ତାଳଚେର-ବିମଳାଗଡ଼ ରେଳପଥ ପାଇଁ ରାଜ୍ୟ ସରକାର ଅନାଗ୍ରହୀ

ରାଉରକେଲା: ଓଡ଼ିଶାର ବିକାଶ ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକଳ୍ପ ସ୍ଥାପନ କରୁଥିବା ଦୃଢ଼ୋକ୍ତି ପ୍ରକାଶ କରୁଛନ୍ତି। କିନ୍ତୁ ରାଉରକେଲାର ଏକାଧିକ ପ୍ରକଳ୍ପ ଉପରେ ସରକାରଙ୍କ ଶୁଭଦୃଷ୍ଟି ପଡ଼ିପାରୁନି; ଯଦ୍ବାରା ପ୍ରକଳ୍ପର ଭାଗ୍ୟ ଝୁଲିରହୁଛି। ଏଭଳି ଅନେକ ପ୍ରକଳ୍ପ ମଧ୍ୟରୁ ଅନ୍ୟତମ ହେଉଛି ତାଳଚେର-ବିମଳାଗଡ଼ ରେଳପଥ। ରେଳବାଇ କର୍ତ୍ତୃପକ୍ଷ ଜମି ଅଧିଗ୍ରହଣ ପାଇଁ ଆଗୁଆ ଅନୁଦାନ ବି ଦେଇସାରିଛନ୍ତି; କିନ୍ତୁ ରାଜ୍ୟ ସରକାର ଜମି ଅଧିଗ୍ରହଣ ପାଇଁ ସଂପୂର୍ଣ୍ଣଭାବେ ଆଖିବୁଜି ଦେଇଛନ୍ତି। ଫଳରେ ପ୍ରାୟ ୬ ଦଶନ୍ଧି ପୁରୁଣା ଏହି ଦାବିର ଭାଗ୍ୟ ଏବେ ଅନିଶ୍ଚିତତା ଭିତରେ।

ମୋଟ୍ ୧୪୯.୭୮ କିଲୋମିଟର ଲମ୍ବ ବିଶିଷ୍ଟ ଏହି ରେଳପଥ ପାଇଁ ସୁନ୍ଦରଗଡ଼ ସମେତ ଦେବଗଡ଼ ଓ ଅନୁଗୁଳ ଜିଲ୍ଲାରେ ୧୧୫ଟି ଗାଁର ୮୫୪.୫୪ ଏକର ବେସରକାରୀ ଜମି ଅଧିଗ୍ରହଣର ଆବଶ୍ୟକତା ରହିଛି। ଏଥିପାଇଁ ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ବ୍ଲକର ସର୍ବାଧିକ ୨୨ ଗାଁ, କୋଇଡ଼ା ବ୍ଲକର ୪ ଗାଁ ଓ ବଣାଇଁ ବ୍ଲକର ୩ ଗାଁରେ ମୋଟ୍ ୨୪୮.୦୨ ଏକର ଜମି ଅଧିଗ୍ରହଣ କରାଯିବ। ସେହିଭଳି ଅନୁଗୁଳ ଜିଲ୍ଲାରେ ୬୭ଟି ଗାଁର ୪୧୪.୪୩ ଏକର ଓ ଦେବଗଡ଼ ଜିଲ୍ଲାର ୧୯ଟି ଗାଁର ୧୯୨.୦୯ ଏକର ଜମି ଅଧିଗ୍ରହଣ ହେବ। ଏତଦ୍ବ୍ୟତୀତ ପ୍ରକଳ୍ପ ପାଇଁ ଆବଶ୍ୟକ ସରକାରୀ ଜମି, ଜଙ୍ଗଲ ଜମି ସମସ୍ୟା ସମାଧାନ ହୋଇସାରିଛି। ତେବେ ଏ ପର୍ଯ୍ୟନ୍ତ କେବଳ, ଅନୁଗୁଳ ଜିଲ୍ଲାରେ ୪୧୪.୪୩ ଏକର ଜମି ଅଧିଗ୍ରହଣ ହୋଇସାରିଥିବାବେଳେ ୪୪୦.୧୧ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇପାରିନି।

