ଯୁବକଙ୍କୁ ହତ୍ୟା କରି କେନାଲ ବନ୍ଧରେ ଫିଙ୍ଗି ଦେଲେ

ତିଗିରିଆ : କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ଜେମାଦେଇପୁର ପଞ୍ଚାୟତ ବଉଳାସାହିରେ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ। ଜଣେ ଯୁବକଙ୍କୁ ଗୋକର୍ଣ୍ଣଖାଲ ଗ୍ରାମର ୨୦ରୁ ଅଧିକ ଦୁର୍ବୃତ୍ତ ଅପହରଣ କରି ନେବା ସହିତ ତାଙ୍କ ଦୁଇ ହାତକୁ ପଛପଟୁ ବାନ୍ଧି ହତ୍ୟା କରିବା ପରେ ରେଙ୍ଗାଲି କେନାଲ ବନ୍ଧରେ ‌ଫୋପାଡ଼ି ଫେରାର ହୋଇଯାଇଛନ୍ତି। ଏହି ଅମାନୁଷିକ କାଣ୍ଡ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି।

ସ୍ଥାନୀୟ ଲୋକେ ଓ ମୃତ ଯୁବକଙ୍କ ପରିବାରବର୍ଗ ଶବ ରଖି କଟକ-ନରସିଂହପୁର ମୁଖ୍ୟରାସ୍ତାକୁ ଦୁଇଘଣ୍ଟାରୁ ଅଧିକ ସମୟ ଅବରୋଧ କରିଥିଲେ। ଖବର ପାଇ ଏସ୍‌ଡିପିଓ ବିଜୟ କୁମାର ବିଶି, ତହସିଲଦାର ପ୍ରମୋଦ କୁମାର ବାସ୍କେ, ତିଗିରିଆ ଥାନା ଆଇଆଇସି ସୁଚିତ୍ରା ଜେନା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ସହ ଅଭିଯୁକ୍ତମାନଙ୍କୁ ୨୪ ଘଣ୍ଟା ମଧ୍ୟରେ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ରାସ୍ତାରୋକ ପ୍ରତ୍ୟାହାର କରାଯିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ବ୍ୟବଚ୍ଛେଦ ପରେ ସନ୍ଧ୍ୟାରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏ ନେଇ ମୃତ ଯୁବକଙ୍କ ମାଙ୍କ ଲିଖିତ ଅଭିଯୋଗକୁ ଭିତ୍ତି କରି ତିଗିରିଆ ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ଆଇଆଇସି ଶ୍ରୀମତୀ ଜେନା ସୂଚନା ଦେଇଛନ୍ତି।

ଜେମାଦେଇପୁର ବଉଳାସାହିର ବେଣୁଧର ବାରିକଙ୍କ ପତ୍ନୀ ମଞ୍ଜୁଳା ବାରିକଙ୍କ ଅଭିଯୋଗ ମୁତାବକ, ଆଜି ସକାଳ ପ୍ରାୟ ସାଢ଼େ ୭ଟାରେ ତାଙ୍କ ପୁଅ ବିଶ୍ୱନାଥ ବାରିକ (ମଣ୍ଟୁ) ଗ୍ରାମ ନିକଟ ବାଇଝୋଲି ମୁଣ୍ଡିଆରେ ଥିବା ପଥର ଖଣିକୁ କାମ କରିବାକୁ ଯାଇଥିଲେ। ପରେ ମଞ୍ଜୁଳା ଓ ବେଣୁଧରଙ୍କ ପୁଅ ପାଇଁ ଖାଇବାକୁ ନେଇ ଉକ୍ତ ଖଣିକୁ ଯାଇଥିଲେ। ସେଠାରେ ତିନିଜଣ ଖାଇବାକୁ ବସିଥିଲା ବେଳେ ଭୋଗଡ଼ା ପଞ୍ଚାୟତ ଗୋକର୍ଣ୍ଣଖାଲ ଗ୍ରାମର ୨୦ରୁ ଅଧିକ ଦୁର୍ବୃତ୍ତ ବିଭିନ୍ନ ମାରଣାସ୍ତ୍ର ଧରି ପହଞ୍ଚିବା ସହ ତାଙ୍କୁ ଉଠାଇ ନେବାକୁ ଉଦ୍ୟମ କରିଥିଲେ। ମଞ୍ଜୁଳା, ବେଣୁଧରଙ୍କ ସମେତ ଘଟଣାସ୍ଥଳରେ ଉପସ୍ଥିତ କିଛି ଲୋକ ଏହାର ପ୍ରତିବାଦ କରିଥିଲେ। ହେଲେ ଦୁର୍ବୃତ୍ତମାନେ ମଣ୍ଟୁଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଘୋଷାରି ନେଇ ଯାଇଥିଲେ। ଦୁର୍ବୃତ୍ତମାନେ ମଣ୍ଟୁଙ୍କୁ ହତ୍ୟା କରିବା ପରେ ଗୋକର୍ଣ୍ଣଖାଲ ଗ୍ରାମ ନିକଟ ରେଙ୍ଗାଲି କେନାଲ ବନ୍ଧ ଉପରେ ଫିଙ୍ଗି ଦେଇଥିଲେ। ପୁଲିସ ଓ ଅଞ୍ଚଳବାସୀ ବହୁ ସମୟ ଖୋଜାଖୋଜି କରି ଶବ ଉଦ୍ଧାର କରିଥିଲେ। ସୂଚନାଯୋଗ୍ୟ ଯେ ଗତମାସ ୮ ତାରିଖ ହୋଲି ଦିନ ମଣ୍ଟୁ ଓ କିଛି ସହଯୋଗୀ ଗୋକର୍ଣ୍ଣଖାଲ ଗ୍ରାମର ୩ଜଣ ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଏହାର ପ୍ରତିଶୋଧ ନେବା ପାଇଁ ଆଜି ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର