ଯଶିପୁର: ଯଶିପୁର ଥାନା ଅନ୍ତର୍ଗତ ସାନଶିଆଳିନଈ ଗ୍ରାମ୍ୟ ଜଙ୍ଗଲ ବନ୍ଧହୁଡ଼ାରେ ଗତ ୨୪ ତାରିଖ ଦିନ ରହସ୍ୟଜନକ ଭାବେ ଅଧାପୋଡ଼ା ମୃତଦେହ ମିଳିବା ଘଟଣାର ଯଶିପୁର ପୁଲିସକୁ ସୁରାକ ମିଳିଛି। ମୟୂରଭଞ୍ଜ ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶକ୍ରମେ କରଞ୍ଜିଆ ଉପଖଣ୍ଡ ପୁଲିସ ଅଧିକାରୀ ସୁଦର୍ଶନ ଗାଙ୍ଗୋଇ, ଯଶିପୁର ଥାନାଧିକାରୀ କ୍ଷମାସାଗର ପଣ୍ଡା, କରଞ୍ଜିଆ ଥାନାଧିକାରୀ ରଞ୍ଜନ ସେଠୀ ଘଟଣାସ୍ଥଳରୁ ଅଧାପୋଡା ହାଡ଼, ମାଂସ ଓ ପାଉଁଶ ଜବତ କରି ତଦନ୍ତ ଆରମ୍ଭ କରିବା ସହ ସାଇଣ୍ଟିଫିକ୍ ଟିମ୍ ଜରିଆରେ ଛାନ୍ଭିନ୍ ଆରମ୍ଭ କରିଥିଲା। ଘଟଣାଦିନ ଏହି ମୃତଦେହ ମଣିଷର କି ଜୀବଯନ୍ତୁର ଜଣାପଡ଼ି ନଥିଲା। ନମୁନା ଯାଞ୍ଚ ପାଇଁ ପିଆର୍ଏମ୍ ମେଡିକାଲ କଲେଜକୁ ପଠାଯାଇଥିଲା। ଉଦ୍ଧାର ସ୍ଥାନରେ ଟାୟାର ଦ୍ୱାରା ପୋଡ଼ା ଯାଇଥିବାରୁ ବିଭିନ୍ନ ଟାୟାର ଦୋକାନୀଙ୍କ ସୂଚନା ଓ ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ ଆରମ୍ଭ କରିଥିଲା ପୁଲିସ।
ପ୍ରାଥମିକ ତଦନ୍ତରୁ କିଛି ସୁରାକ ପାଇ ବିଭିନ୍ନ ସ୍ଥାନରେ ପୁଲିସ ଚଢ଼ଉ କରିବା ପରେ ରହସ୍ୟ ଉନ୍ମୋଚନ ହୋଇଥିଲା। ଘଟଣା ଦିନ ଏକ ସଫାରି ଗାଡ଼ିରେ କେନ୍ଦୁଝର ଜିଲ୍ଲା ରାଙ୍କି ଗାଁରୁ ଆଦିତ୍ୟ ନାରାୟଣ ସ୍ବାଇଁ (୨୬)ନାମକ ଜଣେ ଯୁବକଙ୍କୁ ନିଶାନିବାରଣ କେନ୍ଦ୍ର ବାରିପଦାକୁ ଆଣିବା ରାସ୍ତାରେ ପିଟିପିଟି ହତ୍ୟା କରି ସାନଶିଆଳିନଈ ଗ୍ରାମ୍ୟ ଜଙ୍ଗଲ ନିକଟରେ ଥିବା ଏକ ବନ୍ଧହିଡ଼ରେ ଟାୟାର ଜାଳି ପୋଡ଼ି ଦେଇଥିଲେ ଦୁର୍ବୃତ୍ତ।
ଏହା ଜଣାପଡ଼ିବା ପରେ କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅଞ୍ଚଳର ସୌରଭ ପଲେଇ (୨୭) ଓ କେନ୍ଦୁଝର ଟାଉନ ଥାନା ଅଞ୍ଚଳର ବବଲୁ ପାଢ଼ୀ(୨୮)କୁ ପୁଲିସ ଗିରଫ କରିବା ସହିତ ବ୍ୟବହୃତ ଗାଡ଼ିକୁ ଜବତ କରିଥିଲା। ମୟୂରଭଞ୍ଜ ଆରକ୍ଷୀ ଅଧୀକ୍ଷକ ଋଷିକେଶ ଦ୍ୟାନଦେଓ ଖିଲାରୀ ଘଟଣାର କ୍ରାଇମ ରିକ୍ରିଏସନ କରାଇବା ସହିତ ସାଇଣ୍ଟିଫିକ୍ ଟିମ୍ ଦ୍ୱାରା ତଦନ୍ତ କରିଥିଲେ। ତଦନ୍ତରୁ ଅଭିଯୁକ୍ତ ଦୁଇ ଯୁବକ ଆଦିତ୍ୟଙ୍କୁ ହାତଗୋଡ଼ ବାନ୍ଧି ପିଟିପିଟି ଗାଡ଼ି ଭିତରକୁ ଫିଙ୍ଗି ଦେଇଥିଲେ। କିଛି ସମୟ ପରେ ତାର ମୃତ୍ୟୁ ହୋଇଥିବା ଜାଣି ଟାୟାର ଦୋକାନରୁ ପୁରୁଣା ଟାୟାର କିଣି ତାକୁ ପୋଡ଼ି ଦେଇଥିବା ପୁଲିସ ନିକଟରେ ସ୍ୱୀକାର କରିଛନ୍ତି।
ଅପରପକ୍ଷେ ପୁଅକୁ ଅପହରଣ କରି ଶରୀରର କିଛି ଅଙ୍ଗ ବିକ୍ରି କରିବା ପରେ ପ୍ରମାଣ ନଷ୍ଟ କରିବା ପାଇଁ ତାକୁ ପୋଡ଼ି ଦେଇଥିବା ପୁଲିସ ନିକଟରେ ସଙ୍ଗିନ ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର। ତେବେ ଘଟଣାର ଅଧିକ ତଦନ୍ତ ପରେ ସମ୍ପୂର୍ଣ୍ଣ ତଥ୍ୟ ପଦାକୁ ଆସିବ ବୋଲି ପୁଲିସ କହିଛି।