ନାବାଳିକା ହତ୍ୟା ଅଭିଯୋଗରେ ଯୁବକଙ୍କୁୂ ଆଜୀବନ କାରାଦଣ୍ତ

ରାଇରଙ୍ଗପୁର: ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଦୀପକ୍ କୁମାର ଆଜି ଜଣେ ନାବାଳିକା ହତ୍ୟା ମାମଲାର ଶୁଣାଣି କରି ଅଭିଯୁକ୍ତ ଜଣେ ଯୁବକଙ୍କୁ ଆଜୀବନ କାରାଦଣ୍ଡାଦେଶ ରାୟ ଶୁଣାଇଛନ୍ତି। ଏଥିସହ ୫ ହଜାର ଟଙ୍କା ଜରିମାନା ଏବଂ ଜରିମାନା ଅନାଦେୟ ୬ମାସ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ମାମଲା ବିବରଣୀରୁ ପ୍ରକାଶ,  ୬ ଜୁନ୍‌ ୨୦୨୦ ମସିହାରେ ଜାମଦା ଗ୍ରାମର ସୂରଜ ମହାକୁଡ଼(୨୨) ମାଛ ଧରିବା ପାଇଁ ଏକ ପଡ଼ିଆରୁ ଜିଆ ସଂଗ୍ରହ କରୁଥିଲା। ସେହି ସମୟରେ ଗ୍ରାମର ସସ୍ମିତା ମହାକୁଡ(୧୨) ବାରଣ କରିବାରୁ ସୁରଜ ଉତ୍‌କ୍ଷୀପ୍ତ ହୋଇ ସସ୍ମିତାଙ୍କୁ କୋଦାଳରେ ମୁଣ୍ତକୁଆକ୍ରମଣ କରିଥିଲା।

ଗୁରୁତର ଅବସ୍ଥାରେ ସସ୍ମିତାଙ୍କୁ ପ୍ରଥମେ ରାଇରଙ୍ଗପୁର ପରେ ବାରିପଦା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ସସ୍ମିତାଙ୍କ ମୃତ୍ୟୁ ଘଟିଥିଲା। ସସ୍ମିତାଙ୍କ ବାପାଙ୍କ ଅଭିଯୋଗ କ୍ରମେ ଜାମଦା କେସ୍‌ ନଂ ୨୭/୨୦ରେ ଏକ ହତ୍ୟା ମାମଲା ରୁଜୁ ହୋଇଥିଲା। ଆଜି ରାଇରଙ୍ଗପୁର କୋର୍ଟରେ ମାମଲାର ବିଚାର ଚାଲିଥିବାବେଳେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଦୀପକ୍ କୁମାର ପୁଲିସ ତଦନ୍ତ, ପାରିପାର୍ଶ୍ବିକ ଅବସ୍ଥା ଓ ୧୨ ଜଣ ସାକ୍ଷ୍ୟଙ୍କ ବୟାନକୁ ଭିତ୍ତିକରି ଅଭିଯୁକ୍ତ ସୁରଜକୁ ଆଜୀବନ କାରାଦଣ୍ତ ସହ ୫ ହଜାର ଟଙ୍କା ‌ଜରିମାନା ଆଦେଶ ଶୁଣାଇଛନ୍ତି। ଜରିମାନା ଅନାଦେୟ ୬ ମାସ କାରାଦଣ୍ତରେ ଦଣ୍ତିତ କରିଛନ୍ତି। ଉକ୍ତ ମାମଲାରେ ଏପିପି ପଙ୍କଜ ଦାସ ମାମଲା ଲଢ଼ୁଥିଲେ।

ସମ୍ବନ୍ଧିତ ଖବର