍ଳୀଳ କଥାବାର୍ତ୍ତା କରୁଥିଲା। ନଗ୍ନଫଟୋ ଭାଇରାଲ କରିବାର ଆଶଙ୍କା ଥିବାରୁ ଯୁବତୀମାନେ ବାଧ୍ୟ ହୋଇ ତା’ କଥା ମାନୁଥିଲେ। ଲୋକଲଜ୍ଜା ଭୟରେ କେହି ମୁହଁ ଖୋଲୁ ନଥିଲେ। ମାତ୍ର ଏନେଇ ବରୀ ରାମଚନ୍ଦ୍ରପୁର ଥାନା ଅଞ୍ଚଳର ଜଣେ ଯୁବତୀ  ଲିଖିତ ଅଭିଯୋଗ କରିବାରୁ ଅଭିଯୁକ୍ତ ସୁଶାନ୍ତର କାର୍‌ନାମା ସାମ୍‌ନାକୁ ଆସିଥିଲା। ସେ ହାଇଦ୍ରାବାଦରୁ ଗାଁକୁ ଫେରୁଥିବାବେଳେ ପୁଲିସ ତାକୁ ଭୁବନେଶ୍ୱରରୁ ଗିରଫ କରିଛି। ସୁଶାନ୍ତର ମୋବାଇଲ୍ ଫୋନ ଜବତ ହୋଇଛି। ସେଥିରେ ଅନେକ ଯୁବତୀଙ୍କ ନମ୍ବର ରହିଛି। ଅଶ୍ଳୀଳ କଥାବାର୍ତ୍ତାର ରେକର୍ଡିଂ ମଧ୍ୟ ରହିଛି ବୋଲି ସୂଚନା ମିଳିଛି। ଆଜି ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଥିବା ବରୀ ରାମଚନ୍ଦ୍ରପୁର ଥାନା ଅଧିକାରୀ ମନୋଜ କୁମାର ସ୍ୱାଇଁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର