ଆଳି : ଆଳି ଥାନା ପୁଲିସ ବିରୋଧରେ ଆସିଛି ଗୁରୁତର ଅଭିଯୋଗ। ଏହି ଥାନାର ଜଣେ ପୁଲିସ ଅଧିକାରୀଙ୍କ ମାଡ଼ରେ କଳଦିଆ ଗ୍ରାମର ଯୁବକ ଗୁରୁତର ଆହତ ହୋଇଛନ୍ତି। ପୁଲିସ ଏମିତି ମାଡ଼ ମାରିଛି, ଯୁବକଜଣଙ୍କ ରକ୍ତବାନ୍ତି କରି ପକାଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଆଳି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଆକ୍ରମଣର ଶିକାର ଯୁବକଙ୍କ ପତ୍ନୀ ଏ ନେଇ ଥାନାରେ ଏତଲା ଦେଇଛନ୍ତି। ଏହି ଘଟଣା ସମଗ୍ର ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଛି।
ଅଭିଯୋଗ ଅନୁସାରେ, ଗତକାଲି ରାତି ୯ଟାରେ ଆଳି ଥାନା କଳଦିଆ ଗ୍ରାମର ରବୀନ୍ଦ୍ର ଦାସ ଓ ପତ୍ନୀ ସୁନିତାଙ୍କ ମଧ୍ୟରେ ଘରୋଇ କଳହ ଲାଗିଥିଲା। ଏହି କଳିଗୋଳକୁ ନେଇ ସୁନିତା ଆଳି ଥାନାକୁ ଫୋନ୍ କରି ଜଣାଇଥିଲେ। ରବୀନ୍ଦ୍ର ତାଙ୍କୁ ମାଡ଼ ମାରୁଥିବା ଅଭିଯୋଗ କରିଥିଲେ। ରାତି ପ୍ରାୟ ୧୧ଟା ସମୟରେ ଆଳି ଥାନାର ଜଣେ ଅଧିକାରୀ(ପଟ୍ଟନାୟକ ବାବୁ)ଙ୍କ ସହ ୬/୭ଜଣ କର୍ମଚାରୀ ଘରେ ପଶି ରବୀନ୍ଦ୍ରଙ୍କୁ ନିସ୍ତୁକ ମାଡ଼ ମାରି ଥାନାକୁ ନେଇ ଆସିଥିଲେ। ରବୀନ୍ଦ୍ରଙ୍କୁ ସାକ୍ଷାତ କରିବାକୁ ରାତିରେ ଆସିଥିବା ପତ୍ନୀ ସୁନିତା ଓ ସମ୍ପର୍କୀୟମାନଙ୍କୁ ମଧ୍ୟ ପୁଲିସ ବାରଣ କରି ସକାଳେ ଆସିବାକୁ କହିଥିଲା। ସେମାନେ ଥାନାରୁ ଫେରି ଆସିବା ପରେ ପୁଲିସ ରବୀନ୍ଦ୍ରଙ୍କୁ ପୁଣି ନିସ୍ତୁକ ମାଡ଼ ମାରିଥିଲା ବୋଲି ସୁନିତା ଅଭିଯୋଗପତ୍ରରେ ଦର୍ଶାଇଛନ୍ତି।
ସୁନୀତାଙ୍କ ଲିଖିତ ଅଭିଯୋଗ ପାଇବା ପରେ ଆଳି ଥାନା ଅଧିକାରୀ ଦିଲ୍ଲୀପ ସାହୁ ଆଳି ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ରବୀନ୍ଦ୍ରଙ୍କ ସ୍ବାସ୍ଥ୍ୟବସ୍ଥା ବୁଝିଛନ୍ତି। ଏ ସମ୍ପର୍କରେ ଥାନା ଅଧିକାରୀ ଶ୍ରୀ ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି, ସୁନିତା ଗତକାଲି ତାଙ୍କ ସ୍ବାମୀଙ୍କ ବିରୋଧରେ ଅଭିଯୋଗ କରିବା ପରେ ପୁଲିସ ଯାଇଥିଲା। ତେବେ ରବୀନ୍ଦ୍ରଙ୍କୁ ମାଡ଼ ମରାଯାଇଥିବା ସମ୍ପର୍କରେ ତଦନ୍ତ ପରେ ଜଣାପଡ଼ିବ। ଅପରପକ୍ଷରେ ଗତକାଲି ସୁନିତା କେବଳ ଟେଲିଫୋନ୍ କରି ପୁଲିସକୁ ଜଣାଇଥିଲେ। ଆଜି ସକାଳେ ସ୍ବାମୀଙ୍କ ବିରୋଧରେ ଲିଖିତ ଏତଲା ଦେବା ପରେ ରବୀନ୍ଦ୍ରଙ୍କୁ ଥାନାରୁ ଛଡା ଯାଇଥିଲା ବୋଲି ଥାନାଧିକାରୀ ଶ୍ରୀ ସାହୁ କହିଛନ୍ତି। ଅନ୍ୟପକ୍ଷରେ ପୁଲିସ ମାଡ଼ରେ ଗୁରୁତର ହୋଇପଡ଼ିଥିବା ରବୀନ୍ଦ୍ର ଥାନାରୁ ଆସିବା ପରେ ତାଙ୍କୁ ଆଳି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ରବିବାର ସନ୍ଧ୍ୟାରେ ରକ୍ତବାନ୍ତି କରି ପକାଇଥିଲେ। ଏହି ଘଟଣାରେ ପତ୍ନୀ ସୁନିତା ସ୍ବାମୀଙ୍କୁ ମାଡ଼ ମାରି ଗୁରୁତର କରିଥିବା ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ଥାନାରେ ଏତଲା ଦେଇଥିଲେ।