ଟ୍ରକ୍‌ ଚାପାରେ ତିନି ଷଣ୍ଢ ମୃତ; ପ୍ରତିବାଦରେ ରାସ୍ତା ଅବରୋଧ

ବାଲେଶ୍ୱର: ରବିବାର ସକାଳେ ପଥର ନେଇ ଯାଉଥିବା ଏକ ଟ୍ରକ୍‌ ଚଢ଼ିଯିବାରୁ ସୋର-ବାଗୁଡ଼ି ମୁଖ୍ୟ ରାସ୍ତାର ଆଙ୍ଗୁଳା ଛକ ପାର୍ଶ୍ୱରେ ଶୋଇଥିବା ତିନୋଟି ଷଣ୍ଢଙ୍କର ମୃତ୍ୟୁ ଘଟିଛି।

ସୂଚନାଯୋଗ୍ୟ, ବାଲେଶ୍ୱର ଜିଲ୍ଲାର ସୋର ବାଗୁଡ଼ି ଅଞ୍ଚଳରେ ଥିବା ପଥର ଖାଦନରୁ ଅନେକ ଟ୍ରକ୍‌ ପଥର ପରିବହନ କରନ୍ତି। ଆଜି ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ଟି କୌଣସି ଏକ କ୍ରସର୍‌ ନିମନ୍ତେ ମୁଗୁନି ପଥର ଖଣ୍ଡ ନେଇ ଯାଉଥିଲା।

ଏଥିରେ ଉତ୍‌କ୍ଷିପ୍ତ ହୋଇ ସ୍ଥାନୀୟ ବାସିନ୍ଦା ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ଟିକୁ ଅଟକାଇବା ସହ ରାସ୍ତା ଅବରୋଧ କରିଥିଲେ। ଫଳରେ ରାସ୍ତାର ଦୁଇ ବିପରୀତ ଦିଗରେ ଶହ ଶହ ଯାନବାହନ କିଛି ସମୟ ପାଇଁ ଅଟକି ରହିବା ସହ ଉତ୍ତେଜକ ପରିସ୍ଥିତି ଉପୁଜିଥିଲା।

ଖବର ପାଇ ସୋରୋ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକମାନଙ୍କୁ ବୁଝାଶୁଝା କରିବା ପରେ ରାସ୍ତା ଅବରୋଧ ହଟି ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଛି। କିନ୍ତୁ, ପଥର ପରିବହନ କରୁଥିବା ଗାଡ଼ି ଚଳଚଳ ବନ୍ଦ ରହିଛି।

ସଦ୍ୟ ସୂଚନା ଅନୁସାରେ, ଏହି ଘଟଣାରେ ସ୍ଥାନୀୟ ‘ବିଜେପି’ ପକ୍ଷରୁ ଆନ୍ଦୋଳନ ଆରମ୍ଭ ହୋଇଛି। ଏହି ରାସ୍ତାରେ ଟ୍ରକ୍‌ ସବୁ ଦିନରାତି ପଥର ପରିବହନ କରୁଥିବାରୁ କେବଳ ଜୀବଜନ୍ତୁ ନୁହନ୍ତି ମଣିଷ ବି ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି ବୋଲି ‘ବିଜେପି’ କର୍ମୀମାନେ କହିବା ସହ ଏହାର ପ୍ରତିକାର ଦାବି କରିଛନ୍ତି।

ସମ୍ବନ୍ଧିତ ଖବର