ସମ୍ବଲପୁର/ଦେବଗଡ଼: ହୋଟେଲ୍ ଶୀଲା ଟାୱାର୍ରୁ ଚୋରି ଘଟଣାରେ ସମ୍ବଲପୁର ପୁଲିସ୍ ତତ୍ପରତା ଦେଖାଇ ଅଧିକାଂଶ ଚୋରି ଟଙ୍କା ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ୍ କରିଛି। ସମ୍ବଲପୁର ପୁଲିସ୍ର ଏକ ଟିମ୍ ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଗୁଣ୍ଡିଆପାଲି ପଂଚାୟତ ଅନ୍ତର୍ଗତ ବନାକାଲ ଗାଁର ରାକେଶ ବେହେରାଙ୍କ ଘରେ ଚଢ଼ଉ କରି ଚୋରି ହୋଇଥିବା ୩୯ ଲକ୍ଷରୁ ୩୨ ଲକ୍ଷ ଟଙ୍କା ଉଦ୍ଧାର କରିଛି। ଶୀଲା ଟାୱାର୍ରେ କାମ କରୁଥିବା ରାକେଶ ଚୋରି ଟଙ୍କାକୁ ଏକ ବସ୍ତାରେ ପୂରାଇ ନିଜ ଘର ନିକଟରେ ମାଟି ତଳେ ପୋତି ଦେଇଥିଲା।
ତଦନ୍ତରୁ ମିଳିଥିବା ତଥ୍ୟ ଓ ସୂଚନା ଆଧାରରେ ଅତିରିକ୍ତ ଏସ୍ପି ତପନ ମହାନ୍ତି, ଏସ୍ଡିପିଓ ପ୍ରଦୀପ ସାହୁ, ଧନୁପାଲି ଥାନା ଅଧିକାରୀ ଅନିତା ପ୍ରଧାନଙ୍କ ନେତୃତ୍ବରେ ଯାଇଥିବା ପୁଲିସ୍ ଟିମ୍ ରିଆମାଳ ପୁଲିସ୍ ସହାୟତାରେ ମାଟି ତଳୁ ୩୨ ଲକ୍ଷ ଟଙ୍କା ଉଦ୍ଧାର କରିବା ସହ ରାକେଶକୁ ଗିରଫ କରିଥିଲା। ଏହି ଘଟଣାରେ ଆଉ ୪-୫ ଜଣ ସଂପୃକ୍ତ ଥିବା କହାଯାଉଛି। ଏସ୍ପି ବି ଗଂଗାଧର ୩୨ ଲକ୍ଷ ଟଙ୍କା ଉଦ୍ଧାର ହୋଇଥିବା ଓ ଜଣେ ବ୍ୟକ୍ତି ଗିରଫ ହୋଇଥିବା ବିଷୟକୁ ସ୍ବୀକାର କରିଛନ୍ତି ଓ ଗୁରୁବାର ଏ ସଂପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିବେ ବୋଲି କହିଛନ୍ତି। ଅପରପକ୍ଷରେ ଏହି ତତ୍ପରତା ଓ ତ୍ବରିତ କାର୍ଯ୍ୟାନୁଷ୍ଠାନ ପାଇଁ ସମ୍ବଲପୁର ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଏସ୍ସିସିଆଇ) ସମ୍ବଲପୁର ପୁଲିସ୍କୁ ପ୍ରଶଂସା କରିଛି।
ସଂଘର ପକ୍ଷରୁ ଜାରି ପ୍ରଶସ୍ତିପତ୍ରରେ ସଭାପତି ଅଶୋକ ଜଲାନ ସମସ୍ତ ସଦସ୍ୟଙ୍କ ତରଫରୁ ସମ୍ବଲପୁର ପୁଲିସ୍କୁ ଆନୁଷ୍ଠାନିକ ଭାବେ ପ୍ରଶଂସା କରିଛନ୍ତି। ସେ ଏସ୍ପି ବି ଗଂଗାଧର, ଅତିରିକ୍ତ ଏସ୍ପି ତପନ ମହାନ୍ତି, ଏସ୍ଡିପିଓ ପ୍ରଦୀପ ସାହୁ, ଧନୁପାଲି ଥାନା ଅଧିକାରୀ ଅନିତା ପ୍ରଧାନ, ସାଇବର୍ ଓ ସାଇଣ୍ଟିଫିକ୍ ଟିମ୍ ତଥା ଏହି ଅଭିଯାନରେ ସଂପୃକ୍ତ ସମସ୍ତ ପୁଲିସ୍ କର୍ମଚାରୀଙ୍କୁ ସାଧୁବାଦ ଜଣାଇଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ୧୫ ତାରିଖ ଦିନ ସମ୍ବଲପୁର ଭିଏସ୍ଏସ୍ ମାର୍ଗରେ ଥିବା ହୋଟେଲ୍ ଶୀଲା ଟାୱାର୍ର କ୍ୟାସ୍ କାଉଣ୍ଟର୍ରୁ ନଗଦ ୩୯ ଲକ୍ଷ ଟଙ୍କା ଚୋରି ହୋଇଥିଲା। ଏନେଇ ଅଭିଯୋଗ ହେବା ପରେ କର୍ମଚାରୀଙ୍କ ସଂପୃକ୍ତି ସଂଦେହ କରି ପୁଲିସ୍ ସେହି ଦିଗେର ତଦନ୍ତ ଆଗକୁ ବଢ଼ାଇଥିଲା।