ଭୁବନେଶ୍ୱରରେ ହେବ ଥିଏଟର ଅଲିମ୍ପିକ୍ସ

ଭୁବନେଶ୍ୱର : ଓଡ଼ିଶାର ନାଟ୍ୟ ଜଗତ ଓ ନାଟ୍ୟ ପ୍ରେମୀଙ୍କ ପାଇଁ ଏକ ଭଲ ଖବର। ଭୁବନେଶ୍ୱରରେ ଦେଖିବାକୁ ମିଳିବ ଅନ୍ତର୍ଜାତୀୟ ନାଟକ ମହାକୁମ୍ଭ ତଥା ‘ଥିଏଟର ଅଲିମ୍ପିକ୍ସ’ର ଝଲକ। ଏହି ବହୁ ପ୍ରତୀକ୍ଷିତ ୮ମ ଥିଏଟର ଅଲିମ୍ପିକ୍ସ ଏଥର ଭାରତରେ ହେବା ନେଇ ପୂର୍ବରୁ ଘୋଷଣା ହୋଇସାରିଛି। ତେବେ ବଡ଼ କଥା ହେଉଛି ଓଡ଼ିଶା ମଧ୍ୟ ଏହି ଅନ୍ତର୍ଜାତୀୟ ସ୍ତରର ନାଟ୍ୟ ଅଲିମ୍ପିକ୍ସ ଆୟୋଜନରେ ଭାଗୀଦାର ହେବାକୁ ଯାଉଛି। ଭାରତରେ ଏହା ୧୫ଟି ସହରରେ ହେବ ବୋଲି ଆଗରୁ ସୂଚନା ଦିଆଯାଇଥିଲା। ମାତ୍ର ଓଡ଼ିଶାର ମଞ୍ଚକୁ ଏଥିରେ ସୁଯୋଗ ମିଳିବ ନା ନାହିଁ ସେ ନେଇ ଆଶା ଓ ଆଶଙ୍କା ଲାଗି ରହିଥିଲା। କିନ୍ତୁ ଏବେ ଏହା ସ୍ପଷ୍ଟ ହୋଇଛି ବୋଲି ଥିଏଟର ଅଲିମ୍ପିକ୍ସର ଜୁରି ଧୀରେନ୍ଦ୍ରନାଥ ମଲ୍ଲିକଙ୍କଠାରୁ ସୂଚନା ମିଳିଛି।

ଭାରତରେ ୧୫ଟି ସହରରେ ଫେବ୍ରୁଆରି ୧୭ରୁ ଏପ୍ରିଲ୍‌ ୮ ତାରିଖ ପର୍ଯ୍ୟନ୍ତ ଏହି ଥିଏଟର ଅଲିମ୍ପିକ୍ସ ଆୟୋଜନ କରାଯିବ। ୫୧ ଦିନରେ ମଞ୍ଚସ୍ଥ ହେବ ୪୫୦ଟି ଜାତୀୟ ଓ ଅନ୍ତର୍ଜାତୀୟ ନାଟକ। କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ସହଯୋଗରେ ଏହା ଆୟୋଜିତ ହେବାକୁ ଥିବା ବେଳେ ନ୍ୟାସ୍‌ନାଲ୍‌ ସ୍କୁଲ୍‌ ଅଫ୍‌ ଡ୍ରାମା (ଏନ୍‌ଏସ୍‌ଡି) ଏହାକୁ ଆୟୋଜନ କରିବ। ଗତକାଲି ଏନେଇ ସଂସ୍କୃତି ବିଭାଗର କମିସନରଙ୍କ ସହ ବିଚାର ବିମର୍ଶ ପରେ ଭୁବନେଶ୍ୱରରେ ନାଟକ ହେବା ନେଇ ସ୍ଥିର ହୋଇଛି। ମିଳିଥିବା ସୂଚନା ମୁତାବକ ଓଡ଼ିଶାରେ ଫେବ୍ରୁଆରି ୨୪ରୁ ମାର୍ଚ ୫ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ନାଟକ ମଂଚସ୍ଥ ହେବ। ରବୀନ୍ଦ୍ର ମଣ୍ଡପରେ ପ୍ରଥମ ୫ଦିନ ନାଟକ ହେବ। ଦ୍ୱିତୀୟ ପର୍ଯ୍ୟାୟରେ ନାଟକ ପାଇଁ ୨ଟି ମଣ୍ଡପକୁ ବଛାଯାଇଛି। ଆଚାର୍ଯ୍ୟ ବିହାରସ୍ଥିତ ‘ରିଜିଓନାଲ୍‌ ରିସର୍ଚ ଲାବୋରେଟୋରି’ ନଚେତ୍‌ କଳ୍ପନା ସ୍ଥିତ ‘ଭଂଜ କଳାମଣ୍ଡପ’ରେ ଅନ୍ୟ ୫ଟି ନାଟକ ମଞ୍ଚାୟନ କରାଯିବ ବୋଲି ପ୍ରାଥମିକ ପର୍ଯ୍ୟାୟରେ ସୂଚନା ମିଳିଛି। ପୂର୍ବରୁ ରବୀନ୍ଦ୍ର ମଣ୍ଡପରେ ଭାରତ ରଙ୍ଗ ମହୋତ୍ସବ ଭଳି ଜାତୀୟ ସ୍ତରର ନାଟକ ଉତ୍ସବ ଅନୁଷ୍ଠିତ ହୋଇ ସଫଳତା ପାଇଥିବାରୁ ଏନ୍‌ଏସ୍‌ଡି ଓଡ଼ିଶା ଉପରେ ଭରସା ପ୍ରକଟ କରି ଏହି ଆୟୋଜନର ସୁଯୋଗ ଦେଇଛନ୍ତି। ରାଜ୍ୟ ସଂସ୍କୃତି ବିଭାଗ, ବିଭାଗୀୟ ମନ୍ତ୍ରୀ ମଧ୍ୟ ଏଥିରେ ହଁ ମାରିଛନ୍ତି ବୋଲି ସୂଚନା ହସ୍ତଗତ ହୋଇଛି।

ଏହି ନାଟକ ମହାକୁମ୍ଭରେ ଆମେରିକା, ଜାପାନ, ଚିନ୍‌, ଇଟାଲି, ଗ୍ରିସ୍‌, ତୁର୍କି, ଦକ୍ଷିଣ କୋରିଆ, ପୋଲାଣ୍ଡର ନାଟ୍ୟଦଳ ଅଂଶଗ୍ରହଣ କରି ନାଟକ ପରିବେଷଣ କରିବେ। ତେବେ ଓଡ଼ିଶା ଭାଗରେ ସେହି ନିର୍ଧାରିତ ୧୦ ଦିନ ମଧ୍ୟରେ କେତୋଟି ଅନ୍ତର୍ଜାତୀୟ ନାଟକ ପଡ଼ିବ ତାହା ଏଯାଏଁ ସ୍ପଷ୍ଟ ହୋଇନି। ଏଥିପାଇଁ ସମଗ୍ର ଦେଶରୁ ବିଭିନ୍ନ ରାଜ୍ୟରୁ ନାଟ୍ୟଦଳମାନଙ୍କଠାରୁ ନାଟକ ଆହ୍ଵାନ କରାଯାଇଥିଲା। ଆହ୍ଵାନ ପରେ ମୋଟ୍‌ ୧ହଜାରରୁ ଊର୍ଧ୍ୱ ନାଟକ ପହଞ୍ଚିଛି। ଏହି କ୍ରମରେ ଓଡ଼ିଶାରୁ ମଧ୍ୟ ୩୭ଟି ନାଟକ ହସ୍ତଗତ ହୋଇଛି। ଓଡ଼ିଶାର ଧୀରେନ୍ଦ୍ରନାଥ ମଲ୍ଲିକ ଏବଂ ରବିନ୍‌ ଦାସ ଜୁରି କମିଟିରେ ଥିବାରୁ ଓଡ଼ିଶା ନାଟକକୁ ଯଥେଷ୍ଟ ନ୍ୟାୟ ମିଳିବ ବୋଲି ନାଟ୍ୟଦଳମାନେ ଆଶା ରଖିଛନ୍ତି। ଅଲିମ୍ପିକ୍ସ ପାଇଁ ୧ ହଜାର ନାଟକରୁ ୪୫୦ ନାଟକ ବାଛିବାକୁ ଏକ ୩୯ ଜଣିଆ ବିଚାରକ ମଣ୍ଡଳୀ ଗଠିତ ହୋଇଛି। ବିଚାରକମାନଙ୍କୁ ୩ ଜଣିଆ ଗ୍ରୁପ୍‌ରେ ବିଭକ୍ତ କରି ୧୩ଟି ଦଳ କରି ନାଟକ ବାଛିବା ପ୍ରକ୍ରିୟା ଚାଲୁ ରହିଛି। ନୂଆଦିଲ୍ଲୀରେ ଏବେ ନାଟକ ଚୟନ ପ୍ରକ୍ରିୟା ଚାଲିଥିବା ବେଳେ ଓଡ଼ିଶାର କେତୋଟି ନାଟକ ଥିଏଟର ଅଲିମ୍ପିକ୍ସରେ ସ୍ଥାନ ପାଇବ ସେନେଇ ନାଟ୍ୟପ୍ରେମୀ ଓ ନାଟ୍ୟ ଦଳମାନେ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଆଉ ଦିନ କେଇଟା ପରେ ୪୫୦ଟି ନାଟ୍ୟଦଳ ଘୋଷଣା ହେବ ବୋଲି ଶ୍ରୀ ମଲ୍ଲିକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର