ଯୁବକଙ୍କୁ ତଣ୍ଟିକାଟି ହତ୍ୟା ଘଟଣା: ୧୦ ଗାଁର ଶତାଧିକ ହୋ’ ଜନଜାତିଙ୍କ ମେଳି

ହତ୍ୟାକାରୀ ପରିବାରକୁ ଗାଁରୁ ଉଚ୍ଛେଦ ପାଇଁ ଗ୍ରାମସଭାରେ ନିଷ୍ପତ୍ତି, ଥାନାରେ ଫେରାଦ ହୋଇ ଦାବି ଜଣାଇବାକୁ ସିଦ୍ଧାନ୍ତ

ଯଶିପୁର: ଯଶିପୁର ବ୍ଲକ ବାଉଁଶନାଳି ପଞ୍ଚାୟତ ଗେନ୍ତେଇସାହି ଗ୍ରାମର ବାସିନ୍ଦା ଧନେଶ୍ବର ଗୁଇଆ ହତ୍ୟାକାଣ୍ଡର ଭିନ୍ନ ମୋଡ଼ ନେବାକୁ ବସିଛି। ହତ୍ୟା ଅଭିଯୁକ୍ତ ସେହି ଗ୍ରାମର ପୀତାମ୍ବର ବେହେରା କୋର୍ଟ ଚାଲାଣ ପରେ ମଧ୍ୟ ଗ୍ରାମରେ ହତ୍ୟାକାଣ୍ଡକୁ ନେଇ ଉତ୍ତେଜନା ଥମିନାହିଁ। ହତ୍ୟା ଅଭିଯୁକ୍ତ ପରିବାରକୁ ଗ୍ରାମରୁ ବିତାଡ଼ିତ ପାଇଁ ଆଖପାଖ କୁସୁମୀ ଓ ରରୁଆଁ ବ୍ଲକ୍‌ରୁ ୧୦ ଗ୍ରାମର ସହସ୍ରାଧିକ ହୋ’ ଜନଜାତି ଲୋକଙ୍କ ପକ୍ଷରୁ ଆଜି ମେଳି କରାଯାଇ ଏକ ଜନସଭା ହୋଇଛି। ସଭାରେ ହତ୍ୟାର ଶିକାର ଧନେଶ୍ବରଙ୍କ ବିଧବା ପତ୍ନୀ ସୁବୁନି ଗୁଇଆ ସମେତ ୪ ନାବାଳକ ଶିଶୁ ଉପସ୍ଥିତ ରହି ସେମାନଙ୍କ ଦୁର୍ଦ୍ଦଶା ବର୍ଣ୍ଣନା କରିଥିଲେ। ହତ୍ୟାକାଣ୍ଡ ପରେ ଗ୍ରାମବାସୀ ଏହି ବେସାହାରା ପରିବାରକୁ ଚାନ୍ଦା କରି ଚାଉଳ ଆଉ ଚଳିବାକୁ କିଛି ଟଙ୍କା ସହାୟତା କରିଥିଲେ। ଆଜି ସଭାରେ ଆଲୋଚନାକ୍ରମେ ହତ୍ୟାକାରୀ ପୀତାମ୍ବର ବେହେରାଙ୍କ ପରିବାର ପାଇଁ ଗ୍ରାମରେ ଅଶାନ୍ତି ବଢିବାରେ ଲାଗିଛି।

