ତୁଷୁରା: ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ଗୌରଗୋଠ ଗ୍ରାମସ୍ଥିତ ମୋବାଇଲ ଟାୱାରରୁ ବ୍ୟାଟେରି ଚୋରି କରୁଥିବା ବେଳେ ପୁଲିସ ୨ ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଗୋଟିଏ ଚାରିଚକିଆ ଗାଡ଼ି (ଓଡି ୦୩-୯୬୭୩) ଓ ୨୪ଟି ବ୍ୟାଟେରି ଜବତ ହୋଇଛି। ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ଗୌରଗୋଠ ଗାଁର ଦେବରାଜ ରଣା(୪୫ବର୍ଷ) ଓ ଉତ୍ତରପ୍ରଦେଶ ମୋରାଦନଗର ଗାଁର ଗୁଲଫାମ (୨୪ବର୍ଷ)। ପୁଲିସର ସୂଚନା ଅନୁସାରେ, ଗୌରଗୋଠ ଗ୍ରାମର ଦେବରାଜଙ୍କ ଜମିରେ ଲିଜରେ ଥିବା ଏକ ମୋବାଇଲ ଟାୱାରରୁ ମଙ୍ଗଳବାର ରାତିରେ କିଛି ଦୁର୍ବୃତ୍ତ ବ୍ୟାଟେରିଗୁଡ଼ିକୁ ଚୋରି କରୁଥିବା ଦେଖି ଗାଁ ଲୋକେ କାବୁ କରିଥିଲେ।
ଏହି ଚୋରିରେ ଏକାଧିକ ଯୁବକ ସାମିଲ ଥିବା ବେଳେ ଗାଁ ଲୋକେ ଗୁଲଫାମକୁ ଧରିଥିବା ବେଳେ ଅନ୍ୟ ୨ ଜଣ ଫେରାର ମାରିଥିଲେ। ପରେ ପୁଲିସ ଖବର ପାଇ ଗାଁକୁ ପହଞ୍ଚି ଗୁଲଫାମକୁ ଗିରଫ କରିବା ସହ ତା’ ପାଖରୁ ଉକ୍ତ ଟାୱାରର ୨୪ଟି ବ୍ୟାଟେରିକୁ ଜବତ କରିଥିଲା। ପୁଲିସ ତଦନ୍ତ ବେଳେ ଚୋରିରେ ସଂପୃକ୍ତ ଥିବା ଅଭିଯୋଗରେ ଟାୱାର ବସିଥିବା ଜମିର ମାଲିକ ଦେବରାଜଙ୍କୁ ମଧ୍ୟ ଗିରଫ କରିଥିଲା। ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଦ୍ବୟଙ୍କୁ ବଲାଙ୍ଗୀର କୋର୍ଟ ଚାଲାଣ କରିଥିଲା। ଅନ୍ୟ ଅଭିଯୁକ୍ତମାନଙ୍କୁ ମଧ୍ୟ ଶୀଘ୍ର ଗିରଫ କରାଯିବ ବୋଲି ଥାନାଧିକାରୀ ସଂଜୀବ ପଧାନ ସୂଚନା ଦେଇଛନ୍ତି।