ବନ୍ଧୁକ ମୁନରେ ଲୁଟ୍‌ ମାମଲା: ଚୋରି ବାଇକ୍‌ ଓ ୯ ମୋବାଇଲ୍ ଉଦ୍ଧାର, ୩ ଗିରଫ

ଇବଥର୍ମାଲ: ଝାରସୁଗୁଡ଼ା ଜିଲ୍ଲା ବନହରପାଲି ଥାନା ବନ୍ଧବାହାଲ ଫାଣ୍ଡି ଅନ୍ତର୍ଗତ ବନ୍ଧବାହାଲ ବିଦ୍ୟୁତ ସବଷ୍ଟେସନରୁ ଗତ ୨ ତାରିଖ ବିଳମ୍ବିତ ରାତିରେ ବନ୍ଧୁକ ମୁନରେ ଲୁଟ୍ ହୋଇଥିଲା। ଏହି ଘଟଣାରେ ପୁଲିସ୍ ୩ ଜଣକୁ ଗିରଫ କରି କୋର୍ଟଚାଲାଣ କରିଥିବା ସୂଚନା ଦେଇଛି।

ସୂଚନାମତେ, ରବିବାର ବନହରପାଲି ଆଇଆଇସି ଆନ୍ନା ମିଞ୍ଜ, ବ୍ରଜରାଜନଗର ଆଇଆଇସି ପି.କେ ସ୍ବାଇଁ, ବନ୍ଧବାହାଲ ଫାଣ୍ଡି ଅଧିକାରୀ ରବିଶଂକର ଭଇଁସା ତଥା ଟିମ୍ ବେଲପାହାଡ଼ ଥାନା ମୁଚବାହାଲ ଛକ ପାଖରେ ଏକ ନମ୍ବର ବିହୀନ ବାଇକ୍‌କୁ ସନ୍ଦେହରେ ଅଟକାଇ ଯାଞ୍ଚ କରିଥିଲେ। ଏହା ସବ୍‌ଷ୍ଟେସନ ଗ୍ରିଡ୍ ଅପରେଟର ଜ୍ୟୋତିରଂଜନ ପାଣିଗ୍ରାହୀ (୩୪)ଙ୍କ ଏବଂ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ତା’ପରେ ଘଟଣାରେ ସଂପୃକ୍ତ ବ୍ରଜରାଜନଗର ଗଙ୍ଗାନଗରର ଜୟକୁମାର ସାହା (୫୦)କୁ ପୁଲିସ୍‌ କାବୁ କରିଥିଲା। ତାକୁ ପଚରାଉଚୁରା କରିବାରୁ ଘଟଣାରେ ସଂପୃକ୍ତ ଓରିଏଣ୍ଟ ଥାନା ଅଭୟପୁରଠାରୁ ରାଜେଶ ମୁଣ୍ଡା (୨୫)କୁ ଗିରଫ କରିଥିଲା।

ଏଥିସହ ଘଟଣାରେ ଜଣେ ନାବାଳକ ମଧ୍ୟ ସଂପୃକ୍ତ ଥିବାରୁ ପୁଲିସ୍ ତାକୁ କାବୁ କରିଛି। ସେମାନଙ୍କ ଠାରୁ ଚୋରି ବାଇକ୍ (ଓଡି -୨୫ଏଚ୍-୦୩୪୧), ୯ଟି ମୋବାଇଲ, ୧୫ କେଜି ତମ୍ବା ଉଦ୍ଧାର କରିବା ସହ ୨୫ ଶହ ନଗଦ ଟଙ୍କା ଜବତ କରିଛି। ଘଟଣା ସମ୍ପର୍କରେ ବ୍ରଜରାଜନଗର ଏସ୍‌ଡିପିଓ ଗୁପ୍ତେଶ୍ବର ଭୋଇଙ୍କୁ ପଚରାଯିବାରୁ ଏସ୍‌ପି ରାହୁଲ ଜୈନଙ୍କ ନିର୍ଦ୍ଦେଶକ୍ରମେ ଆଇଆଇସି ବ୍ରଜରାଜନଗର, ଆଇଆଇସି ବନହରପାଲି, ଫାଣ୍ଡି ଅଧିକାରୀ ବନ୍ଧବାହାଲ ତଥା କିଛି କର୍ମଚାରୀଙ୍କୁ ନେଇ ଏକ ସ୍ବେସିଆଲ୍ ଟିମ୍ ଗଠନ କରାଯାଇଥିଲା। ତଦନ୍ତରୁ ଉକ୍ତ ଚୋରି ଘଟଣାରେ ୧୧ ଜଣ ସଂପୃକ୍ତ ଥିବା ଜଣାପଡ଼ିଛି। ବର୍ତ୍ତମାନ ୩ ଜଣକୁ ଗିରଫ କରାଯାଇଥିବା ବେଳେ ଅନ୍ୟ ୮ ଜଣ ଫେରାର୍ ଅଛନ୍ତି। ଖୁବ୍‌ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର