ଯୁବକଙ୍କୁ ପିଟି ପିଟି ମାରିଦେଲେ

ଝାରସୁଗୁଡା/ ବ୍ରଜରାଜନଗର: ଝାରସୁଗୁଡ଼ା ସହରରେ ଥିବା ଓଡ଼ିଶୀ ଜୁଏଲର୍ସରେ କାମ କରୁଥିବା ଜଣେ କର୍ମଚାରୀଙ୍କୁ ଚୋରି ଅଭିଯୋଗରେ ଘରେ ବନ୍ଦୀ କରି ନିସ୍ତୁକ ମାଡ଼ ମାରି ହତ୍ୟା କରାଯାଇଥିବା ଯୁବକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏନେଇ ବୌଦ୍ଧ ମନମୁଣ୍ଡା ଥାନା ଓ ଝାରସୁଗୁଡ଼ା ଥାନାରେ ପୃଥକ ମାମଲା ଦାୟର ମଧ୍ୟ ହୋଇଛି। ମୃତକ ସୁରେଶ ପ‌ାଣ୍ଡେ (୪୬) ବୋଲି ଜଣାଯାଇଛି।

ପୁଲିସରେ ‌‌ହୋଇଥିବା ଅଭିଯୋଗ ଅନୁସାରେ, ବୌଦ୍ଧ ଜିଲ୍ଲା ମନମୁଣ୍ଡାର ସୁରେଶ ଝାରସୁଗୁଡ଼ା ସହର ଓଡ଼ିଶୀ ଜ୍ବେଲର୍ସ ଅଳଙ୍କାର ଦୋକାନରେ କାର୍ଯ୍ୟ କରୁଥିଲେ। କିଛି ସୁନା ଅଳଙ୍କାର ହେରଫେର କରିବା ଅଭିଯୋଗରେ ଦୋକାନ ମାଲିକ ତାଙ୍କୁ ଘରେ ବାନ୍ଧି ରଖିଥିଲେ। ଦୋକାନ ମାଲିକ ଗତ ୭ ତାରିଖରେ ସୁରେଶଙ୍କ ବାପାଙ୍କୁ ଫୋନ୍‌ ଯୋଗେ ସୁରେଶଙ୍କ ଦୁର୍ଘଟଣା ହୋଇଯାଇଛି ଶୀଘ୍ର ଆସ ବୋଲି ଫୋନ୍‌ରେ କହିଥିଲେ। ଫଳରେ ସୁରେଶଙ୍କ ବାପା ମା’ ତୁରନ୍ତ ପୁଅର ମୋବାଇଲକୁ ଫୋନ କରିଥିଲେ। ମାତ୍ର ଫୋନ ସ୍ବିଚ୍‌ଅଫ୍ ଥିବାରୁ ସେମାନେ ଝାରସୁଗୁଡ଼ାକୁ ଆସି ଦୋକାନ ମାଲିକଙ୍କୁ ପୁଅ ବାବଦରେ ପଚାରିଥିଲେ। ଦୋକାନ ମାଲିକ ସେମାନଙ୍କୁ ତାଙ୍କ ଉପର ମହଲାକୁ ନେଇଯାଇଥିଲେ। ସେଠାରେ ସୁରେଶ ମୁମୂର୍ଷୁ ଅବସ୍ଥାରେ ଥିଲେ। ସୁରେଶଙ୍କ ବାପାଙ୍କୁ ଦୋକାନ ମାଲିକ କହିଥିଲେ ଯେ, ତୁମର ପୁଅ ଦୋକାନର ସୁନା ଗହଣା ହେରଫେର କରିଛି।

ସୁନା ଓ ପଇସା ନ ଫେରାଇବା ପର୍ଯ୍ୟନ୍ତ ତୁମେ ବି ବନ୍ଦୀ ହୋଇ ରହିଲ ବୋଲି କହିବା ସହ ସୁରେଶଙ୍କୁ ନିସ୍ତୁକ ବାଡେଇ ଥିଲେ। ସୁରେଶଙ୍କ ବାପା ମା’ ଯେତେ କାକୁତି ମିନତି ହେଲେ ମଧ୍ୟ ଦୋକାନ ମାଲିକ ଶୁଣିନଥିଲେ। ଓଲଟା ତାଙ୍କ ବାପା ମା’ଙ୍କୁ ପିଟିଥିଲେ। ଏପଟେ ଦୁଇଦିନ ଖିଆପିଆ କରି ନଥିବାରୁ ସୁରେଶଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିବାରେ ଲାଗିଥିଲା। ଏହି ଖବର ପାଇ ସୁରେଶଙ୍କ ଭଉଣୀ ଜ୍ବାଇଁ ବୌଦ୍ଧରୁ ଆସି ଝାରସୁଗୁଡ଼ା ପୁଲିସକୁ ସବୁ କଥା ଜଣାଇଥିଲେ। ସେ ସୁରେଶଙ୍କ ବାପା ମା’ଙ୍କୁ ଛାଡ଼ି ଦେବାକୁ ଅନୁରୋଧ କରିଥିଲେ। ଝାରସୁଗୁଡ଼ା ପୁଲିସ ତାଙ୍କୁ ନାଲିଆଖି ଦେଖାଇ ଘଉଡ଼ାଇ ଦେଇଥିଲା। ସୁରେଶଙ୍କ ଅବସ୍ଥା ଖରାପ ଆଡ଼କୁ ଗତି କରୁଥିବା ଦେଖି ଗତ ୯ ତାରିଖ ଦିନ ସୁରେଶ ଓ ତାଙ୍କର ବାପା ମା’ଙ୍କୁ ଦୋକାନ ମାଲିକ ଝାରସୁଗୁଡ଼ା ଥାନାକୁ ନେଇ ଯାଇ କେସ୍‌ ଦେଇଥିଲେ। ୧୦ ତାରିଖ ଦିନ ଝାରସୁଗୁଡ଼ା ପୁଲିସ ତରବରିଆ ଭାବରେ ଝାରସୁଗୁଡ଼ା ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇ ଥିଲେ। କିନ୍ତୁ ସ୍ବାସ୍ଥ୍ୟ ଅବସ୍ଥାରେ ସୁଧାର ନଆସିବାରୁ ଡାକ୍ତର ତାଙ୍କୁ ବୁର୍ଲା ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। ବୁର୍ଲା ଭିମସାରର ଡାକ୍ତର ଶରୀରରେ ପ୍ରବଳ ମାଡ଼ ଯୋଗୁଁ ବୃକକ୍‌ରେ ରକ୍ତ ଜମାଟ ବାନ୍ଧି ତାଙ୍କର ହୃଦ୍‌ଘାତ ହୋଇଥିବା କହିବା ସହିତ ଆଇସିୟୁରେ ଭର୍ତ୍ତି କରିଥିଲେ।

ରବିବାର ଦୋକାନ ମାଲିକ ଭିମସାର୍‌କୁ ଯାଇ ପରିବାର ଲୋକଙ୍କୁ ଲୋଭ ଦେଖାଇ ମୁଁ କେସ୍‌ ପ୍ରତ୍ୟାହାର କରି ନେଇଯିବି, ତୁମେ ବି କେସ୍‌ ପ୍ରତ୍ୟାହାର କରିଦିଅ, ମୁଁ ଘରୋଇ ହସ୍ପିଟାଲକୁ ନେଇ ସୁରେଶର ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବି। କାହାକୁ କିଛି ନକହିବାକୁ ପ୍ରବର୍ତ୍ତାଇ ଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ରବିବାର ଅପରାହ୍‌ଣରେ ସୁରେଶଙ୍କ ମୃତ୍ୟୁ ଘଟିଥିଲା। ଏହା ପରେ ଦୋକାନ ମାଲିକଙ୍କ କିଛି ଘନିଷ୍ଠ ତଥା ଶାସକ ଦଳର କିଛି ଲୋକ ଓ ଝାରସୁଗୁଡ଼ାର କିଛି ବରିଷ୍ଠ ପୁଲିସ ଅଧିକାରୀ ନିଜକୁ ବଞ୍ଚାଇବାକୁ ଯାଇ ସୁରେଶଙ୍କ ବାପା ମା’ଙ୍କୁ ପଇସାର ପ୍ରଲୋଭନ ଦେଖାଉଛନ୍ତି। ମାମଲା ରଫାଦଫା କରିଦେବାକୁ ଧମକ ଚମକ ମଧ୍ୟ ଦେଉଥିବା ଅଭିଯୋଗରେ ଦର୍ଶାଯାଇଛି।

ଏଠାରେ କଥା ଉଠୁଛି ଯେ ଯଦି ସୁରେଶ ଚୋରି କହିଥିଲେ ଦୋକାନ ମାଲିକ ଥାନାକୁ ନନେଇ ନିଜେ କେମିତି ଆଇନ ହାତକୁ ନେଲେ? ଝାରସୁଗୁଡ଼ା ପୁଲିସ ଜାଣିଣୁଣି କେମିତି ସୁରେଶଙ୍କୁ ଥାନାକୁ ନ ଆଣି ଦୋକାନ ମାଲିକର ହେପାଜତରେ ଛାଡ଼ିଦେଲା? ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ନୁହେଁ ତ? ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବା ଆବଶ୍ୟକତା ରହିଛି।

ମାମଲା ରଫାଦଫା ପାଇଁ ରାଜନୈତିକ ଚାପ

ସୁନା ଦୋକାନ ମାଲିକ ଶାସକ ଦଳର ଛତ୍ରଛାୟା ତଳେ ରହୁଥିବାରୁ ଚୋରି ଅଭିଯୋଗ ଥିବା ତାଙ୍କ କର୍ମଚାରୀଙ୍କୁ ଘରେ ବନ୍ଦ କରି ନିର୍ଯାତନା ଦେଉଥିବା ଜାଣି ବି ପୁଲିସ ଚୁପ୍‌ ରହିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ କର୍ମଚାରୀଙ୍କ ମା’ ଓ ବାପାଙ୍କୁ ଦୋକାନୀ କବଳରୁ ମୁକ୍ତ କରିବା ପାଇଁ ପୁଲିସ ପାଖକୁ କିଛି ଲୋକ ଫୋନ ମଧ୍ୟ କରିଥିଲେ। ଯାହାକୁ ପୁଲିସ ଅଣଦେଖା କରିଥିଲା। ସେ ଶାସକ ଦଳର ଲୋକ ହୋଇଥିବାରୁ ପୁଲିସ ତାଙ୍କୁ ହାତ ମାରିବା ପାଇଁ ଡରୁଥିବା ଚର୍ଚ୍ଚା ହେଉଛି।

ଏ ନେଇ ଆଇଆଇସି ସାବିତ୍ରୀ ବଳ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ଯେ, ୯ ତାରିଖ ଦିନ ଅଭିଯୁକ୍ତକୁ ଥାନାକୁ ଅଣାଯିବା ପରେ ତାଙ୍କୁ ଓ ତାଙ୍କ ମା’ ବାପାଙ୍କୁ ତୁରନ୍ତ ମୁଁ ଖାଇବାକୁ ଦେଇଥିଲି ଓ ଡାକ୍ତରଖାନାରେ ଭର୍ତ୍ତି କରିଥିଲି। ସେଠାରେ ଜଣେ ସଖୀ କର୍ମଚାରୀଙ୍କ ଉପସ୍ଥିତିରେ ଅସୁସ୍ଥ ଯୁବକର ମା’ଙ୍କ ବୟାନ ଅନୁଯାୟୀ ଦୋକାନୀଙ୍କ ନାମରେ ଏକ ମାମଲା ରୁଜୁ କରା ଯାଇଛି। ଆଇନ ଅନୁଯାୟୀ ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର