ପାଟଣା: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅଞ୍ଚଳରୁ ଆଜି ଦିନ ଦ୍ବିପ୍ରହରରେ ୩ଜଣଙ୍କ ଘରୁ ଚୋରି ହୋଇଛି। ଦୁର୍ବୃତ୍ତମନେ ଟଙ୍କା ସହିତ ସୁନାଗହଣା ଚୋରି କରିନେଇଛନ୍ତି। ତୁରୁମୁଙ୍ଗା ଥାନା କଣ୍ଟିଆପଡ଼ା ଗ୍ରାମର ତପନ ନାୟକଙ୍କ ପରିବାର ଲୋକେ ଘରେ ତାଲା ପକାଇ ବିଲକୁ କାମ କରିବାକୁ ପଳାଇଥିଲେ। ଦୁର୍ବୃତ୍ତମାନେ ଘରର ତାଲା ଭାଙ୍ଗି ୨୫ ହଜାର ଟଙ୍କା, ୩୦ ହଜାର ଟଙ୍କା ମୂଲ୍ୟର ସୁନାହାର ଲୁଟି ନେଇଥିବା ଅଭିଯୋଗ ହୋଇଛି। ପରିବାର ଲୋକେ ବିଲରୁ ଆସି ଫେରିବା ପରେ ଘରୁ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ସେହିପରି ତାଙ୍କ ଭାଇ ଦୁଷ୍ମନ୍ତ ନାୟକଙ୍କ ଘରୁ ମଧ୍ୟ ୧୦ ହଜାର ଟଙ୍କା ଓ ୨୫ ହଜାର ଟଙ୍କା ମୂଲ୍ୟର ସୁନାଗହଣା ଚୋରି ହୋଇଛି।
ତୁରୁମୁଙ୍ଗା ଥାନାଠାରୁ ମାତ୍ର ୫ ଶହ ମିଟର ଦୂର ଝାରବେଡ଼ାର ରଜତ ବେହେରାଙ୍କ ଘରୁ ମଧ୍ୟ ଚୋରି କରି ଦୁର୍ବୃତ୍ତମାନେ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ପରିବାର ଲୋକେ ଅନ୍ୟତ୍ର ଯାଇଥିବା ବେଳେ ରଜତ ଅଟୋ ନେଇ ତୁରୁମୁଙ୍ଗା ବଜାରକୁ ଯାଇଥିଲେ। ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ତାଙ୍କ ଘରର ତାଲା ଭାଙ୍ଗି ଏକ ବାକ୍ସରୁ ୫୫ ହଜାର ଟଙ୍କା ଏବଂ ୫ ଲକ୍ଷ ଟଙ୍କା ମୂଲ୍ୟର ସୁନାଗହଣା ଲୁଟି ନେଇଛନ୍ତି। ଖବର ପାଇ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ସମସ୍ତ ତିନିଟି ଘଟଣାରେ ଗୋଟିଏ ଲୁଟେରା ଗ୍ୟାଙ୍ଗ ସମ୍ପୃକ୍ତ ଥିବା ଅନୁମାନ କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/4-6.jpg)