ଝାରସୁଗୁଡ଼ା: ଗତ ୬ ତାରିଖ ରାତିରେ ବଡ଼ମାଳ ଥାନା ଅନ୍ତର୍ଗତ ବିଜୁ ପଟ୍ଟନାୟକ ଛକ ନିକଟରେ ଥିବା ମୁନ୍ଦ୍ରା ଟାୟାର୍ସରୁ ଝରକା ଭାଙ୍ଗି ଟାୟାର ଓ ବ୍ୟାଟେରି ଚୋରି ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ। ଏହି ଘଟଣାରେ ଅନୁଗୁଳ ଜିଲ୍ଲାର ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ଚୋରି ହୋଇଥିବା ୫୬ଟି ନୂଆ ଟ୍ରକ୍‌ ଟାୟାର, ୨୫ଟି ପୁରୁଣା ଟାୟାର, ୨ଟି ବ୍ୟାଟେରି, ୪ଟି ମୋବାଇଲ୍‌ ଫୋନ୍‌, ଅପରାଧରେ ବ୍ୟବହାର ହୋଇଥିବା ଟ୍ରକ୍‌ (ଓଡି୩୫ସି-୨୦୧୧), ପିକ୍‌ଅପ୍‌ (ଓଡି୨୫-୯୩୭୮) ଓ କାର୍‌ (ଓଡି୦୨ସିବି-୯୦୭୯)କୁ ପୁଲିସ ଜବତ କରିଛି। ଅଭିଯୁକ୍ତମାନେ ହେଲେ ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ପାଟନାସାହିର ଗଣେଶ ଓରଫ କେତନ ସାହୁ (୩୭), ଡିହସାହିର ନ୍ୟାସନାଲ୍‌ ଟାୟାର ୱର୍କସପ୍‌ରେ କାମ କରୁଥିବା ବିହାରର ମହମ୍ମଦ ୱାସିମ୍‌ (୨୯), ଛନ୍‌ ଅଲ୍ଲୀ (୪୨) ଓ ମହମ୍ମଦ ରସିଦ୍‌ (୪୩)। ଏ ସମ୍ପର୍କରେ ଆଜି ବଡ଼ମାଳ ଥାନାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ଗୁଣ୍ଡାଲା ରାଘବେନ୍ଦ୍ର ରେଡ୍ଡୀ ସୂଚନା ଦେଇଛନ୍ତି।

Advertisment

ଅନୁଗୁଳରୁ ଆସି ଝାରସୁଗୁଡ଼ାରେ କଳାକନା ବୁଲାଇଥିଲେ

ପୁଲିସର କହିବା ଅନୁସାରେ, ଅଭିଯୁକ୍ତମାନେ ଏହି ଚୋରି ପାଇଁ ଷଡ୍‌ଯନ୍ତ୍ର କରିଥିଲେ। ଏଥିପାଇଁ ପୂର୍ବରୁ ସେମାନେ ରେକି ମଧ୍ୟ କରିଥିଲେ। ଗତ ୬ ତାରିଖରେ ଅଭିଯୁକ୍ତମାନେ ଏକ କାର୍‌ରେ ଝାରସୁଗୁଡ଼ା ଆସି ଦୋକାନ ବନ୍ଦ ହେବା ଯାଏଁ ଅପେକ୍ଷା କରିଥିଲେ। ଦୋକାନ ବନ୍ଦ ହେବାର କିଛି ସମୟ ପରେ ପଛପଟ କାଚ ଭାଙ୍ଗି ସେମାନେ ଭିତରକୁ ପ୍ରବେଶ କରିବା ସହ ନୂଆ ଓ ପୁରୁଣା ଟାୟାର୍ ବାହାରକୁ କାଢ଼ିଥିଲେ। ଚୋରି ସାମଗ୍ରୀ ନେବା ପ‌ାଇଁ ଦୋକାନଠାରୁ କିଛି ଦୂରରେ ବିଜୁ ଏକ୍ସପ୍ରେସ୍‌ ୱେ’ ମୁଖ୍ୟ ରାସ୍ତାରେ ଏକ ଟ୍ରକ୍‌ ଛିଡ଼ା କରିଥିଲେ। ପିକ୍‌ଅପ୍‌ ଯୋଗେ ଚୋରି ଟାୟାର ଟ୍ରକ୍‌ ପାଖକୁ ଆଣି ଲୋଡ୍‌ କରିବା ପରେ ଅଭିଯୁକ୍ତମାନେ ସେଠାରୁ ଫେରାର ହୋଇଯାଇଥିଲେ। ସକାଳେ ଦୋକାନ ମାଲିକ ନୀଲେଶ ମୁନ୍ଦ୍ରା ଚୋରି ସମ୍ପର୍କରେ ଜାଣି ପୁଲିସର ଦ୍ବାରସ୍ଥ ହୋଇଥିଲେ। ଏହି ଘଟଣାରେ ବଡ଼ମାଳ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହ ଝାରସୁଗୁଡ଼ା ସହର ଓ ଟୋଲ୍‌ ଗେଟ୍‌ଗୁଡ଼ିକର ସିସିଟିଭି ଫୁଟେଜ୍‌ ଯାଞ୍ଚ କରିଥିଲା। ଏହାସହିତ ମୋବାଇଲ୍‌ ନମ୍ବର ଟ୍ରାକିଂ ପରେ ଏହି ୪ ଅଭିଯୁକ୍ତ ହିଁ ଚୋରି କରିଥିବା ସ୍ପଷ୍ଟ ହେବାରୁ ଅନୁଗୁଳ ଯାଇ ସେମାନଙ୍କୁ ଧରିଥିଲା। ସାମ୍ବା‌ଦିକ ସମ୍ମିଳନୀରେ ସଦର ଏସ୍‌ଡିପିଓ ଉମାଶଙ୍କର ସିଂହ, ବଡ଼ମାଳ ଥାନାଧିକାରୀ ରାଜେନ୍ଦ୍ର ଶିଅଳ ଉପସ୍ଥିତ ଥିଲେ।