ସୁନ୍ଦରଗଡ଼ ଓ ଦେବଗଡ଼ ଜିଲ୍ଲାରେ ଜମି ଅଧିଗ୍ରହଣ ପ୍ରକ୍ରିୟା କାଣିଚାଏ ବି ଆରମ୍ଭ ହୋଇପାରିନି। ତାଳଚେର ପଟୁ ମୋଟ ୫୩ କିଲୋମିଟର ପର୍ଯ୍ୟନ୍ତ ଜମି ଅଧିଗ୍ରହଣ ଶେଷ ହୋଇଥିବାବେଳେ ପ୍ରାୟ ୯୭ କିଲୋମିଟର ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇନି। ଜମି କ୍ଷତିପୂରଣ ବାବଦକୁରେଳବାଇ କର୍ତ୍ତୃପକ୍ଷ ଏଯାବତ୍ ୩୨୦.୪୦ କୋଟି ଟଙ୍କା ରାଜ୍ୟ ସରକାରକୁ ପୈଠ କରିସାରିଛନ୍ତି। କିନ୍ତୁ ତାହା କେବଳ ଅବ୍ୟବହୃତ ହୋଇ ପଡ଼ିରହିଛି। ଜମି ଅଧିଗ୍ରହଣ କରିବାରେ ଜିଲ୍ଲା ପ୍ରଶାସନ ଶତ ପ୍ରତିଶତ ବିଫଳ ହୋଇଛି, ଏଥିରେ ତିଳେମାତ୍ର ଦ୍ବିଧା ନାହିଁ। ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ହୋଇପାରୁନି, କିନ୍ତୁ ପ୍ରତ୍ୟେକ ରେଳ ବଜେଟ୍‌ରେ ଏହି ପ୍ରକଳ୍ପ ପାଇଁ ସ୍ବତନ୍ତ୍ର ଅନୁଦାନ ଦିଆଯାଉଛି। ଗତ ୨୦୦୪-୦୫ ବଜେଟ୍‌ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅମଳରେ ଏହି ପ୍ରକଳ୍ପକୁ ପ୍ରଥମଥର ପାଇଁ ୫ କୋଟି ଟଙ୍କା ମଞ୍ଜୁର ହୋଇଥିଲା। ସେବେଠାରୁ ଆଜି ପର୍ଯ୍ୟନ୍ତ, ଅର୍ଥାତ୍ ଗତ ୨୦ଟି ବଜେଟ୍‌ରେ ଏହି ପ୍ରକଳ୍ପ ପାଇଁ ମୋଟ୍ ୧୮୩୭ କୋଟି ଟଙ୍କା ମଞ୍ଜୁର ହୋଇସାରିଛି। ଗତ ଏପ୍ରିଲ ସୁଦ୍ଧା, ମୋଟ୍ ୮୭୪.୮୯ କୋଟି ବ୍ୟୟ କରାଯାଇଛି। କେବଳ ଏହି ଜମି ଅଧିଗ୍ରହଣରେ ରାଜ୍ୟ ସରକାରଙ୍କ ଅବହେଳା ଯୋଗୁଁ ପ୍ରକଳ୍ପ ସଠିକ୍ ବେଗରେ ଆଗେଇ ପାରୁନି।

ତାଳଚେର ପଟୁ ଜମି ଅଧିଗ୍ରହଣ ହୋଇଥିବାରୁ ତାଳଚେର-ସୁନାଖାନୀ (୧୭.୬୨ କିଲୋମିଟର) ଯାଏଁ ରେଳ ଧାରଣା ବିଛା କାର୍ଯ୍ୟ ଶେଷ ହୋଇଥିବାବେଳେ ସୁନାଖାନୀ-ପାରବିଲ ରେଳ ଧାରଣା ବିଛା କାର୍ଯ୍ୟ ଜାରି ରହିଛି। ଏହା ଆସନ୍ତା ମାର୍ଚ୍ଚ ସୁଦ୍ଧା ଶେଷ ହେବ। ଆଗାମୀ ୨୦୨୫ ସୁଦ୍ଧା ପ୍ରକଳ୍ପ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଯଥାଶୀଘ୍ର ଜମି ଅଧିଗ୍ରହଣ ପ୍ରକ୍ରିୟା ଶେଷ ହେଲେ ଏହି ଲକ୍ଷ୍ୟ ହାସଲ କରିହେବ ବୋଲି ରେଳବାଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ବର୍ତ୍ତମାନ ବିମଳାଗଡ଼ ପଟୁ ମଧ୍ୟ ଜମି ଅଧିଗ୍ରହଣ ଓ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲେ; ପ୍ରକଳ୍ପ ନିର୍ଦ୍ଦିଷ୍ଟ ସମୟରେ ଶେଷ ହେବ। କିନ୍ତୁ ସାଂପ୍ରତିକ ସ୍ଥିତିକୁ ଦେଖିଲେ, ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ ଶେଷ ହେବାର ସାମାନ୍ୟତମ ସମ୍ଭାବନା ନାହିଁ।

 

ସମ୍ବନ୍ଧିତ ଖବର