ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବଜାରରେ ଆଜି ଜଣେ ଯୁବକ ସାଙ୍ଗରେ ଏକ ଗୁଳିଭର୍ତ୍ତି ବନ୍ଧୁକ ଧରି ଯାଉଥିବା ବେଳେ ଅସାବଧାନତାରୁ ସେଥିରୁ ଗୁଳିଫୁଟି ପାପୁଲିର ଏକ ବଡ଼ ଅଂଶ ଖଣ୍ଡବିଖଣ୍ଡିତ ହୋଇ ଉଡ଼ିଯାଇଛି। ଗୁରୁତର ଯୁବକ ଜଣକ ହେଲେ କୋଟଗଡ଼ ଥାନା ଅନ୍ତର୍ଗତ ରଡ଼ା ଗ୍ରାମର ଏଲିଅ ସୁନାମାଝୀ(୨୦)। ପୁଲିସ ଘଟଣାସ୍ଥଳରେ ପହଞ୍ଚି ବନ୍ଧୁକ ଜବତ କରିବା ସହ ଗୁରୁତର ଏଲିଅଙ୍କୁ ଦାରିଙ୍ଗବାଡ଼ି ମେଡିକାଲରେ ଭର୍ତ୍ତି କରିଥିଲେ। ପରେ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାରେ ପୁଲିସ କେସ୍ ନଂ ୧୯୮/୨୨ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି।
ସୂଚନା ପ୍ରକାରେ, ଏଲିଅ କୌଣସି କାମରେ ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ପେତରବାଡ଼ି ଗ୍ରାମକୁ ଯାଇଥିବା ବେଳେ ବନ୍ଧୁକକୁ ଏକ ବ୍ୟାଗ୍ରେ ଲୁଚାଇ ଧରିଥିଲେ। ଦାରିଙ୍ଗବାଡ଼ି ବଜାରରୁ ବ୍ଲକ୍ ଅଫିସ ରୋଡ଼ ମଧ୍ୟରେ ଅସାବଧାନତାରୁ ହଠାତ୍ ବନ୍ଧୁକରୁ ଜୋର ଶବ୍ଦକରି ଗୁଳି ଫୁଟିଥିଲା। ଶବ୍ଦ ଶୁଣି ବଜାରର ଲୋକମାନେ ଘଟଣାସ୍ଥଳକୁ ଦୌଡ଼ିଥିଲେ। ଏଲିଅ ତଳେ ପଡ଼ି ଯନ୍ତ୍ରଣାରେ ଛଟପଟ ହେଉଥିଲେ। ତୁରନ୍ତ ସ୍ଥାନୀୟ ଲୋକେ ଏ ନେଇ ପୁଲିସକୁ ସୂଚନା ଦେଇଥିଲେ।