ଧମା : ସମ୍ବଲପୁର ଜିଲ୍ଲା ଧମା ଥାନା ଗୁଲୁଣ୍ଡାରେ ଗ୍ରାମବାସୀ ଶୁକ୍ରବାର ୨ ଜଣ ଚୋରଙ୍କୁ ଲଣ୍ଡା କରିବା ସହ ବେକରେ ଚପଲମାଳ ଝୁଲାଇ ଗାଁ ବୁଲାଇଥିଲେ। ଏଭଳି ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର୍‌ ଧରିଥିଲା। ଏ ନେଇ ଧମା ଥାନାରେ ୨ଟି ମାମଲା ରୁଜୁ ହୋଇଛି।

Advertisment

ପୁଲିସ ସୂଚନା ଅନୁଯାୟୀ, ଗୁଲୁଣ୍ଡାର ଅନିଲ ବର୍ମାଙ୍କ ଟ୍ରାକ୍ଟରରୁ ଗୁରୁବାର ରାତିରେ ବ୍ୟାଟେରି ଚୋରି ହୋଇଥିଲା। ଟ୍ରାକ୍ଟର ଚାଳକ ଶୁକ୍ରବାର ସକାଳୁ ଗାଡ଼ି ନେବାକୁ ଆସିଥିବା ବେଳେ ତାହା ଷ୍ଟାର୍ଟ ନ ହେବାରୁ ଯାଞ୍ଚ କରିଥିଲା ଏବଂ ବ୍ୟାଟେରି ଚୋରି ହୋଇଥିବା ଜଣାପଡ଼ିଥିଲା। ସିସିଟିଭି ଫୁଟେଜ୍‌ ଦେଖିବାରୁ ମାନେଶ୍ବରର ୨ ଜଣ ତାହା ଚୋରାଇଥିବା ସେମାନେ ଜାଣିଥିଲେ। ଏହାପରେ ଅନିଲ ଓ ତାଙ୍କ ସହଯୋଗୀ ମାନେଶ୍ବରର ଡୁବୁରୁ ଖୁଲିଆ(୨୨) ଓ ଜଣେ ନାବାଳକଙ୍କୁ ଗାଁକୁ ଉଠାଇ ଆଣିଥିଲେ। ଗାଁରେ ଲୋକଙ୍କ ସମ୍ମୁଖରେ ସେମାନଙ୍କ ହାତ ବାନ୍ଧି ପ୍ରଥମେ ଲଣ୍ଡା କରିଥିଲେ। ତାପରେ ଉଭୟଙ୍କ ବେକରେ ଚପଲମାଳ ପକାଇ ଗାଁରେ ବୁଲାଇଥିଲେ। ଏହାପରେ ଉଭୟଙ୍କୁ ଟ୍ରାକ୍ଟରରେ ନେଇ ଗୁଣ୍ଡେରପୁର ଫାଣ୍ଡିରେ ପହଞ୍ଚିଥିଲେ। ପୁଲିସ ଅନିଲ ବର୍ମାଙ୍କ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରି ୨ ଅଭିଯୁକ୍ତଙ୍କୁ ଅଟକ ରଖିଛି। ଅନ୍ୟପଟେ ଅନିଲ ବର୍ମା ଓ ତାର ସହଯୋଗୀମାନଙ୍କ ବିରୋଧରେ ଡୁବୁରୁ ଖୁଲିଆଙ୍କ ଭାଇ କିସନ ଖୁଲିଆ ଅଭିଯୋଗ କରିବା ପରେ ପୁଲିସ ଆଉ ଏକ ମାମଲା ରୁଜୁ କରିବା ସହ ଅନିଲ ଓ ତାର ୪ ଜଣ ସହଯୋଗୀଙ୍କୁ ଅଟକ ରଖି ପଚରାଉଚରା କରୁଛି।