ଦୁର୍ଘଟଣାରେ ଯୁବକଙ୍କ ହାତ କଟିଲା

କଳାବାଡ଼ିଆ: ଗତକାଲି ବାଙ୍ଗିରିପୋଷି ଥାନା ଅଧୀନ ଗୋଲାମୁଣ୍ଡାକଟା ପଞ୍ଚାୟତ ନୂଆବସାଣ ଶ୍ରୀକୃଷ୍ଣରାୟ ମନ୍ଦିର ନିକଟସ୍ଥ ବାଙ୍କରେ ଧାନ ଆଣିବାକୁ ଯାଉଥିବା ଏକ ପିକ୍‌ଅପ୍‌ ଭ୍ୟାନ୍ ଓଲଟି ପଡ଼ିବାରୁ ୫ ଜଣ ଶ୍ରମିକ ଗୁରୁତର ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ କଳାବାଡ଼ିଆ ପଞ୍ଚାୟତ କେନ୍ଦୁଡ଼ିହା ଗ୍ରାମର ସ୍ବର୍ଗତ ଉଚ୍ଛବ ସିଂଙ୍କ ସାନପୁଅ ଟିକି (୨୮)ଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା। ସେ ଗାଡ଼ିରୁ ଛିଟିକି ପଡ଼ି ରାସ୍ତାକଡ଼ରେ ଥିବା କଂକ୍ରିଟ୍‌ ସୂଚନାଫଳ‌କରେ ଏତେ ଜୋର୍‌ରେ ବାଡ଼େଇ ହୋଇଥିଲେ ଯେ ତାଙ୍କ ବାମହାତଟି ସମ୍ପୂର୍ଣ୍ଣ କଟିଯାଇ କିଛି ଦୂରରେ ପଡ଼ିଥିଲା।

ଆଧୁନିକ ଚିକିତ୍ସା ପଦ୍ଧତିରେ ଏବେ କଟାହାତକୁ ଡାକ୍ତରମାନେ ପୁନଶ୍ଚ ଯୋଡ଼ି ଦେଉଥିବା ବେଳେ କଟାହାତ ସହ ଟିକିଙ୍କୁ ପ୍ରଥମେ ବାରିପଦା ମୁଖ୍ୟ ଡାକ୍ତରଖାନା ନିଆଯାଇଥିଲା। ତେବେ ଏଠାରେ ଅସ୍ତ୍ରୋପଚାର ସମ୍ଭବ ନଥିଲା। ତେଣୁ ତାଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଏକ ଡାକ୍ତରୀ ଦଳ ଅସ୍ତ୍ରୋପଚାର ପାଇଁ ପସ୍ତୁତ ହୋଇ ରହିଥିଲା। ଟିକିଙ୍କ ଚିକିତ୍ସା ପାଇଁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ସ୍ଥାନୀୟ ବିଧାୟକ ସୁଦାମ ମାର୍ଣ୍ଡି ମଧ୍ୟ ଘୋଷଣା କରିଥିଲେ। ହେଲେ ଦୁର୍ଘଟଣା ଘଟିବାର ପ୍ରାୟ ୮ ଘଣ୍ଟା ବିଳମ୍ବରେ କଟା ହାତଟି ପହଞ୍ଚିଥିବାରୁ ହାତର ଟିସୁଗୁଡ଼ିକ ନଷ୍ଟ ହୋଇ ରକ୍ତ ଜମାଟ ବାନ୍ଧିଯାଇଥିବାରୁ ଅସ୍ତ୍ରୋପଚାର ସମ୍ଭବ ହୋଇ ନଥିଲା। ଫଳରେ ସବୁଦିନ ପାଇଁ ଗୋଟିଏ ହାତ ହରାଇଲେ ଟିକି। ଏପଟେ ଏହି ଖବର ପାଇବା ପରେ ଦୁଃଖରେ ଭାଙ୍ଗି ପଡ଼ିଛି ତାଙ୍କ ପରିବାର।

ସୂଚନାଯୋଗ୍ୟ; କାମ କରିବାକୁ ଦକ୍ଷିଣ ଭାରତ ଯାଇଥିବା ବେଳେ କନ୍ୟାକୁମାରୀର ଜଣେ ଯୁବତୀଙ୍କୁ ପ୍ରେମ ବିବାହ କରିଥିଲେ ଟିକି। ଏହା ପରେ ଗାଁକୁ ଆସି ଦିନମଜୁରିଆ ଭାବେ କାମ କରୁଥିଲେ। ତାଙ୍କର ଦୁଇଟି ସନ୍ତାନ ଅଛନ୍ତି। ତାଙ୍କ ରୋଜଗାର ଉପରେ ସାରା ପରିବାର ନିର୍ଭର କରେ। ହେଲେ ଏବେ ସେ ଦିବ୍ୟାଙ୍ଗ ପାଲଟିଯିବା ପରେ ପରିବାର କେମିତି ଚଳିବ ବୋଲି ଭାବି ସଦସ୍ୟମାନେ ଆଖିରୁ ଲୁହ ଗଡ଼ାଉଛନ୍ତି।

ସମ୍ବନ୍ଧିତ ଖବର