ରାସ୍ତାକଡ଼ରେ ପଡ଼ିଥିଲେ ଯୁବକ, ପାଖରେ ଥିଲା ୭ଶହ ଗ୍ରାମ୍‌ ସୁନା, ୪.୫ ଲକ୍ଷ ଟଙ୍କା

ଚଣ୍ଡିଖୋଲ: ଚଣ୍ଡିଖୋଲ ଛକ ରାସ୍ତାକଡ଼ରେ ସଂଜ୍ଞାହୀନ ଅବସ୍ଥାରେ ପଡ଼ିରହିଥିଲେ ଜଣେ ନିଶାସକ୍ତ ବ୍ୟକ୍ତି। ତାଙ୍କ ପାଖରେ ଥିଲା ନଗଦ ସାଢ଼େ ୪ ଲକ୍ଷ ଟଙ୍କା ଓ ୭୦୦ ଗ୍ରାମ୍‌ ସୁନା ଅଳଙ୍କାର, ଯାହାର ମୂଲ୍ୟ ପ୍ରାୟ ୪୦ ଲକ୍ଷ ଟଙ୍କା। ପୁଲିସ ପାଟ୍ରୋଲିଂ ଦଳ ତାଙ୍କୁ ଉଦ୍ଧାର କରିଥିଲେ। ପରେ ସୁନା ଦୋକାନ ମାଲିକଙ୍କୁ ଡାକି ସବୁ ଅଳଙ୍କାର ଏବଂ ଟଙ୍କା ଫେରାଇଛି ପୁଲିସ। ପୁଲିସ ବାବୁଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

ଗତକାଲି ରାତି ପ୍ରାୟ ୧୦ ଟାରେ ପାଟ୍ରୋଲିଂ କରୁଥିଲେ ଚଣ୍ଡିଖୋଲ ଫାଣ୍ଡି ଅଧିକାରୀ ଚିତ୍ତରଞ୍ଜନ ଜେନା ଓ ଅନ୍ୟ କର୍ମଚାରୀ। ଏହି ସମୟରେ ରାସ୍ତାକଡ଼ରେ ପଡ଼ିଥିବା ଯୁବକଙ୍କୁ ଉଦ୍ଧାର କରିଥିଲେ। ଯୁବକଜଣକ ନିଶାସକ୍ତ ଥିବା ସେମାନେ ଜାଣିବାକୁ ପାଇଥିଲେ। ତାଙ୍କ କାନ୍ଧରେ ଏକ ବଡ଼ ବ୍ୟାଗ୍‌ ଓ ଏକ ବାଇକ୍‌ ମଧ୍ୟ ପଡ଼ିଥିଲା। ବ୍ୟାଗ୍‌ ଭିତରେ ଯାହା ଥିଲା ତାହାକୁ ଦେଖି ପୁଲିସ ଅଧିକାରୀ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ବ୍ୟାଗ୍‌ ଭିତରେ ନଗଦ ୪ ଲକ୍ଷ ୫୦ ହଜାରରୁ ଅଧିକ ଟଙ୍କା ସହିତ ସେଥିରେ ୭୦୦ ଗ୍ରାମ୍‌ ସୁନାଅଳଙ୍କାର ରହିଥିଲା। ଏହାର ମୂଲ୍ୟ ୪୦ ଲକ୍ଷରୁ ଅଧିକ ଟଙ୍କା ହେବ। ଯୁବକଙ୍କ ଚେତା ଫେରିବା ପରେ ପୁଲିସ ତାଙ୍କଠାରୁ ସମସ୍ତ ତଥ୍ୟ ସଂଗ୍ରହ କରିଥିଲା।

ତାଙ୍କ ନାମ ଭରତ କୁମାର ପୁରୋହିତ (୩୫)। ତାଙ୍କ ମୂଳ ଘର ରାଜସ୍ଥାନ ହୋଇଥିଲେ ମଧ୍ୟ ସେ ଦୀର୍ଘ ବର୍ଷ ହେବ ତାଙ୍କର ଜଣେ ସମ୍ପର୍କୀୟ କଟକର ସୁନା ବ୍ୟବସାୟୀ ଦେବେନ୍ଦ୍ର ପୁରୋହିତଙ୍କ ପାଖରେ ରହି କାର୍ଯ୍ୟ କରି ଆସୁଛନ୍ତି। ସେ ଗତକାଲି ଏକ ବାଇକ ଯୋଗେ ଯାଜପୁର ଜିଲ୍ଲାର ବିଭିନ୍ନ ସୁନାଦୋକାନକୁ ଯାଇ ବ୍ୟବସାୟ କଥା ବୁଝିବା ସହିତ ଅର୍ଥ ଆଦାୟ କରି କଟକ ଫେରୁଥିଲେ। ଚଣ୍ଡିଖୋଲ ଛକଠାରେ ଥିବା ଏକ ବିଦେଶୀ ମଦ ଦୋକାନରୁ ମଦ ପିଇବା ପରେ ସେ ବେହୋସ ହୋଇ ରାସ୍ତାକଡ଼ରେ ପଡ଼ିଯାଇଥିଲେ। ତାଙ୍କ କାନ୍ଧରେ ବ୍ୟାଗ୍‌ଟି ଝୁଲି ରହିଥିଲା। କେହି ତାଙ୍କ ପ୍ରତି ନଜର ମଧ୍ୟ ପକାଇ ନଥିଲେ। ତେଣୁ ଟଙ୍କା ଓ ସୁନା ସୁରକ୍ଷିତ ରହିଲା ବୋଲି ପୁଲିସ କହିଛି। ଖବରପାଇ ଅଳଙ୍କାର ବ୍ୟସାୟୀ ଦେବେନ୍ଦ୍ର ପୁରୋହିତ ଚଣ୍ଡିଖୋଲ ଫାଣ୍ଡିରେ ଆସି ପହଞ୍ଚି କର୍ମଚାରୀ ଭରତଙ୍କ ସହିତ ସମସ୍ତ ଟଙ୍କା ଓ ସୁନା ଅଳଙ୍କାର ନେଇ କଟକ ଫେରି ଯାଇଥିଲେ। ଯିବା ସମୟରେ ସେ ଚଣ୍ଡିଖୋଲ ଫାଣ୍ଡି ଅଧିକାରୀଙ୍କୁ ଉଚ୍ଚପ୍ରଶଂସା କରିଥିଲେ।

ସମ୍ବନ୍ଧିତ ଖବର