ଅନୁଗୁଳ: ପୁଣି ଅଶାନ୍ତ ହୋଇଛି ଅନୁଗୁଳ। ସହର ଉପକଣ୍ଠ ଛେଳିଆପଡ଼ା ଓଭରବ୍ରିଜ୍‌ ପାଖରେ ଆଜି ଦିନ ଦ୍ବିପହରରେ ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହାଣି ହତ୍ୟା କରାଯାଇଛି। ମୃତ ଯୁବକ ହେଲେ ଛେଳିଆପଡ଼ାର ଭବାନୀ ଶଙ୍କର ଭଞ୍ଜ(୨୭) ଓରଫ ବୁବୁ। ତାଙ୍କ ନାମରେ ଅନୁଗୁଳର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି। ତେବେ କିଏ, କାହିଁକି ତାଙ୍କୁ ହତ୍ୟା କରିଛି ତାହା ସ୍ପଷ୍ଟ ହୋଇନି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ତେଣୁ ଏହା ଗ୍ୟାଙ୍ଗୱାର୍‌ ଆଶଙ୍କାକୁ ବଢ଼ାଇ ଦେଇଛି। 

Advertisment

jjlgjljlii

ସୂଚନା ଅନୁସାରେ, ଅନୁଗୁଳ ସଦର ଥାନା ଅଞ୍ଚଳ ଛେଳିଆପଡ଼ା ନିକଟରେ ତିଆରି ଚାଲିଥିବା ଓଭରବ୍ରିଜ୍‌ ତଳେ ଆଜି ମଧ୍ୟାହ୍ନ ପ୍ରାୟ ସାଢ଼େ ୨ଟା ବେଳେ ଏହି ହତ୍ୟାକାଣ୍ଡ ଘଟିଛି। ବୁବୁ ତାଙ୍କ ଘରେ ଥିଲା ବେଳେ ତାଙ୍କୁ କିଛି ଲୋକ ଫୋନ୍‌ କରି ଏହି ଓଭରବ୍ରିଜ୍‌ ପାଖକୁ ଡାକିଥିଲେ। ବୁବୁ ତାଙ୍କର ଜଣେ ସାଙ୍ଗଙ୍କ ସହ ଓଭରବ୍ରିଜ୍‌ ପାଖକୁ ଯାଇଥିଲା ବେଳେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଦୁର୍ବୃତ୍ତମାନେ ଅତର୍କିତ ଆକ୍ରମଣ କରିଥିଲେ। ବୁବୁଙ୍କ ସାଙ୍ଗ ଜୀବନ ବିକଳରେ ସେଠାରୁ ଦୌଡ଼ି ପଳାଇ ଯାଇଥିଲା। ଏପଟେ ବୁବୁଙ୍କ ବେକକୁ ହାଣି ଦେବାରୁ ସେ ଘଟଣାସ୍ଥଳରେ ହିଁ ଟଳି ପଡ଼ିଥିଲେ। ଖବର ପାଇ ବୁବୁଙ୍କ ପରିବାର ଲୋକ ସେଠାରେ ପହଞ୍ଚିଥିଲେ। ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରୁ ବିଭିନ୍ନ ନମୁନା ସଂଗ୍ରହ କରିଥିଲା ବେଳେ ପୁଲିସ ଆଖପାଖ ଲୋକଙ୍କୁ ପଚରାଉଚରା କରୁଛି। ତେବେ କିଏ ହତ୍ୟା କରିଛି ତାହା ସ୍ପଷ୍ଟ ହୋଇପାରିନି।