ବଡ଼ବିଲ: ବଡ଼ବିଲ ଥାନା ଭଦ୍ରାସାହି ନିକଟସ୍ଥ ଟଣ୍ଟୋ ନିକଟରୁ ୨୮ ତାରିଖ ବିଳମ୍ବିତ ରାତିରେ ଚୋରି ହୋଇଥିବା ଏକ ହାଇୱାକୁ ପୁଲିସ ଝାଡ଼ଖଣ୍ଡ ହଜାରିବାଗ ଥାନା ଅଞ୍ଚଳରୁ ଉଦ୍ଧାର କରିଛି। ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ହେଲେ ଝାଡ଼ଖଣ୍ଡ ରାମଗଡ଼ ଥାନା ବଡ଼କିକୁନ୍ଦୁରୁ ଗ୍ରାମର ଇଜାଜ୍ ଆନସାରୀ (୨୪), ମହୁଆତାନ ଥାନା ଅନ୍ତର୍ଗତ କାଶିଆଡିହି ଗ୍ରାମର ସାଜନ ଆନସାରୀ (୨୩), ମାଦୁନ ଥାନା ବୀରକାଟ୍ଟି ଗ୍ରାମର ଏମ୍ଡି ମିରାଜ ଆନସାରୀ (୨୨) ଓ ରାମଗଡ଼ ଥାନା କୁନ୍ଦୁରାପଡ଼ା ଗ୍ରାମର ମଜବିଲ୍ ଆନସାରୀ (୨୮)। ଅଭିଯୁକ୍ତଙ୍କଠାରୁ ଗୋଟିଏ ବନ୍ଧୁକ, ଦୁଇଟି ଭୁଜାଲି ଏବଂ ୪ଟି ମୋବାଇଲ ଜବତ ହୋଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ୨୮ ତାରିଖ ରାତି ପ୍ରାୟ ଗୋଟାଏ ବେଳେ ଟଣ୍ଟୋ ନିକଟରେ ଠିଆ ହୋଇଥିବା ଏକ ହାଇୱା (ଓଡି-୦୯-ଜି-୯୩୦୩) ପାଖରେ କିଛି ଦୁର୍ବୃତ୍ତ ବନ୍ଧୁକ ଓ ବିଭିନ୍ନ ମାରଣାସ୍ତ୍ର ଧରି ପହଞ୍ଚିଥିଲେ। ହେଲପର୍ର ହାତଗୋଡ଼ ବାନ୍ଧି ଟ୍ରକ୍ଟିକୁ ସେଠାରୁ ଚୋରି କରିଥିଲେ। ଝାଡ଼ଖଣ୍ଡ ନୂଆମୁଣ୍ଡି ଥାନା ଅନ୍ତର୍ଗତ ହାଟଗମ୍ଭାରିଆ ନିକଟସ୍ଥ ଏକ ଜଙ୍ଗଲରେ ହେଲପର୍କୁ ଛାଡ଼ି ଲୁଟେରାମାନେ ଗାଡ଼ି ନେଇ ଫେରାର ହୋଇଯାଇଥିଲେ। ଏନେଇ ବଡ଼ବିଲ ଥାନାରେ ଅଭିଯୋଗ ହେବା ପରେ ପୁଲିସ କେସ୍ ନମ୍ବର ୫୯/୨୦୨୨ ଦଫା ୩୯୫ ଆଇପିସି, ୧୨୦ବି, ୨୫, ୨୭ ଆର୍ମସ ଆକ୍ଟରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଚୋରି ଟ୍ରକ୍ ଉଦ୍ଧାର କରାଯିବା ସହ ଗିରଫ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ଥାନା ଅଧିକାରୀ ସୁଶାନ୍ତ କୁମାର ଦାଶ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/14-19.jpg)
