ସୁନ୍ଦରଗଡ଼ର ଯୁବକ ଯୁବତୀ କ’ଣ ସତରେ ଅଯୋଗ୍ୟ ! ଶିଳ୍ପରୁ ବିକାଶ ପ୍ରକଳ୍ପ ଯାଏ ବାହାର ଲୋକଙ୍କୁ ନିଯୁକ୍ତି

ଜିଲ୍ଲାର ବେରୋଜଗାରଙ୍କ ଭାଗ୍ୟରେ ଦାଦନ ଲେଖା, ଲୋକ ପ୍ରତିନିଧିଙ୍କ  ସ୍ବର ଉଠିବ କେବେ

ସୁନ୍ଦରଗଡ଼: ଓଡ଼ିଶାର ଜିଲ୍ଲା ତାଲିକାର ସବା ତଳେ ରହିଛି  ଆଦିବାସୀ ଅଧ୍ୟୁସିତ ସୁନ୍ଦରଗଡ଼ । କେବଳ ତାଲିକାରେ ତଳେ ରହିଛି ତାହା ନୁହେଁ, ବିକାଶରେ ବି ଜିଲ୍ଲା ପଛରେ। କର୍ମନିଯୁକ୍ତି, ରୋଜଗାର ଅଭାବ ମଧ୍ୟରେ ଅପହଞ୍ଚ ହୋଇ ରହିଥିବା ଏଠାକାର ଗ୍ରାମାଞ୍ଚଳର ଲୋକଙ୍କ ଜୀବନ ଧାରଣର ମାନ ଶୋଚନୀୟ। ତେବେ ଜିଲ୍ଲାରେ  ନିଯୁକ୍ତି ବା ରୋଜଗାର ପାଇଁ ଭିତ୍ତିଭୂମି କି ଅର୍ଥର ଅଭାବ ରହିଛି, ତାହା ବି ନୁହେଁ। ଗୋଟିଏ ପଟେ ହଜାର ହଜାର କୋଟିର କୋଇଲା, ଲୁହାପଥର, ମାଙ୍ଗାନିଜ ଖଣି ଓ  ଶିଳ୍ପାନୁଷ୍ଠାନ।

ଅନ୍ୟପଟେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ) ଓ ଓଡ଼ିଶା ଖଣି କ୍ଷେତ୍ରାଞ୍ଚଳ ଉନ୍ନୟନ ନିଗମ (ଓମବାଡସି)ର ବିପୁଳ ସମ୍ପତ୍ତି। ଏଥିରେ ଜିଲ୍ଲାର ଶିକ୍ଷିତ ତଥା ଖଣି ପ୍ରଭାବିତ ଯୁବକଯୁବତୀଙ୍କ ପାଇଁ ନିଯୁକ୍ତି ବା ରୋଜଗାରର  ପର୍ଯ୍ୟାପ୍ତ ଓ ଅଗ୍ର ସୁଯୋଗ ରହିବା କଥା।  କିନ୍ତୁ ବିଡ଼ମ୍ବନା, ଏଥିରୁ ସ୍ଥାନୀୟ ଯୁବବର୍ଗକୁ  ବଞ୍ଚିତ କରାଯାଇଛି। ଖଣି ଶିଳ୍ପ ହେଉ କି ବିକାଶମୂଳକ ପ୍ରକଳ୍ପ ବା ଯୋଜନା ହେଉ ସବୁଠି ମାଡ଼ି ବସିଛନ୍ତି ବାହାର ରାଜ୍ୟ ବା ଜିଲ୍ଲାର ଲୋକ। ଏହା ପଛର ଏକ ବଡ଼ କାରଣ ଭାବେ ଚର୍ଚ୍ଚା ହୁଏ ଯେ, ଅତ୍ୟାଧୁନିକ ବୈଷୟିକ ଜ୍ଞାନ କୌଶଳ ଓ ଦ୍ରୁତ ବିକାଶ ପାଇଁ କୁଆଡ଼େ   ସ୍ଥାନୀୟ ପାଠୁଆଙ୍କ ଦକ୍ଷତା ନାହିଁ।  ପ୍ରାଶାସନିକ କାରସାଦି ଓ ସ୍ଥାନୀୟ ନେତୃତ୍ବର ଉଦାସୀନତା କାରଣରୁ   ଘର ମୁହଁରେ କୋଟି କୋଟିର ପ୍ରକଳ୍ପ, ଯୋଜନା କାର୍ଯ୍ୟକାରୀ ହେଉଥିଲେ ମଧ୍ୟ ଜିଲ୍ଲାର ଶହ ଶହ ପାଠୁଆ ଯୁବକଯୁବତୀଙ୍କ ହାତରେ ନିଯୁକ୍ତି ନାହିଁ କି ରୋଜଗାର ନାହିଁ। ତେଣୁ ରୋଜଗାର ପାଇଁ ସେମାନେ ଦାଦନ ଖଟିବାକୁ ବାୀହାର ରାଜ୍ୟକୁ ଚାଲିଯାଉଛନ୍ତି। ଏକ ବେସରକାରୀ ତଥ୍ୟାନୁସାରେ, ଜିଲ୍ଲାରୁ ପ୍ରତି ବର୍ଷ ୩୦ ହଜାରରୁ ଅଧିକ ଯୁବକଯୁବତୀ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ଜଣାଯାଏ।

ଏମସିଏଲ କୋଇଲା ଖଣି, ଏନଟିପିସି ତାପଜ ବିଦ୍ୟୁତ ପ୍ରକଳ୍ପ, ଓସିପିଏଲ, ଜେଏସଡବ୍ଲ୍ୟୁ, ଓସିଏଲ, କୋଇଡ଼ାର ଏକାଧିକ ଲୁହାପଥର ଓ ମାଙ୍ଗାନିଜ ଖଣିରେ ସ୍ଥାନୀୟଙ୍କୁ ଉପେକ୍ଷା କରି ବାହାର ରାଜ୍ୟ ଓ ଜିଲ୍ଲାର କର୍ମଚାରୀ, ଶ୍ରମିକଙ୍କୁ ନିଯୁକ୍ତି ଦିଆଯାଇଛି। ଏମସିଏଲ ବିସ୍ଥାପିତଙ୍କ ନିଯୁକ୍ତି ପ୍ରସଙ୍ଗ କମ୍ପାନିର ଫାଇଲ ଭିତରେ। ଏହା ମଧ୍ୟରେ ନିଯୁକ୍ତି ତାଲିକାରେ ଥିବା ଅନେକଙ୍କ ବୟସ ଗଡ଼ିଗଲାଣି। କିନ୍ତୁ ବିଭିନ୍ନ ଆଳରେ ସେ ପ୍ରକ୍ରିୟାକୁ ଘୁଞ୍ଚାଇ ନେଉଛି କମ୍ପାନି।  ସେହିପରି ଦର୍ଲିପାଲି ଏନଟିପିସିରେ ୮୦ ପ୍ରତିଶତ ସ୍ଥାନୀୟ ନିଯୁକ୍ତି ଦେବାକୁ ସର୍ତ୍ତ ଥିଲେ ମଧ୍ୟ ତାକୁ କର୍ତ୍ତୃପକ୍ଷ ଖୋଲାଖୋଲି ଉପେକ୍ଷା କରି ଚାଲିଛନ୍ତି। କମ୍ପାନିରେ ନିୟୋଜିତ ୧୪ ଶହ କର୍ମଚାରୀ, ଶ୍ରମିକଙ୍କ ମଧ୍ୟରୁ ମାତ୍ର ୪୦୮ ଜଣ ସ୍ଥାନୀୟ ଅଞ୍ଚଳର।

ସେହିପରି ତାପଜ ବିଦ୍ୟୁତ ଶକ୍ତିର ପରିଚାଳନା ଦାୟିତ୍ବ ରାଜ୍ୟ ବାହାରର  ଏକ ଠିକା ସଂସ୍ଥାକୁ ଦିଆଯାଇଥିବା ବେଳେ ସେ ନିଯୁକ୍ତ କରିଥିବା ୪୦ରୁ ଅଧିକ ଠିକାଦାରୀ ସଂସ୍ଥା ବାହାର ରାଜ୍ୟର। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ବହୁବାର ପ୍ରତିବାଦ, ଆନ୍ଦୋଳନ  କରିଥିଲେ, କିନ୍ତୁ କମ୍ପାନି ଶୁଣୁ ନାହିଁ।  ଅନ୍ୟପଟେ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ମଧ୍ୟ ବହୁ ବିସ୍ଥାପିତ ପରିବାର ନିଯୁକ୍ତି ପାଇ ନାହାନ୍ତି।  ଏହି ପ୍ରସଙ୍ଗରେ ଜାତୀୟ ଅନୁସୂଚୀତ ଜାତି ଆୟୁକ୍ତ ଉଦବେଗ ପ୍ରକାଶ କରି  ମନ୍ଦିରା ଡ୍ୟାମ ଓ ଷ୍ଟିଲ ପ୍ଲାଣ୍ଟର ୧୬୪ ବିସ୍ଥାପିତଙ୍କୁ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏଯାଏ ସମ୍ପୃକ୍ତ ବିସ୍ଥାପିତଙ୍କୁ ନିଯୁକ୍ତି ମିଳି ନଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଡିଏମଏଫ ଓ ଓମବାଡସିରୁ କୋଟି କୋଟି ଟଙ୍କା ବିନିଯୋଗରେ ଜିଲ୍ଲାର ବିକାଶର ଛୋଟବଡ଼ ପ୍ରକଳ୍ପ ନିର୍ମାଣ ଚାଲିଛି। ଏଥିରେ  ଗ୍ଲୋବାଲ ଟେଣ୍ଡର ଡାକି  ସ୍ଥାନୀୟ ଠିକାଦାରଙ୍କୁ ଜାଣିଶୁଣି ଉପେକ୍ଷା କରାଯାଉଛି। ଜିଲ୍ଲାର ହେମଗିର, କୁତ୍ରା ଓ ରାଜଗାଙ୍ଗପୁରରେ ଓମବାଡସିର ୩୧୨ କୋଟି ବ୍ୟୟରେ ନିର୍ମାଣ ହେଉଥିବା ବୃହତ ପାନୀୟ ଜଳ ପ୍ରକଳ୍ପକୁ ଉଦାହରଣ ଭାବେ ନିଆଯାଇପାରେ।