ଗ୍ରାମର ବୟୋଜ୍ୟେଷ୍ଠ ହାମ୍ବିରା ସିଙ୍କୁ ଦର୍ଶାଇଥିଲେ ୨୦ ବର୍ଷ ତଳେ ଅଭିଯୁକ୍ତ ପୀତାମ୍ବରଙ୍କ ପିତା ମାଧବଙ୍କୁ ପାଖ ଗାଁ ବଲାଣପୋଷିରୁ ଖପର ଗଢ଼ିବା କାମ ପାଇଁ ଡାକି ଆଣି ଗାଁରେ ରହିବା ପାଇଁ ସ୍ଥାନ ଦେଇଥିଲେ। ମାତ୍ର ଏହି ପରିବାର ଗ୍ରାମରେ ବହୁ ଅଶାନ୍ତିର କାରଣ ସାଜି ଶେଷରେ ହତ୍ୟାକାଣ୍ଡ ଘଟଣା ଭିଆଇଛନ୍ତି। ପୀତାମ୍ବର ଏହା ପୂର୍ବରୁ ଗ୍ରାମବାସୀଙ୍କ ଛେଳି, ବଳଦ, ମୋବାଇଲ ଆଦି ଚୋରି କରି ଧରା ପଡ଼ିଥିଲେ ମଧ୍ୟ ଗ୍ରାମସଭାରେ କ୍ଷମା ମାଗି ନିଜକୁ ରକ୍ଷା କରିଛନ୍ତି। ୫ ବର୍ଷ ତଳେ ପୀତାମ୍ବର ଧନେଶ୍ବରଙ୍କ ନାମରେ ମଞ୍ଜୁର ହୋଇଥିବା ଆବାସ ଗୃହ ନିର୍ମାଣ ଦାୟିତ୍ବ ନେଇ ସଂପୂର୍ଣ୍ଣ କରି ପାରି ନଥିଲା। ଝlରବେଡ଼ା ପୋଷ୍ଟ ଅଫିସରୁ କୌଶଳ କରି ଏଟିଏମ୍ ମାଧ୍ୟମରେ ଆବାସ ବାବଦ ଟଙ୍କା ଉଠାଇ ନେଇ ଧନେଶ୍ବରଙ୍କୁ ଟଙ୍କା ଟିଏ ମଧ୍ୟ ଦେଇ ନ ଥିଲା। ଚଳିତ ମାସ ୩ ତାରିଖରେ ଧନେଶ୍ୱର ଭଦ୍ରକରେ ଦୁଇମାସ ମିସ୍ତ୍ରୀ କାମ କରି ୩୦ ହଜାର ଟଙ୍କା ଧରି ଆସିବା ପରେ ଏହି ଟଙ୍କା ହଡ଼ପ ଉଦ୍ଦେଶ୍ୟରେ ପୀତାମ୍ବର ହତ୍ୟାକାଣ୍ଡ କରିଥିଲା। ପୁଲିସ ଦ୍ବାରା ତଦନ୍ତ ବେଳେ ଗ୍ରାମବାସୀଙ୍କୁ ଧମକ ଦେଇ ଛୋଟ ଛୁଆ ସମେତ ଆହୁରି ବହୁ ମୁଣ୍ଡ ନେବ ବୋଲି କହିଥିବା ଗ୍ରାମବାସୀ ସଭାରେ ପ୍ରକାଶ କରିଥିଲେ।

ଏଭଳି ପରିବାରକୁ ଗ୍ରାମରେ  ଆଉ ରହିବାକୁ ଦେବେ ନାହିଁ ବୋଲି ଗ୍ରାମବାସୀ ନିଷ୍ପତ୍ତି ନେଇଥିଲେ। ଆଜି ଟାଙ୍ଗୁରୁ ସାହି, ରାମ ସାହି , ଝିପl ବନ୍ଧ, ମଣ୍ଡାମ, କୁଦାଳି ଦୁହା, ସରଜାମୋଗଡା, ବଡ଼ହାତନାବେଢା, ଧଡ଼ିଚୁଆ, ବାରୁ ସାହି, ବାଟି ସାହି, ବାସାଘୁଟୁ, ରାଉତଳା ଆଦି ୧୦ଟି ଗ୍ରାମର ଲୋକେ ମିଳିତ ସଭା କରୁଥିବାବେଳେ ଖବର ପାଇ ଅଘଟଣ ଘଟିବା ଆଗରୁ ସରପଞ୍ଚ ସମୀର ନାଏକ, ସମିତି ସଭ୍ୟ ସଞ୍ଜିତ ମହାନ୍ତ,  ସମାଜସେବୀ ଜଗବନ୍ଧୁ ନାଏକ ସଭାସ୍ଥଳୀରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଆଇନକୁ ହାତକୁ ନ ନେଇ ପ୍ରଶାସନ ଓ ପୁଲିସକୁ ସହଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ। ଶେଷରେ ଗ୍ରାମବାସୀ ଥାନା ଓ ତହସିଲ୍ ଅଫିସରେ ଫେରାଦ ହେବେ ଓ ଗ୍ରାମରୁ ହତ୍ୟା ଅଭିଯୁକ୍ତଙ୍କ ପରିବାରକୁ ତାଙ୍କ ପୂର୍ବ ଗ୍ରାମକୁ ପ୍ରତ୍ୟାବର୍ତ୍ତନ ପାଇଁ ଦାବି କରିବେ ବୋଲି ନିଷ୍ପତ୍ତି ନିଆଯାଇଥିଲା। ସଭା ଚାଲିଥିବା ଖବର ପାଇ ପୀତାମ୍ବରଙ୍କ ଭାଇ ଓ ବାପା ଘର ଛାଡ଼ି କୁଆଡେ ଚାଲି ଯାଇଥିବା ବେଳେ କେବଳ ଘରେ ମହିଳାମାନେ ରହିଥିବା ଦେଖିବାକୁ ମିଳିଥିଲା। ତେବେ ଏହି ହତ୍ୟାକାଣ୍ଡକୁ ନେଇ ଗ୍ରାମରେ ଉଗ୍ର ରୂପ ଧାରଣ କରିବା ଆଶଙ୍କା କରାଯାଉଥିବାବେଳେ ଜିଲ୍ଲା ପ୍ରଶାସନ ଓ ପୁଲିସ ହସ୍ତକ୍ଷେପ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

ସମ୍ବନ୍ଧିତ ଖବର