କେନ୍ଦୁଝର : କେନ୍ଦୁଝର ସହର ଏବଂ ଏହାର ଆଖପାଖ ଅଞ୍ଚଳରେ ବେଆଇନ ସ୍କ୍ରାପ ବ୍ୟବସାୟୀ ବଢିଛି। ଏହାକୁ ନେଇ ଚୋରି ମଧ୍ୟ ବୃଦ୍ଧି ପାଉଛି। ଲୋକମାନେ ବାଡି ବଗିଚାରେ ଗଛ ଲାଗାଇ ଗାଈଗୋରୁଙ୍କ କବଳରୁ ରକ୍ଷା କରିବା ପାଇଁ ତାରଜାଲି ଦେଇଛନ୍ତି। ହେଲେ ନିଶାଖୋରମାନେ ସେହି ତାରଜାଲିକୁ ଚୋରି କରି ଆଣି ସ୍କ୍ରାପ ଦୋକାନରେ ବିକ୍ରି କରି ଦେଉଛନ୍ତି। ମୁଖ୍ୟତଃ ସଦର ଥାନା ବାଲିଆଗୋଡା ନିକଟରେ ଥିବା ଏକ କବାଡିଆ ଦୋକାନରେ ବହୁ ପରିମାଣର ଚୋରି ସାମଗ୍ରୀ ବିକ୍ରି ହେଉଥିବା ଅଭିଯୋଗ ହେଉଛି।
କଟକଣା ଅଭାବରୁ ଏହି ବ୍ୟବସାୟୀମାନେ କୌଣସି ନୀତି ନିୟମ ନ ମାନି ବିଭିନ୍ନ ପ୍ରକାର ସ୍କ୍ରାପ ସଂଗ୍ରହ କରିବା ସହ ବାହାରକୁ ଚାଲାଣ କରୁଛନ୍ତି । ଅନେକ ସମୟରେ ବିନା ଜିଏସ୍ଟି ବିଲ୍ରେ ଲୁଚାଛପାରେ ବାହାରକୁ ଚାଲାଣ କରୁଥିବାରୁ ବ୍ୟାପକ ରାଜସ୍ୱ ହାନି ହେଉଛି । କେତେକ ଜିଏସ୍ଟି ନମ୍ବର ରଖି ବ୍ୟବସାୟ କରୁଥିଲେ ହେଁ ସ୍କ୍ରାପ କିଣିବା ବେଳେ ରସିଦ ଦେଉ ନଥିବାରୁ ଏବଂ ଲୁଚାଛପାରେ ଟ୍ରିପ ଟ୍ରିପ ଚାଲାଣ କରୁଥିବାରୁ ବ୍ୟାପକ ଜିଏସଟି ଫାଙ୍କି ହେଉଛି। ସ୍କ୍ରାପ ବିକୁଥିବା ଲୋକଙ୍କ ଠାରୁ ସ୍କ୍ରାପ ସମ୍ବନ୍ଧୀୟ କୌଣସି ତଥ୍ୟ ରଖୁ ନଥିବାରୁ ବହୁ ଚୋରା କାରବାର ହେଉଛି। ନିୟମିତ ଚଢ଼ଉ କରି ଷ୍ଟକ ଯାଞ୍ଚ କରିବା ସହ କାଗତପତ୍ର ଯାଞ୍ଚ କଲେ ବହୁ ତଥ୍ୟ ଲୋକ ଲୋଚନକୁ ଆସିପାରିବ ବୋଲି ଆଲୋଚନା ହେଉଛି।
କେନ୍ଦୁଝର ସହରରେ ସ୍କ୍ରାପ ବ୍ୟବସାୟୀ ବନ୍ଦ ଥିବାବେଳେ ଚୋରି କମ ରହୁଥିଲା । ଏବେ ପୁଣି ସ୍କ୍ରାପ ବ୍ୟବସାୟ କେନ୍ଦୁଝର ସହରରେ ବଢୁଥିବାରୁ ଦିନକୁ ଦିନ ଚୋରି ବଢୁଛି । ପୁଲିସ ଏ ଦିଗରେ ଦୃଢ ପଦକ୍ଷେପ ନେବା ଜରୁରୀ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
କେନ୍ଦୁଝର ସହର ଏବଂ ଆଖପାଖ ଅଞ୍ଚଳରେ ପାଖାପାଖି ୧୫ଟି ସ୍କ୍ରାପ ଗୋଦାମ ରହିଛି । ଏଠାରୁ ଦୈନନ୍ଦିନ ଟ୍ରିପ ଟ୍ରିପ ସ୍କ୍ରାପ ସାମଗ୍ରୀ ବିଭିନ୍ନ ସ୍ଥାନକୁ ପଠାଯାଉଛି। ଏ ନେଇ ଜଣେ ସ୍କ୍ରାପ ବ୍ୟବସାୟୀଙ୍କୁ ପଚାରିବାରୁ ଛୋଟ ଛୋଟ ସାମଗ୍ରୀ ବିନା ବିଲରେ ରଖୁଛନ୍ତି ଓ ସେମାନଙ୍କୁ ବିଲ ଦେବା ସମ୍ଭବପର ନୁହେଁ ବୋଲି କହିଥିଲେ । ନିକଟରେ ରୋଲର ଚୋରି ମାମଲାରେ କେନ୍ଦୁଝର ସହର କରଞ୍ଜିଆ ବସ ଷ୍ଟାଣ୍ଡ ନିକଟରେ ଥିବା ଜଣେ ସ୍କ୍ରାପ ବ୍ୟବସାୟୀଙ୍କୁ ରୋଲର ଚୋରାରେ ଆଣି ଖଣ୍ଡ ଖଣ୍ଡ କରୁଥିବାବେଳେ ପୁଲିସ ହାତରେ ଧରାପଡିଥିଲା । ଏହି ଘଟଣାରେ ଗାଡିର କାଗଜପତ୍ର ନରଖି କିପରି ବ୍ୟବସାୟୀ ଚୋରାରେ ଆସିଥିବା ରୋଲର କିଣିଲେ ସେ ନେଇ ଟାଉନ ପୁଲିସ ତାଙ୍କୁ ଗିରଫ କରି ଅଧିକ ତଦନ୍ତ ନ କରି ଛାଡ଼ି ଦେବା ଘଟଣା ଏହି ବେଆଇନ କାର୍ଯ୍ୟକୁ ପ୍ରୋତ୍ସାହନ ଦେଉଛି ବୋଲି ମତପ୍ରକାଶ ପାଇଛି। ସ୍କ୍ରାପ ବ୍ୟବସାୟ ବଢୁଥିବାରୁ ସହରରେ ଛୋଟ ବଡ ଲୁହା ସାମଗ୍ରୀ ଚୋରି ବଢୁଛି । ତୁରନ୍ତ ଏଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/scap-2.jpg)