ଏ ପ୍ରକଳ୍ପ କାମ ରାଜସ୍ଥାନର ବାଲାଜୀ କନଷ୍ଟ୍ରକ୍ସନ ଓ ହାଇଦ୍ରାବାଦର ମେଗା ଇଞ୍ଜିନିୟରିଂ ଓ ଇନଫ୍ରାଷ୍ଟ୍ରକଚର୍ସକୁ ଦିଆଯାଇଛି। ତେବେ ଠିକାଦାର ତ ରାଜ୍ୟ ବାହାରର, ତା’ ସହ କର୍ମଚାରୀ, ତଦାରଖକାରୀ ଏପରିକି ଶ୍ରମିକ ମଧ୍ୟ ବିହାର, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର। ଭବାନୀଭବନ ଖେଳପଡ଼ିଆରେ ବିବିଧ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ, ବିଜୁଳିବନ୍ଧ ସୌନ୍ଦର୍ଯ୍ୟକରଣ, ଏମସିଏଲ କୋଇଲା ପରିବହନ ପାଇଁ କଲେଜ-ଶଙ୍କରା ବାଏପାସ ରାସ୍ତା ନିର୍ମାଣ, ଭ୍ରାମ୍ୟମାଣ ଚିକିତ୍ସା, ଆମ୍ବୁଲାନ୍ସ ପରିଚାଳନା, ସୁନ୍ଦରଗଡ଼ ଅଭିଯୋଗ କେନ୍ଦ୍ର (କଲ୍ ସେଣ୍ଟର୍), ଟ୍ରୁନଟ୍ ମେସିନ କିଣା, ଅଙ୍ଗନବାଡ଼ି ଶିଶୁମାନଙ୍କ ପାଇଁ ସ୍ବାସ୍ଥ୍ୟବର୍ଦ୍ଧକ ଚିକି ଓ ସ୍ପିରିଲୁନା ଯୋଗାଣ, ପୁନର୍ବାସ ଓ ଥଇଥାନ, ଶିକ୍ଷାନୁଷ୍ଠାନ ବ୍ୟାଞ୍ଚ ଓ ଡେକ୍ସ କିଣା, ଡିଜି ସେଟ୍ କ୍ରୟ, ଶିକ୍ଷାନୁଷ୍ଠାନ ଭର୍ଚୁଆଲ୍ କ୍ଲାସ୍, ସୁଦକ୍ଷ ତାଲିମ କାର୍ଯ୍ୟକ୍ରମ ଆଦି ବାହାର ସଂସ୍ଥା ଓ ଠିକାଦାରଙ୍କୁ ଦିଆଯାଇଛି।

