ଭୁବନେଶ୍ବର: ବିଜେଡି ଓ ବିଜେପି ଉପରେ ରାଜ୍ୟର ଯୁବ ସମାଜ ଆସ୍ଥା ତୁଟାଇ ସାରିଲେଣି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାକୁ ପାଳନ କରିପାରିଲେ ନାହିଁ। ରାଜ୍ୟର ବେକାର ଯୁବକଯୁବତୀ ଏବେ କାମ ପାଇଁ ଆନ୍ଧ୍ର, ସୁରଟ ଯାଇ ପେଟ ପୋଷୁଛନ୍ତି। ତେଣୁ ରାଜ୍ୟର ବେକାର ଯୁବକଯୁବତୀଙ୍କ ପ୍ରତି ହେଉଥିବା ଅତ୍ୟାଚାର ବିରୋଧରେ ଦୁର୍ବାର ଆନ୍ଦୋଳନ କରାଯିବ ବୋଲି କହିଛନ୍ତି ନବନିଯୁକ୍ତ ଯୁବ କଂଗ୍ରେସ ସଭାପତି ରଣଜିତ ପାତ୍ର।
ନୂଆଦିଲ୍ଲୀରୁ ଆଜି ଭୁବନେଶ୍ବର ଫେରିବା ପରେ ଶ୍ରୀ ପାତ୍ରଙ୍କୁ ବିମାନବନ୍ଦରରେ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ସେଠାରୁ ଏକ ବିଶାଳ ମୋଟରସାଇକେଲ ଶୋଭାଯାତ୍ରାରେ ତାଙ୍କୁ କଂଗ୍ରେସ ଭବନ ପର୍ଯ୍ୟନ୍ତ ଅଣାଯାଇଥିଲା। ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ବିଧାୟକ ସୁରେଶ ରାଉତରାୟ ପ୍ରମୁଖ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ।
ଶ୍ରୀ ପାତ୍ର କହିଛନ୍ତି ଯେ ଯୁବ କଂଗ୍ରେସର ଆହ୍ବାନ ହେଉଛି ‘ନିଯୁକ୍ତି ଦିଅ ନ ହେଲେ ଗାଦି ଛାଡ଼’। ରାଜ୍ୟର ୯ଲକ୍ଷ ବେକାର ଯୁବକଯୁବତୀ ନିଜର ନାମ ପଞ୍ଜୀକରଣ କରି ବେକାର ବସିଛନ୍ତି। ନବୀନ ସରକାର ଯେଉଁ ନିଯୁକ୍ତି ମେଳା କରିଥିଲେ ତାହା ଏବେ ପ୍ରହସନରେ ପରିଣତ ହୋଇଛି। ସେହିପରି ପ୍ରଧାନମନ୍ତ୍ରୀ ମୋଦୀ ବର୍ଷକୁ ୨କୋଟି ନିଯୁକ୍ତି ଦେବେ ବୋଲି କହିଥିଲେ। କେନ୍ଦ୍ର ସରକାରରେ ୧୦ଲକ୍ଷ ପଦବି ଖାଲି ପଡ଼ିଛି। ତେଣୁ ରାଜ୍ୟର ବେକାର ଯୁବକଯୁବତୀଙ୍କ ନିଯୁକ୍ତି ନେଇ ଉଦାସୀନ ଥିବା ସରକାରଙ୍କ ବିରୋଧରେ ଲଢ଼େଇ କରାଯିବ ବୋଲି ସେ କହିଛନ୍ତି।
ଏହି କାର୍ଯ୍ୟକ୍ରମରେ ଶିବାନନ୍ଦ ରାୟ, ମାନସ ଚୌଧୁରୀ, ବିଶ୍ବଜିତ ଦାସ, ଦେବାଶିଷ ପଟ୍ଟନାୟକ, ୟାସିର ନୱାଜ, ଜାନକୀ ବଲ୍ଲଭ ପଟ୍ଟନାୟକ, ମନୋଜ ଜେନା, ଅଭିଳାଷ ମାଣିଆ, ପ୍ରକାଶ ମିଶ୍ର, ମନୋଜ ବିଶ୍ବାଳ, ସୁବ୍ରତ ମହାପାତ୍ର, ମନୋଜ ରାଉତ, ନିହାର ରଂଜନ ବେହେରା, ଗୋପନ ମାର୍ଥା, ସିଦ୍ଧାର୍ଥ ରାଉତରାୟ, ଅଜୟ ସାହୁ, ମହମ୍ମଦ ଗୁଲଫାମ, ସ୍ବାଗତ କର, ପ୍ରବୋଧ ଦାସ, ପୂର୍ଣ୍ଣଚନ୍ଦ୍ର ସାହୁ, ସଂକୁନା କହଁର, ରଜନୀ ମହାନ୍ତି, ନିହାର ରଂଜନ ବେହେରା, ସମୀର ରାଉତ ଓ ଅନ୍ୟମାନେ ଉପସ୍ଥିତ ଥିଲେ।