ସୋନପୁର : ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏକ ନବଜାତ ଶିଶୁକନ୍ୟାକୁ ପ୍ରଥମେ ଚୋରି କରାଯାଇଥିବା ଏବଂ ପରେ ଚୋରି ଉଦ୍ଦେଶ୍ୟରେ ଗାୟବ କରାଯାଇଥିବା ଘଟଣାରେ ଶେଷରେ ଶିଶୁଟି ମା’ କୋଳକୁ ଫେରିଛି। ଗତ ନଭେମ୍ବର ୨୧ ତାରିଖ ଦିନ ଏକ ଶିଶୁକନ୍ୟା (ପ୍ରଦତ୍ତ ନାମ ଲକ୍ଷ୍ମୀ) ଅର୍ଜୁନପୁର ଶରଧାପାଲି ରାସ୍ତା ପ୍ରତାପପୁର ପଡ଼ିଆ ନିକଟରୁ ଉଦ୍ଧାର ହୋଇଥିଲା। ଏହି ମାମଲାଟିକୁ ବିଚାର ନିମନ୍ତେ ଶିଶୁ ମଙ୍ଗଳ ସମିତି ଗ୍ରହଣ କରିଥିଲା। ସାମାଜିକ ଅନୁସନ୍ଧାନ ରିପୋର୍ଟ (ଏସ୍‌ଆଇଆର୍‌) ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ତଥ୍ୟକୁ ବିଚାର କରି ଶିଶୁକନ୍ୟାକୁ ନିଜର ଜନ୍ମିତ ଝିଅ ବୋଲି ଦାବି କରୁଥିବା ମହିଳା ସନ୍ତୋଷିନୀ ତାଣ୍ଡିଆ ଓରଫ ଜାଲଙ୍କୁ କମିଟିର ଆଦେଶ ଅନୁସାରେ ୩୦ ଦିନ ପାଇଁ ପ୍ରଦାନ କରାଯାଇଛି। ଶିଶୁଟିର ଯତ୍ନ ଏବଂ ସୁରକ୍ଷା ପାଇଁ ନିୟମ ଆଧାରରେ ସର୍ତ୍ତ ଅନୁଯାୟୀ ଶିଶୁକନ୍ୟାକୁ ଦିଆଯାଇଥିବା କୁହାଯାଇଛି।

Advertisment

ଏହି ସବୁ ପ୍ରକ୍ରିୟା ପୌଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ‘ସା’ରେ ସମ୍ପା‌ଦନ କରାଯାଇଥିଲା। ଶିଶୁକନ୍ୟା ଲକ୍ଷ୍ମୀକୁ ହସ୍ତାନ୍ତର ସମୟରେ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ହିମାଂଶୁ ଭୂଷଣ ନାୟକ, ଜିଲ୍ଲା ଶିଶୁ ମଙ୍ଗଳ ସମିତି ସଭ୍ୟ ବରୁଣ ମହାନ୍ତି, ଜିଲ୍ଲା ଶିଶୁ ମଙ୍ଗଳ ସମିତି ସଭ୍ୟ ଦିଲୀପ ମୁଖୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶ, ଶିଶୁ ସୁରକ୍ଷା ଅଧିକାରୀ ବିଜୟ ବିଶ୍ବାଳ, ପ୍ରଶାନ୍ତ ମହାକୁଡ଼, ‘ସା’ର ସଂଯୋଜକ ତ୍ରିନାଥ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ଗତ ନଭେମ୍ବର ୨୦ ତାରିଖ ଦିନ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ଏକ ନବଜାତ ଶିଶୁକନ୍ୟାକୁ ଅପହରଣ କରାଯାଇ ବିକ୍ରି ଉଦ୍ଦେଶ୍ୟରେ ଅନ୍ୟ ଜଣକୁ ଦେଇ ଶିଶୁ ଚୋରି ରୂପ ଦିଆଯାଇଥିଲା। ଏହି ଘଟଣାରେ ସୋନପୁର ପୁଲିସ ଗତ ନଭେମ୍ବର ୨୨ ତାରିଖ ଦିନ ଶିଶୁକନ୍ୟାର ବାପା ଗଜେନ୍ଦ୍ର ଓ ଆଈ ପାନ୍ତି ଜାଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତେବେ ଉଦ୍ଧାର ହୋଇଥିବା ଶିଶୁ କନ୍ୟାଟି ସନ୍ତୋଷିନୀଙ୍କର କି ନୁହେଁ ସେଥିପାଇଁ ସନ୍ତୋଷିନୀ ଏବଂ ଉଦ୍ଧାର ଶିଶୁକନ୍ୟାର ଡିଏନ୍‌ଏ ପରୀକ୍ଷା ପାଇଁ ଯାଇଛି। ଡିଏନ୍‌ଏ ପରୀକ୍ଷା ରିପୋର୍ଟ ଆସିଲା ପରେ ଏହା ସ୍ପଷ୍ଟ ହେବ। ସେତେ ଦିନ ପର୍ଯ୍ୟନ୍ତ ଶିଶୁ ମଙ୍ଗଳ ସମିତିର ଏହି ମଧ୍ୟବର୍ତ୍ତିକାଳୀନ ଆଦେଶ ଜାରି ରହିବ ବୋଲି ସୂଚନା ଦିଆଯାଇଛି।