ଝାରସୁଗୁଡ଼ା: ଝାରସୁଗୁଡ଼ା ମଙ୍ଗଲବଜାରରେ ଥିବା ଶବ ବ୍ୟବଚ୍ଛେଦ ଗୃହରେ ଗଚ୍ଛିତ ରହୁଥିବା ଭିସେରା ଚୋରି ହୋଇଥିବା ଭଳି ଏକ ଅଭାବନୀୟ ଘଟଣା ବିଳମ୍ବରେ ହସ୍ତଗତ ହୋଇଛି। ଏ ନେଇ ଗତ ଡିସେମ୍ବର ୨ ତାରିଖ ଦିନ ଝାରସୁଗୁଡ଼ା ଟାଉନ ଥାନାରେ ସିଡିଏମ୍ଓ ଲିଖିତ ଏତଲା ଦେଇଥିବା ଜଣାପଡ଼ିଛି। ଶବ ବ୍ୟବଚ୍ଛେଦ ପରେ ଭିସେରାକୁ କେମିକାଲ୍‌ ମଧ୍ୟରେ ରଖା ଯାଇଥାଏ। ଏହି ଭିସେରାରୁ ମୃତ୍ୟୁ ସଂପର୍କିତ ଅନେକ ତଥ୍ୟ ଜଣା ପଡ଼ିଥାଏ। ‌

Advertisment

ଝାରସୁଗୁଡ଼ା ଶବ ବ୍ୟବଚ୍ଛେଦ ଗୃହରେ ଗଚ୍ଛିତ ରଖା ଯାଇଥିବା ପ୍ରାୟ ୨/୩ ଶହ ଭିସେରାକୁ ‌କେହି ଦୁର୍ବୃତ୍ତ ଚୋରି କରି ନେଇଥିବା ଅଭିଯୋଗ ହୋଇଛି। ଗୃହର ଝରକା ଭାଙ୍ଗି ଭିତରୁ ଏହି ଭିସେରା କିଏ ଓ କାହିଁକି ଚୋରି କରିବ ସେ ନେଇ ନାନା କଥା ଶୁଣିବାକୁ ମିଳୁଛି। କୌଣସି ଏକ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ ହେବା ଭୟରେ କେହି ଏହି ଭିସେରାକୁ ଯୋଜନା ମୁତାବକ ଚୋରି କରି ନେଇ ନାହିଁ ତ ବୋଲି ମଧ୍ୟ ପ୍ରଶ୍ନ ଉଠିଛି। ତେବେ ପୁଲିସ ଏହି ଘଟଣାକୁ ଅତ୍ୟନ୍ତ ହାଲୁକା ଭାବେ ନେଇଛି। ଆଇଆଇସି ସାବିତ୍ରୀ ବଳ କହିଛନ୍ତି ଏହା କୌଣସି ମଦ୍ୟପର କାର୍ଯ୍ୟ ହୋଇଥାଇ ପାରେ। କାରଣ ମଣିଷ ଶରୀରର କିଛି  ଅଂଶ ଯାହା ଉତ୍କଟ ଦୁର୍ଗନ୍ଧ ଜିନିଷ ତାକୁ କିଏ ଓ କାହିଁକି ନେବ। ତେବେ ଏତେ ସଂଖ୍ୟାରେ ଥିବା ନୂଆ ଓ ପୁରୁଣା ସମସ୍ତ ଭିସେରା ଶବ ବ୍ୟବଚ୍ଛେଦ ଗୃହରୁ  କିଏ ନେଇ କେଉଁଠି ଫିଙ୍ଗିଲା ତାହା ମଧ୍ୟ ଜଣାପଡ଼ି ନାହିଁ।

ଯଦି ମଦ୍ୟପଙ୍କ ଏଭଳି କାର୍ଯ୍ୟ ହୋଇଥାନ୍ତା, ତେବେ ସେମାନେ ତାକୁ ନେଇ ବାହାରେ ନିଶ୍ଚୟ ଫିଙ୍ଗିଥାନ୍ତେ। ସଂପୂର୍ଣ୍ଣ ଭାବରେ ଏହାକୁ ଉଭାନ କରି ଦେବା ପଛରେ କିଛି ରହସ୍ୟ ଥିବା ଆଶଙ୍କା ସ୍ବାଭାବିକ ଅଟେ। ଏ ସଂପର୍କରେ ସିଡିଏମ୍‌ଓ ଡା. ଡୋଳାମଣି ପଟେଲଙ୍କୁ ପଚାରିବାରେ, ଏହି ଭିସେରା ଚୋରି ସଂପର୍କରେ ସେ ଖବର ପାଇ ଡିଏମ୍‌ଓ (ଏମ୍ଏସ୍‌)ଙ୍କୁ ଥାନାରେ ଏଫଆଇଆର୍‌ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ବାରମ୍ବାର ମଙ୍ଗଳବଜାରରେ ଥିବା ଶବ ବ୍ୟବଚ୍ଛେଦ ଗୃହକୁ ଭଙ୍ଗା ଯାଉଥିବା ଓ ଚୋରି ହେବା ଏକ ବଡ଼ ସମସ୍ୟା ସୃଷ୍ଟି କରିଛି। ମୁଖ୍ୟ ଚିକିତ୍ସାଳୟଠାରୁ ୮ କିମି ଦୂର ହେଉଥିବାରୁ ଏହାର ସୁପରିଚାଳନା ମଧ୍ୟ ସମ୍ଭବ ହେଉନାହିଁ। ଏଥି ପାଇଁ ୫ କୋଟି ଟଙ୍କ‌‌ା ମଧ୍ୟ ମଞ୍ଜୁର ହୋଇଛି ଓ ଆଗାମୀ ବର୍ଷଠାରୁ ବାଲିଯୋରି ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ଗୃହ ଆରମ୍ଭ ହେବ ବୋଲି ସେ କହିଛନ୍ତି।