ଭୁବନେଶ୍ବର: ଠକ ଯୋଡ଼ି ହଂସିତା-ଅନୀଲ୍‌ ଗିରଫ ମାମଲାରେ କମିସନରେଟ୍‌ ପୁଲିସ ପଛକୁ ପଛ ନୂଆ ମାମଲା ଯୋଡ଼ିବାରେ ଲାଗିଛି। ଗୋଟିଏ ପଟେ କୋର୍ଟରେ ହଂସିତାଙ୍କ ଜାମିନ ଆବେଦନର ଶୁଣାଣି ଚାଲିଛି, ଅନ୍ୟ ପଟେ ପୁଲିସ ତାଙ୍କ ବିରୋଧରେ ମାମଲା ସଂଖ୍ୟା ବଢ଼ାଇବାରେ ଲାଗିଛି। ସେମାନଙ୍କ ମହାଠକେଇର ଭାନୁମତି ପେଡ଼ିରୁ ମିଳୁଥିବା ତଥ୍ୟ ଆଧାରରେ ଆଜି ତୃତୀୟ ମାମଲା ରୁଜୁ ହୋଇଛି। ଯୁବତୀ ଚାଲାଣ ଭଳି ସଂଗିନ୍‌ ଦଫା ଲାଗିଛି। ବିଭିନ୍ନ ଦାମୀ ଏସ୍‌କର୍ଟ ସଂସ୍ଥାରୁ କଲ୍‌ଗାର୍ଲ ଭଡ଼ାରେ ନେଉଥିବା ପ୍ରମାଣ ପାଇବା ପରେ ପୁଲିସ ତୃତୀୟ ମାମଲା ରୁଜୁ କରିଛି। ଏହି ମାମଲାରେ ଯୁବତୀ ଚାଲାଣ ବା ଇମୋରାଲ୍‌ ଟ୍ରାଫିକିଂ ଆକ୍ଟ-୫, ଆଇଟି ଆକ୍ଟ-୬୭ ଓ ୧୨୦(ବି) ଭଳି ସଂଗିନ୍‌ ଦଫା ଲାଗିଛି। ଏହି ମାମଲା ଉଭୟ ହଂସିତା ଓ ଅନୀଲ୍‌ଙ୍କ ବିରୋଧରେ ହୋଇଛି ବୋଲି ପୁଲିସ ସୂଚନା ଦେଇଛି। କମିସନରେଟ୍‌ ପୁଲିସର ସ୍ପେସାଲ୍‌ କ୍ରାଇମ୍‌ ୟୁନିଟ୍‌ ଇନ୍‌ସ୍ପେକ୍ଟର ମାନସ ସ୍ବାଇଁ ନିଜ ଆଡ଼ୁ ଏହି ମାମଲା କରିଛନ୍ତି।

Advertisment

ହଂସିତାଙ୍କ ମୋବାଇଲ୍‌ ଫୋନ୍‌ ଖୋଳତାଡ଼ରୁ ମିଳିଛି ଏଭଳି ଅଭିଯୋଗର ସୂଚନା। ସେ ବିଭିନ୍ନ ଅନ୍‌ଲାଇନ୍‌ ଏସ୍‌କର୍ଟ ସଂସ୍ଥା ଲିଙ୍କ୍‌ରେ ଥିବା ତଦନ୍ତକାରୀ ଟିମ୍ ହାତରେ ପ୍ରମାଣ ଲାଗିଛି। ହଂସିତା ଓ ଅନୀଲ୍‌ ଉକ୍ତ ସଂସ୍ଥାମାନଙ୍କଠାରୁ କଲ୍‌ଗାର୍ଲମାନଙ୍କୁ ଭଡ଼ାରେ ଆଣିଥିବା ଜଣା‌ପଡ଼ିଛି। ସେମାନଙ୍କ ମୋବାଇଲ୍‌ ଚାର୍ଟିଂ,  ଅନ୍‌ଲାଇନ୍‌ ଏସ୍‌କର୍ଟ ସଂସ୍ଥାରୁ କଲ୍‌ଗାର୍ଲ ବୁକିଂ ଭଳି ତଥ୍ୟ ମିଳିଛି। ସେମାନଙ୍କ ମୋବାଇଲ୍‌ରେ ବହୁ କଲ୍‌ଗାର୍ଲଙ୍କ ଫଟୋ ମିଳିଛି। ଏସ୍‌କର୍ଟ ସଂସ୍ଥାରୁ କଲ୍‌ଗାର୍ଲଙ୍କୁ ଭଡ଼ାରେ ଆଣି ସେମାନଙ୍କୁ   ବଡ଼ବଡ଼ ପାର୍ଟିରେ ବ୍ୟବହାର କରୁଥିବା ନେଇ ପୁଲିସକୁ ପ୍ରମାଣ ମିଳିଛି। ଏହି କଲ୍‌ଗାର୍ଲମାନେ ଝାଡ଼ଖଣ୍ଡ, ବେଙ୍ଗାଲୁରୁ ଓ ଦିଲ୍ଲୀରୁ ଆସୁଥିବା ଜଣାପଡ଼ିଛି। ପୁଲିସ ସୂଚନାନୁସାରେ ନିକଟରେ ଇନ୍‌ଫୋସିଟି ଥାନା ଅଞ୍ଚଳରେ ଅନୀଲ୍‌ଙ୍କ ଦ୍ବାରା ଆୟୋଜିତ ଏକ ଭବ୍ୟ ପାର୍ଟିରେ ୧୦ରୁ ଅଧିକ ରଷିଆନ୍‌ ସୁନ୍ଦରୀଙ୍କୁ ସାମିଲ କରାଯାଇଥିଲା। ଏମିତି ବିଭିନ୍ନ ସମୟରେ ସେମାନେ କଲ୍‌ଗାର୍ଲମାନଙ୍କୁ ଭଡ଼ାରେ ଆଣୁଥିବା ମଧ୍ୟ ଜଣାପଡ଼ିଛି। ଏସ୍‌କର୍ଟ ଏଜେନ୍‌ସିମାନଙ୍କଠାରୁ ଭଡ଼ାରେ ଆସୁଥିବା ଏହି କଲ୍‌ଗାର୍ଲମାନେ ବଡ଼ବଡ଼ିଆଙ୍କୁ ଆପ୍ୟାୟିତ କରିବା ପାଇଁ ନିୟୋଜିତ ହେଉଥିଲେ ବୋଲି ପୁଲିସର ସନ୍ଦେହ ହୋଇଛି। ଠକ ଯୋଡ଼ି ହଂସିତା-ଅନୀଲ୍‌ ଯେଉଁ ବ୍ୟବସାୟ କରୁଥିଲେ, ସେଥିରେ ବଡ଼ବଡ଼ିଆଙ୍କୁ ଖୁସି କରିବା ଲାଗି ‌ହଂସିତା ଏଭଳି ବ୍ୟବସ୍ଥା କରିଥିବା ନେଇ ପୁଲିସ ସନ୍ଦେହ କରିଛି। ବିଭିନ୍ନ କର୍ପୋରେଟ୍‌ ସଂସ୍ଥାରୁ ସିଏସ୍‌ଆର୍‌ ପାଣ୍ଠି ହାତେଇବା, ଖଣି ବେପାର, ଠିକାଦାରୀ ଆଦି ବ୍ୟବସାୟ ପାଇଁ ସେମାନେ କଲ୍‌ଗାର୍ଲଙ୍କୁ ବ୍ୟବହାର କରୁଥିଲେ ବୋଲି ପୁଲିସ ଜାଣିବାକୁ ପାଇଛି। ବଡ଼ କଥା ହେଉଛି, ନିକଟରେ ଆୟକର ବିଭାଗ ଯେଉଁ ୭ ଠିକାଦାରଙ୍କ ଘରେ ଚଢ଼ଉ କରିଛି, ସେମାନଙ୍କ ମଧ୍ୟରୁ ଜଣେ ହଂସିତାଙ୍କ ଲିଙ୍କ୍‌ରେ ଥିବା ଜଣାପଡ଼ିଛି। ସେହି ଠିକାଦାରଙ୍କ ମାଧ୍ୟମରେ ହଂସିତା ତାଙ୍କ କଳା ସାମ୍ରାଜ୍ୟ ବିସ୍ତାର କରିଚାଲିଥିଲେ ବୋଲି ସୂଚନା ମିଳିଛି।