ଏପରିକି ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଓ ଜିଲ୍ଲା ପ୍ରଶାସନର ସମସ୍ତ କାର୍ଯ୍ୟର ଆକର୍ଷଣୀୟ ପ୍ରଚାର, ପ୍ରସାର ପାଇଁ ମଧ୍ୟ ଜିଲ୍ଲା ବାହାରର ଏକ ସଂସ୍ଥାକୁ ଠିକା ଦିଆଯାଇଛି। ସେହିପରି ଖଣିଜ ପ୍ରତିଷ୍ଠାନ ପରିଚାଳନା ପାଇଁ ଟେଣ୍ଡରପ୍ରାପ୍ତ ବର୍ହିଉତ୍ସ ସଂସ୍ଥା ‘ଚଏସ୍’ରେ ନିୟୋଜିତ ୩୦ରୁ ଅଧିକ କର୍ମଚାରୀଙ୍କ ମଧ୍ୟରୁ ଜଣେ ଦି ଜଣଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତେ ବାହାର ଜିଲ୍ଲା ଓ ବାହାର ରାଜ୍ୟର ହୋଇଥିବା ଜଣାପଡ଼ିଛି। ଅନ୍ୟ ଏକ ଉଦାହରଣ ହେଲା ଡିଏମଏଫ ଅନୁଦାନରେ ୨୦୨୦ ଡିସେମ୍ବରରେ କାର୍ଯ୍ୟକାରୀ ହୋଇଥିବା ’ମାଇକ୍ରୋ ପ୍ରୋଜେକ୍ଟ’।  ଜିଲ୍ଲାର ୬ଟି ଖଣି ପ୍ରଭାବିତ ହେମଗିର, କୋଇଡ଼ା, କୁତ୍ରା, ଲହୁଣିପଡ଼ା, କୁଆରମୁଣ୍ଡା ଓ ରାଜଗାଙ୍ଗପୁର ବ୍ଲକରେ ବସବାସ କରୁଥିବା ଲୋକଙ୍କ ସାମାଜିକ ଓ ଆର୍ଥିକସ୍ଥିତି ବିଷୟରେ ଜାଣିବା ପାଇଁ କେବଳ ସର୍ଭେ କରାଯାଇଥିଲା। ଘର ଘର ବୁଲି ପ୍ରାୟ ୪୦ ହଜାର ପରିବାର ଲୋକଙ୍କ ମତାମତ ନିଆଯାଇଥିଲା।  ତେବେ ଏହି ସର୍ଭେ କାମ ପାଇଁ ମଧ୍ୟ ସ୍ଥାନୀୟ କୌଣସି ସଂସ୍ଥାକୁ ସୁଯୋଗ ମିଳି ନଥିଲା।

ଏହାର ଦାୟିତ୍ବ  ବାହାର ସଂସ୍ଥା ୱାଇଏସଡି, ନିୟତି ଫାଉଣ୍ଡେସନ ଓ ସାରଦା ଅନୁଷ୍ଠାନକୁ ଦିଆଯାଇଥିଲା। ଜିଲ୍ଲାର ଖଣି ଖାଦାନ ସହ ଡିଏମଏଫ, ଓମବାଡସିର ବିଭିନ୍ନ ପ୍ରକଳ୍ପ ଓ ଯୋଜନାରେ  ଜିଲ୍ଲାର ବହୁ ବେରୋଜଗାରୀ ଶିକ୍ଷିତ ଯୁବବର୍ଗ, ସଂସ୍ଥା, ଠିକାଦାର ରୋଜଗାରର ସୁଯୋଗ ପାଇ  ଆତ୍ମନିର୍ଭରଶୀଳ ହେବାର ଆଶା ରଖିଛନ୍ତି। କିନ୍ତୁ ପ୍ରାଶାସନିକ ଉପେକ୍ଷା ମଧ୍ୟରେ ସେ ଆଶା ଏକ ପ୍ରକାର ମଉଳି ଯାଇଛି ବୋଲି କୁହାଯାଇପାରେ।  ଏହା ମଧ୍ୟରେ ସବୁଠାରୁ ବଡ଼ କଥା  ହେଲା, ଉପେକ୍ଷିତ ଜନତାଙ୍କ ସ୍ବର ହେବାକୁ ଶପଥ ନେଇଥିବା ସ୍ଥାାନୀୟ ଲୋକ ପ୍ରତିନିଧି  ସେ ବିଧାୟକ ହୁଅନ୍ତୁ କି ସାଂସଦ ଅବା ଜିଲ୍ଲା ପରିଷଦ ସଦସ୍ୟ କେହି ବି ଜୀବନଜୀବିକାର ଏହି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଏଯାଏ ମୁହଁ ଖୋଲି ନାହାନ୍ତି। ପର୍ଯ୍ୟାପ୍ତ ସମ୍ପଦ ଥାଇ ରୋଜଗାର ପାଇଁ ଦାଦନ ଖଟି ଯାଉଥିବା ଜିଲ୍ଲାର ଶିକ୍ଷିତ ଯୁବବର୍ଗଙ୍କ ପାଇଁ ୟା’ଠୁ ବଳି ବିଡ଼ମ୍ବନା ଆଉ କ’ଣ ହୋଇପାରେ।

ସମ୍ବନ୍ଧିତ ଖବର