ପୁଣି ମାତିଲେ ମୂର୍ତ୍ତି ଚୋର: ଗଡ଼ମୃଗଶିରା ନାରାୟଣ ଦେବ ମନ୍ଦିରରୁ ବିରଳ ଅଷ୍ଟଧାତୁ ମୂର୍ତ୍ତି ଚୋରି

ପୁରୀ : କିଛିଦିନର ନିରବତା ପରେ ପୁଣି ପୁରୀ ଜିଲ୍ଲାରେ ସକ୍ରିୟ ହୋଇଉଠିଛନ୍ତି ମୂର୍ତ୍ତି ଚୋର। ଗତକାଲି ରାତିରେ ଏମାନେ ଚନ୍ଦନପୁର ଥାନା ଗଡ଼ମୃଗଶିରା ପଞ୍ଚାୟତ ଅଳପୁର ଗାଁର ନାରାୟଣ ଦେବ ହିରଣ୍ୟ ବିଦାରକ ନୃସିଂହ ଦେବ ପୀଠରେ କଳାକନା ବୁଲାଇଛନ୍ତି। ମନ୍ଦିରରେ ଥିବା ବହୁ ପ୍ରାଚୀନ ୫ ମୂର୍ତ୍ତି ସହ ରୁପା ଅଳଙ୍କାର ଚୋରି କରି ନେଇଛନ୍ତି। ଆଜି ସକାଳେ ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ଗାଁ ଲୋକେ ଚନ୍ଦନପୁର ଥାନାରେ ଅଭିଯୋଗ କରିବା ସହ ଅଭିଯୁକ୍ତଙ୍କୁ ତୁରନ୍ତ ଧରିବାକୁ ନିବେଦନ କରିଛନ୍ତି।

ମନ୍ଦିର ପୂଜକ ଆର୍ତ୍ତତ୍ରାଣ ପଣ୍ଡାଙ୍କ ସୂଚନା ମୁତାବକ, ମନ୍ଦିରରୁ ଲକ୍ଷ୍ମୀନାରାୟଣ ମୂର୍ତ୍ତି, ଚନ୍ଦ୍ରଶେଖର ମୂର୍ତ୍ତି, ଦୁର୍ଗା ମୂର୍ତ୍ତି, ନୃସିଂହ ମୂର୍ତ୍ତି ସହ ବିଭିନ୍ନ ଦେବଦେବୀଙ୍କ ଅଳଙ୍କାର, କିରୀଟ, ହାର ଆଦି ଚୋରି ହୋଇଯାଇଛି। ଗତକାଲି ରାତିରେ କେହି ଏଭଳି କାଣ୍ଡ ଘଟାଇଥିବା ଅନୁମାନ କରାଯାଉଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି। ଗ୍ରାମବାସୀମାନେ କହିଛନ୍ତି, ଗାଁ’ର ଏହି ମନ୍ଦିର ସାଢ଼େ ୩ ଶହ ବର୍ଷ ପୁରୁଣା। ଚୋରି ହୋଇଥିବା ମୂର୍ତ୍ତି ମଧ୍ୟରେ ଚନ୍ଦ୍ରଶେଖର ଓ ନୃସିଂହଙ୍କ ଅଷ୍ଟଧାତୁ ନିର୍ମିତ ମୂର୍ତ୍ତି ଥିଲା। ଏହାର ଓଜନ ପ୍ରାୟ ୨୦ କେଜି ହେବ। ସେହିଭଳି ଅନ୍ୟ ମୂର୍ତ୍ତିକୁ ମିଶାଇଲେ ଓଜନ ପ୍ରାୟ ୫୦ କେଜିରୁ ଅଧିକ ହେବ। ଚୋରି ଅଳଙ୍କାର ରୁପାର ହୋଇଥିବା ବେଳେ ଏହାର ଓଜନ ଅଧକେଜିରୁ ଅଧିକ ହେବ। ତେଣୁ ଏହି ଅପରାଧରେ ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ରହିଛି ବୋଲି ଗ୍ରାମବାସୀ ଆଶଙ୍କା କରିଛନ୍ତି। ପୁଲିସ ଘଟଣାସ୍ଥଳ ଅନୁଧ୍ୟାନ କରି ଫେରିଛି।

ସୂଚନାଯୋଗ୍ୟ, ଦୁଇ ମାସ ତଳେ ଜିଲ୍ଲାରେ ମୂର୍ତ୍ତି ଚୋର ଗ୍ୟାଙ୍ଗ୍‌ ‌ବେଶ୍‌ ସକ୍ରିୟ ହୋଇ ଉଠିଥିଲେ। ପୁରୀ, କଣାସ, ପିପିଲି, ସାକ୍ଷୀଗୋପାଳ ଭଳି ବ୍ଲକ୍‌ରେ ଥିବା ବହୁ ପୁରାତନ ମନ୍ଦିରରୁ ଏମାନେ ଅଷ୍ଟଧାତୁ ମୂର୍ତ୍ତି ଚୋରି କରି ନେଇଛନ୍ତି। କିନ୍ତୁ ଏମାନଙ୍କୁ ପୁଲିସ ଆଜି ସୁଦ୍ଧା ଧରିବାରେ ସମର୍ଥ ହୋଇନି। ଯେହେତୁ ସେ ସମୟରେ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ପାଇଲା ଓ ପୁଲିସ ଚଢ଼ଉ ଆରମ୍ଭ ହୋଇଥିଲା, ତେଣୁ ଦୁର୍ବୃତ୍ତମାନେ କିଛି ମାସ ଧରି ନିରବ ରହିଥିଲେ। ପୁଲିସର କୋହଳ ହେବା ପରେ ଏମାନେ ପୁଣି ନିଜର କଳା ସାମ୍ରାଜ୍ୟ ବିସ୍ତାର କରିବା ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର