ରାଇଘର : ୪ବର୍ଷର ନିରବତା ପରେ ନବରଙ୍ଗପୁର ଜିଲ୍ଲାରେ ପୁଣି ରକ୍ତମୁଖା ହୋଇଛନ୍ତି ମାଓବାଦୀ। ରାଇଘର ବ୍ଲକ୍ ହାତୀଗାଁ ପଞ୍ଚାୟତ ଅନ୍ତର୍ଗତ ଖାଲେପାରା ଗାଁର ଯୁବକ ଚନ୍ଦନ ମଲ୍ଲିକଙ୍କୁ ପୁଲିସ ଇନଫର୍ମର ସନ୍ଦେହରେ ନିର୍ମମ ଭାବେ ହତ୍ୟା କରିଛନ୍ତି। ଗତକାଲି ରାତିରେ ଚନ୍ଦନଙ୍କୁ ଘରୁ ଡାକି ନେଇ ନିସ୍ତୁକ ପିଟିବା ପରେ ଶ୍ବାସରୁଦ୍ଧ କରି ଜୀବନ ନେଇଥିବା ଜଣାପଡ଼ିଛି। ଏହି ଲୋମଟାଙ୍କୁରା ଘଟଣା ପରେ ଭୟଭୀତ ଅବସ୍ଥାରେ ରହିଥିବା ପରିବାର ଲୋକ ଆଜି ସକାଳେ ଜୀବନବିକଳରେ ରାଇଘର ଚାଲି ଆସିଛନ୍ତି।
ମୃତ୍ୟୁ ପାଇଁ ୨ ଏସ୍ପିଙ୍କୁ ଦାୟୀ କଲେ
୪ ବର୍ଷ ପରେ ରାଇଘରରେ ଉନ୍ମତ୍ତକାଣ୍ଡ
ସୂଚନା ଅନୁଯାୟୀ, କିଛିମାସ ତଳେ ଚନ୍ଦନଙ୍କୁ ପ୍ରଜାକୋର୍ଟ ଡକାଇ ଚେତାବନୀ ଦେଇଥିଲେ ମାଓବାଦୀ। କେଉଁ କାରଣରୁ ତାଙ୍କୁ ପ୍ରଜାକୋର୍ଟରେ ହାଜର ହେବାକୁ ପଡ଼ିଲା, ସେହି ସମୟରେ ସ୍ପଷ୍ଟ ହୋଇପାରି ନଥିଲା। ତଥାପି ଓଡ଼ିଶା ଓ ଛତିଶଗଡ଼ ପୁଲିସକୁ କାଳେ ସହାୟତା କରୁଥିବା ନେଇ ମାଓବାଦୀଙ୍କ ସନ୍ଦେହ ରହିଥିଲା ବୋଲି ସ୍ଥାନୀୟ ଲୋକଙ୍କ ଠାରୁ ଶୁଣିବାକୁ ମିଳିଥିଲା। ଏହାପରେ ମାଓବାଦୀଙ୍କ କୌଣସି ପ୍ରକାର ଗତିବିଧି ନଥିଲା ଏବଂ ସ୍ବାଭାବିକ ଜୀବନ ବଞ୍ଚୁଥିଲେ ଚନ୍ଦନ। ତେବେ ଗତକାଲି ରାତି ପ୍ରାୟ ୯ଟାରେ ୨୦ରୁ ୨୫ଜଣ ସଶସ୍ତ୍ର ମାଓବାଦୀ ଗାଁରେ ପଶିଥିଲେ। ଚନ୍ଦନଙ୍କୁ ଘରୁ ଡାକି ଆଣିବା ପରେ ପାଖ ଅଙ୍ଗନବାଡ଼ି କେନ୍ଦ୍ର ନିକଟକୁ ନେଇ ଯାଇଥିଲେ। ପରିବାର ଲୋକ ଏବଂ ଗ୍ରାମବାସୀଙ୍କୁ ମଧ୍ୟ ପଛେପଛେ ଆସିବାକୁ କହିଥିଲେ। ସମସ୍ତେ ପହଞ୍ଚିବା ପରେ ବୈଠକ କରି ଗାଁର ଅନ୍ୟ ଦୁଇ ଯୁବକଙ୍କୁ ପ୍ରଥମେ ମାଡ଼ ମାରିଥିଲେ। ଏହାପରେ ସମସ୍ତଙ୍କୁ ଚାଲିଯିବାକୁ କହି ଚନ୍ଦନଙ୍କୁ ପ୍ରାୟ ୨ଶହ ମିଟର ଦୂର ଖେଳ ପଡ଼ିଆକୁ ନେଇଯାଇଥିଲେ। କୌଣସି ଦଉଡ଼ି କିମ୍ବା ଗାମୁଛାରେ ଗଳାକୁ ଚାପି ଧରି ଶ୍ବାସରୁଦ୍ଧ କରି ହତ୍ୟା କରିଥିବା ବେକରେ ରହିଥିବା ଚିହ୍ନରୁ ଜଣାପଡ଼ୁଛି।
ଘଟଣାସ୍ଥଳରୁ ଯିବା ପୂର୍ବରୁ କିଛି ପୋଷ୍ଟର ଛାଡ଼ିବା ସହ ଗଛରେ ମଧ୍ୟ ମାରିଛନ୍ତି। ଚନ୍ଦନଙ୍କ ମୃତ୍ୟୁ ପାଇଁ ନବରଙ୍ଗପୁର ଏସ୍ପି ଓ ଛତିଶଗଡ଼ର ଗାରିଆବନ୍ଧ ଏସ୍ପି, ପୁଲିସର ଗୁଇନ୍ଦା ବିଭାଗ ଦାୟୀ ବୋଲି ପୋଷ୍ଟରରେ ଉଲ୍ଲେଖ କରାଯାଇଛି। ପୂର୍ବରୁ ପ୍ରଜାକୋର୍ଟରେ ଚେତାବନୀ ସତ୍ତ୍ବେ ପୁଲିସକୁ ସୂଚନା ଦେଉଥିବାରୁ ଚନ୍ଦନଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିବା ମଧ୍ୟ ଉଲ୍ଲେଖ ହୋଇଛି।
ଉଲ୍ଲେଖଯୋଗ୍ୟ, ୨୦୧୯ ମସିହା ଫେବ୍ରୁଆରି ମାସରେ ହଳଦୀ ପଞ୍ଚାୟତ ଅନ୍ତର୍ଗତ ବେନସ୍ ଗ୍ରାମର ଅନନ୍ତରାମ ଗଣ୍ଡଙ୍କୁ ହତ୍ୟା କରିବା ପରେ ମାଓବାଦୀଙ୍କ ଗତିବିଧି ସଂପୂର୍ଣ୍ଣ କମି ଯାଇଥିଲା। ଗତକାଲି ରାତିର ଘଟଣା ପରେ ଆତଙ୍କ ସୃଷ୍ଟି କରି ପୂର୍ବସ୍ଥିତି ଜାହିର କରିବାକୁ ମାଓବାଦୀ ପୁଣି ପ୍ରୟାସ କରୁଥିବା କୁହାଯାଉଛି।