୨ ମନ୍ଦିରରୁ ଚୋରି

ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସହର ମଧ୍ୟରେ ଥିବା ରାମସ୍ବାମୀ ମନ୍ଦିର ଓ ମା’ ଅନ୍ନପୂର୍ଣ୍ଣା ମନ୍ଦିରରୁ ଶନିବାର ଦିନ ଦ୍ବିପ୍ରହରରେ ଚୋରି ହୋଇଥିବା ଅଭିଯୋଗ ହୋଇଛି। ମହାପ୍ରଭୁଙ୍କ ସାତ ଗୋଟି ରୁପା ମୁକୁଟ, ଗୋଟିଏ ସୁନା ନଥ ଓ ଗୋଟିଏ ରୁପା ବଂଶୀ ଚୋରି ହୋଇଥିବା ଖଡ଼ିଆଳ ଥାନାରେ ଅଭିଯୋଗ ହୋଇଛି। ମନ୍ଦିର ମଧ୍ୟରେ ପୂଜା ପାଉଥିବା ରାମ, ଲକ୍ଷ୍ମଣ, ସୀତାଙ୍କ ରୁପା ମୁକୁଟ ଚୋରି ହୋଇଥିବା ବେଳେ ଦୁର୍ଗାଙ୍କ ମୁକୁଟ ଓ ରାଧା-କୃଷ୍ଣ ମନ୍ଦିରର ଦୁଇ ପ୍ରତିମାଙ୍କ ମୁକୁଟ ଚୋରି ହୋଇଥିବା ଜଣାପଡ଼ିଛି।

ଖଡ଼ିଆଳ ପୁଲିସ୍ ଘଟଣାର ଗୁରୁତ୍ବକୁ ଦୃଷ୍ଟିରେ ରଖି ତନାଘନା ଆରମ୍ଭ କରିଛି। ଖଡ଼ିଆଳ ରାମସ୍ବାମୀ ମନ୍ଦିରରେ ପୂଜା ପାଉଥିବା ତିନି ଗୋଟି ମନ୍ଦିରରୁ ୬ଟି ରୁପା ମୁକୁଟ, ଗୋଟିଏ ନଥ ଓ ଗୋଟିଏ ବଂଶୀ ଚୋରି ହୋଇଥିବା ବେଳେ ମା’ ଅର୍ଣ୍ଣପୂର୍ଣ୍ଣା ମନ୍ଦିରରୁ ଗୋଟିଏ ରୁପା ମୁକୁଟ ଚୋରି ହୋଇଛି। ଶନିବାର ଦିନ ୧.୩୦ରୁ ୩ଟା ମଧ୍ୟରେ ପୁରୋହିତ ଶୋଇଥିବା ବେଳେ ମନ୍ଦିରରୁ ଚୋରି ହୋଇଥିବା ଜଣାପଡ଼ିଛି। ଏହି ରୁପା ଅଳଙ୍କାର ହାରାହାରି ଦେଢ଼ରୁ ଦୁଇ କିଲୋ ଓଜନ ହୋଇଥିବା ଅନୁମାନ କରାଯାଉଛି। ମନ୍ଦିର ଟ୍ରଷ୍ଟ ସଦସ୍ୟ ଜଗଦୀଶ ତ୍ରିବେଦୀ, ସୁଧୀର ପଟ୍ଟନାୟକ, ଶତପାଳ ସିଂ ଛାବଡ଼ା, ଦିଲୀପ ପଟ୍ଟନାୟକ, ରଶ୍ମି ରଂଜନ ପଟ୍ଟନାୟକ, ଦୀପକ ବର୍ମା ପ୍ରମୁଖଙ୍କ ଉପସ୍ଥିତିରେ ପୁଲିସ୍ ଟିମ୍ ତଦନ୍ତ କରିଥିଲା।

ସମ୍ବନ୍ଧିତ ଖବର