ସୁନା ଦୋକାନରୁ ଚୋରି, ୪ ଗିରଫ

ଅତାବିରା: ଅତାବିରା ଥାନା ଅନ୍ତର୍ଗତ ଲସ୍ତଲାର ଅନିଲ ସରାଫଙ୍କ ଗହଣା ଦୋକାନ ଓ ଟାଂଗରପାଲି ସ୍କୁଲରେ ଚାଉଳ ଆଦି ଚୋରି ଘଟଣାରେ ଅତାବିରା ପୁଲିସ୍‌ ୪ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ମେଲଛାମୁଣ୍ଡା ଥାନା କୁଚିପାଲିର ବିଶ୍ବଜିତ ସାହୁ (୨୦), ବନ୍ଧପାଲିର ଦୁଃଖନାଶନ ବିଶି ଓରଫ ଅମିତ (୨୧), ଭଟଲି ଥାନା ବଡ଼ମାଲର ବୁଧଦେବ ନାଏକ ଓରଫ ବିକାଶ (୧୯) ଓ ପ୍ରଫୁଲ୍ଲ ମେହେର ଓରଫ ଡିଲେଶ୍ବର(୩୨)।

ଏମାନଙ୍କଠାରୁ ଏକ ଟିଭିଏସ୍ ଆପାଚି ବାଇକ (ଓଡି୧୭ଆର୍-୯୫୩୧), ନମ୍ବର ବିହୀନ ପଲସର ବାଇକ, ୧୦ ଯୋଡ଼ା  ରୂପା ଅଳଙ୍କାର, ୧ ଗ୍ର‌ାମ ସୁନା ରିଙ୍ଗ, ୫୦ କେଜି ଓଜନର ୪ ପାକେଟ ଚାଉଳ, ଏକ ଗ୍ୟାସ୍‌ ସିଲିଣ୍ଡର ଓ ଚୁଲା, ଚୋରିରେ ବ୍ୟବହୃତ ସାମଗ୍ରୀକୁ ପୁଲିସ୍‌ ଜବତ କରିଛି। ଗତ ୧୪ ତାରିଖ ରାତିରେ ଲସ୍ତଲାର ଅନିଲଙ୍କ ଗହଣା ଦୋକାନ ପଛ ପଟରେ ସିନ୍ଧି ଚୋରି କରିଥିଲେ। ଏ ନେଇ ଥାନାରେ ଅଭିଯୋଗ କରିବା ପରେ ଏସ୍‌ଡିପିଓ ଦୀପକ ଗୋଚ୍ଛାୟତଙ୍କ ତତ୍ତ୍ବାବଧାନରେ ଥାନାଧିକାରୀ ଅନିଲ ପ୍ରଧାନ, ଏଏସ୍‌ଆଇ ଲଳିତ ନାଗ, ସୁରେଶ ଦାଶ, ସହଦେବ ବିମାରି ଅପରାଧିଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲେ। ଅଭିଯୁକ୍ତମାନେ ଅତାବିରା, ବରଗଡ଼ ସଦର ଥାନା, ଭଟଲି, ଅମ୍ବାଭୋନା ସମେତ ବିଭିନ୍ନ ଥାନା ଅଂଚଳରେ ଚୋରିରେ ସଂପୃକ୍ତ ଥିବା ପୁଲିସ ସୂଚନା ଦେଇଛି। ଅଭିଯୁକ୍ତମାନଙ୍କୁ ପୁଲିସ୍‌ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର