ଥାନା ସମ୍ମୁଖରୁ ଚୋରି ହୋଇଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ

ଧମା : ଲୋକଙ୍କ ଘରୁ ଚୋରି ହେବା କଥା ସମସ୍ତେ ଶୁଣିଥିବେ। କିନ୍ତୁ ଥାନା ସମ୍ମୁଖରେ ଥିବା ଦୋକାନରୁ ଲକ୍ଷାଧିକ ଟଙ୍କାର ଚୋରି ହୋଇଯିବା ଘଟଣା ଟିକେ ଆପଣଙ୍କୁ ହଜମ ହୋଇ ନପାରେ। କିନ୍ତୁ ଏହା ସତ। ଧମା ଥାନା ସମ୍ମୁଖରେ ଥିବା ଏକ ଦୋକାନ ଭିତରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଶନିବାର ଚୋରି ହୋଇଯାଇଛି। ସିସିଟିଭି କ୍ୟାମେରାରେ ଚୋରିର ଦୃଶ୍ୟ ମଧ୍ୟ କଏଦ ହୋଇଛି। ଏ ନେଇ ଥାନାରେ ଦୋକାନ ମାଲିକ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଧମା ଥାନାଠାରୁ ମାତ୍ର ୫୦ ମିଟର ଦୂରରେ ଥିବା ମହାବୀର ଲୁବ୍ରିକାଣ୍ଟ ଦୋକାନର ୩ଟି ତାଲା ଭାଙ୍ଗି ପାଖାପାଖି ୪ ଲକ୍ଷ ଟଙ୍କାର ସାମଗ୍ରୀ ଚୋରି କରାଯାଇଥିଲା। ଏ ନେଇ ଦୋକାନ ମାଲିକ ଦେବାଶିଷ ପଟ୍ଟନାୟକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ରବିବାର ସାଇଣ୍ଟିପିକ୍‌ ଟିମ୍‌ ଚୋରି ହୋଇଥିବା ଦୋକାନରେ ପହଞ୍ଚି ତନାଘନା କରିଛି। ସିସିଟିଭି କ୍ୟାମେରାରେ କଏଦ ହୋଇଥିବା ଦୃଶ୍ୟ ଅନୁଯାୟୀ, ଶନିବାର ରାତି ୨ଟା ୦୫ ସମୟରେ ଏକ ଧଳା ରଙ୍ଗର ଭ୍ୟାନ୍‌ ଆସି ଅଟକୁଛି। ସେଥିରୁ ଜଣେ ବୁର୍ବୃତ୍ତ ଓହ୍ଲାଉଛି ଏବଂ ଗୋଟି ଗୋଟି କରି ଦୋକାନରେ ପଡ଼ିଥିବା ୩ ତାଲାକୁ ଭାଙ୍ଗି ଦୋକାନ ଭିତରକୁ ପ୍ରବେଶ କରୁଛି। ଦେବାଶିଷଙ୍କ ଅଭିଯୋଗ ଅନୁଯାୟୀ ଦୁର୍ବୃତ୍ତମାନେ ତାଙ୍କ ଦୋକାନରୁ ୨୦୦ଟି ବାଇକ୍‌ ଟାୟାର, ପାଖାପାଖି ୧ ଲକ୍ଷ ଟଙ୍କାର ମୋବିଲ୍‌ ଓ ୪୦ କେଜି ଗ୍ରିସ୍‌ ଚୋରି କରି ନେଇଛନ୍ତି।

ଠିକ୍‌ରେ ହେଉନି ପୁଲିସ ପାଟ୍ରୋଲିଂ
କିଛି ଦିନ ହେବ ଧମା ଥାନା ଅଞ୍ଚଳରେ ପୁଲିସ ପକ୍ଷରୁ ଠିକ୍‌ରେ ପାଟ୍ରୋଲିଂ କରାଯାଉ ନଥିବା ଅଞ୍ଚଳ​ବାସୀ ଅଭିଯୋଗ କରିଛନ୍ତି। ଯେଉଁ କାରଣରୁ ଅପରାଧିକ କାର୍ଯ୍ୟକଳାପ ଥାନା ଅଞ୍ଚଳରେ ଦିନକୁ ଦିନ ବୃଦ୍ଧି ପାଇଛି ବୋଲି ଲୋକେ କହୁଛନ୍ତି। ଅନ୍ୟପଟେ ଥାନାଠାରୁ ୫୦ ମିଟର ଦୂରରେ ଯଦି ତାଲା ଭାଙ୍ଗି ଚୋରି ହେଉଚି ତେବେ ଅନ୍ୟ ସ୍ଥାନଗୁଡ଼ିକରେ କିଏ ସାହା ହେବ ବୋଲି ଲୋକେ ପ୍ରଶ୍ନ ଉଠାଇଛନ୍ତି। ଏହା ସହିତ ପୁଲିସ ପାଟ୍ରୋଲିଂ କଡ଼ାକଡ଼ି କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର