ରାଇଘର : ଜଙ୍ଗଲ କାଟି ରହୁଥିବା ଲୋକଙ୍କୁ ଟାର୍ଗେଟ୍ କରିଛନ୍ତି ମାଓବାଦୀ। ଜଣେ ଯୁବକଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ଏହି ଯୁବକ ଜଣକ ହେଲେ, ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ନାକଟିସିମୋଡ଼ା ପଞ୍ଚାୟତ ଅନ୍ତର୍ଗତ ଲକ୍ଷ୍ମଣପୁର ଗ୍ରାମର ନାରାୟଣ ନାଗେଶ (୩୮ବର୍ଷ)। ଘଟଣାସ୍ଥଳରେ ନାରାୟଣଙ୍କ ମୃତ୍ୟୁ ହେବାପରେ ଘର ଅଗଣାରେ ପୋଷ୍ଟର ଛାଡ଼ି ଯାଇଛନ୍ତି ମାଓବାଦୀ। ସେଥିରେ ନାରାୟଣ ବାହାର ଅଞ୍ଚଳର ଆଦିବାସୀଙ୍କୁ ଜଙ୍ଗଲରେ ଆଶ୍ରୟ ଦେଇ ନୂଆ ଗାଁ ସ୍ଥାପନ କରୁଥିବା ଉଲ୍ଲେଖ କରାଯାଇଛି।
ମୃତ ନାରାୟଣଙ୍କ ପତ୍ନୀଙ୍କ ସୂଚନା ଅନୁସାରେ, ଶୁକ୍ରବାର ରାତି ପ୍ରାୟ ୯ଟାରେ ୩ଜଣ ମାଓବାଦୀ ତାଙ୍କ ଘରକୁ ଆସିଥିଲେ। ସ୍ବାମୀଙ୍କୁ ଘରୁ ଡାକିନେଇ ଜଙ୍ଗଲ କାଟିବାକୁ କେନ୍ଦ୍ରକରି ଗୁଳିଗୁଲଜ କରିଥିଲେ। ନାରାୟଣ ଜୀବନ ବିକଳରେ ‘ଆଉ ଜଙ୍ଗଲରେ ରହିବେ ନାହିଁ, ଭୁଲ୍ ହୋଇଛି, ଏଥର ଛାଡ଼ିଦିଅ’ ବୋଲି ଗୁହାରି କରିଥିଲେ। ବାରମ୍ବାର କ୍ଷମା ମାଗିବା ସତ୍ତ୍ବେ କୌଣସି କଥା ଶୁଣିନଥିଲେ ମାଓବାଦୀ। ସ୍ବାମୀଙ୍କ ଏଭଳି ଅବସ୍ଥା ଦେଖି ଦୁଇ ଝିଅ ଏବଂ ଗୋଟିଏ ପୁଅକୁ ନେଇ ପଡ଼ୋଶୀଙ୍କ ଘରକୁ ଚାଲିଯାଇଥିଲେ ପତ୍ନୀ। ପ୍ରାୟ ଗୋଟିଏ ଘଣ୍ଟା ଧରି କଥାବାର୍ତ୍ତା ଚାଲିଥିଲା, ଶେଷରେ ଲଗାତାର ୩ରାଉଣ୍ଡ ଗୁଳି ଫୁଟିଥିଲା। ଘର ସମ୍ମୁଖରେ ହିଁ ଜଘନ୍ୟକାଣ୍ଡ ଘଟାଇ କିଛି ପୋଷ୍ଟର ଅଗଣାକୁ ଫୋପାଡ଼ି ଚାଲିଯାଇଥିଲେ।
/sambad/media/post_attachments/wp-content/uploads/2023/03/raighar-mao-750x425.jpg)
ପୋଷ୍ଟର ଗୁଡ଼ିକରୁ ଛତିଶଗଡ଼ର ମୈନପୁର-ନୂଆପଡ଼ା ଡିଭିଜନାଲ କମିଟି (ମାଓବାଦୀ) ସଂଗଠନ ଏହି ବର୍ବରକାଣ୍ଡ ଘଟାଇଥିବା ସ୍ପଷ୍ଟ ହୋଇଛି। ହିନ୍ଦୀ ତଥା ଓଡ଼ିଆ ଭାଷାରେ ଗ୍ରାମସଭାର ବିନା ଅନୁମତିରେ ନାରାୟଣ ଜଙ୍ଗଲ କାଟି ସଫା କରୁଥିଲେ। ସେହି ସ୍ଥାନରେ ଅନ୍ୟ ଅଞ୍ଚଳର ଆଦିବାସୀଙ୍କୁ ଥଇଥାନ କରୁଥିଲେ। ଶାସକ ଦଳର ପ୍ରଭାବ ଦେଖାଇ ସ୍ଥାନୀୟ ଲୋକଙ୍କୁ ଧମକ ଚମକ ଦେଉଥିଲେ ବୋଲି ପୋଷ୍ଟର ଗୁଡ଼ିକରେ ଉଲ୍ଲେଖ କରାଯାଇଛି। ସେହିପରି, ନାକଟିସିମୋଡା ଗ୍ରାମର ନରସିଂ ଗଣ୍ଡ, ପଲକୁରାମ ନାଗେଶ, ବୁଧୁରାମ ନାଗେଶ, ସୁକୁଡୁ ଗଣ୍ଡ, ଆସରାମ ଗଣ୍ଡ, ରାମ ଗଣ୍ଡ ଏବଂ କୁସୁମପୁର ଗ୍ରାମର ସତ୍ୟା ଗଣ୍ଡ, ସନ୍ତୁରାମ ଗଣ୍ଡ, ବିଷ୍ଣୁ ଗଣ୍ଡଙ୍କୁ ତୁରନ୍ତ ଜଙ୍ଗଲ ଛାଡ଼ି ଚାଲିଯିବାକୁ ଚେତାବନୀ ଦିଆଯାଇଛି। ନଚେତ୍ ମୃତ୍ୟୁଦଣ୍ଡ ଦିଆଯିବ ବୋଲି ପୋଷ୍ଟରରେ ଉଲ୍ଲେଖ କରାଯାଇଛି। ଏପରିକି ଜଙ୍ଗଲ ସଫା କରୁଥିବା ମାଫିଆ, ସହଯୋଗୀ ଏବଂ ବନ ବିଭାଗ କର୍ମଚାରୀଙ୍କୁ ମଧ୍ୟ ହତ୍ୟା କରିବାକୁ ଧମକ ଦିଆଯାଇଛି।
୨୦୦୯ ମସିହା ଜୁନ୍ ମାସ ୫ତାରିଖରେ ନାରାୟଣଙ୍କ ବାପା ଲକ୍ଷ୍ମଣ ନାଗେଶଙ୍କ ବିରୋଧରେ ଅନୁରୂପ ଅଭିଯୋଗ ହୋଇଥିଲା। ନାକଟିସିମୋଡା ଗ୍ରାମର ଲୋକେ ପିଟିପିଟି ଦରମରା କରିବା ପରେ ଲକ୍ଷ୍ମଣଙ୍କୁ ଜିଅନ୍ତା ଜାଳିଦେଇଥିଲେ। ୨୦୧୪ ମସିହା ଜାନୁଆରି ୨୫ ତାରିଖରେ ସେହି ସ୍ଥାନକୁ ଲକ୍ଷ୍ମଣ ନାଗେଶଙ୍କ ନାମରେ ଲକ୍ଷ୍ମଣପୁର ବୋଲି ନାମକରଣ କରି ୪୫ ପରିବାର ରହି ଆସୁଛନ୍ତି। ନାରାୟଣ ନାଗେଶ ମଧ୍ୟ ସେଠାରେ ପରିବାର ସହ ରହୁଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/raighar-mao2.jpg)