ରେଳପଥରେ ୨.୬୫ ଲକ୍ଷ ପଦବି ଖାଲି: ୨,୧୭୭ ଗେଜେଟେଡ୍‌, ୨.୬୩ ଲକ୍ଷ ନନ୍‌ ଗେଜେଟେଡ୍

ଉତ୍ତର ରେଳପଥରେ ସର୍ବାଧିକ ଖାଲି ପଡ଼ିଛି, ପୂର୍ବତଟରେ ୮,୪୪୭ ନନ୍‌-ଗେଜେଟେଡ୍‌ ପଦ ଖାଲି

ଭୁବନେଶ୍ବର: ଦେଶରେ ବେକାରି ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି। ଚାକିରି ମିଳୁ ନଥିବାରୁ ଲକ୍ଷାଧିକ ଶିକ୍ଷିତ ଛାତ୍ରଛାତ୍ରୀ ବେକାର ହୋଇ ବୁଲୁଛନ୍ତି। ନିଯୁକ୍ତି ଲାଗି ଏତେତେଣେ ଘୂରି ବୁଲୁଛନ୍ତି। କିନ୍ତୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ଲକ୍ଷାଧିକ ପଦବି ଖାଲି ପଡ଼ିଥିଲେ ହେଁ ପୂରଣ କରିବା ଦିଗରେ ପଦକ୍ଷେପ ନିଆଯାଉନାହିଁ। ଏଥିପାଇଁ ଦେଶରେ ବେକାରି ସମସ୍ୟା ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି। ରେଳ ବିଭାଗକୁ ଉଦାହରଣ ଭାବେ ନିଆଗଲେ, ଏଥିରେ ୨ଲକ୍ଷ ୬୫ ହଜାରରୁ ଊର୍ଧ୍ବ ପଦବି ଏବେ ଖାଲି ପଡ଼ିଛି। ବରିଷ୍ଠରୁ କନିଷ୍ଠ ପର୍ଯ୍ୟନ୍ତ, ସବୁ ବର୍ଗରେ ଗେଜେଟେଡ୍‌ ଓ ନନ୍‌ ଗେଜେଟେଡ୍‌ ପଦବିରେ କେହି ନାହାନ୍ତି। ଯେଉଁଥିପାଇଁ କାର୍ଯ୍ୟ ପ୍ରଭାବିତ ହେବା ସହ ଲୋକଙ୍କୁ ଠିକ୍‌ ସମୟରେ ଉପଯୁକ୍ତ ସେବା ମିଳିପାରୁ ନାହିଁ।

କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ତଥ୍ୟ ଅନୁଯାୟୀ, ଭାରତୀୟ ରେଳପଥର ବିଭିନ୍ନ ଜୋନ୍‌ରେ ୨ ଲକ୍ଷ ୬୫ ହଜାର ୫୪୭ ପଦବି ଖାଲି ପଡ଼ିଛି। ସେଥିମଧ୍ୟରୁ ୨ ହଜାର ୧୭୭ ଗେଜେଟେଡ୍‌ ଥିବା ବେଳେ ୨ ଲକ୍ଷ ୬୩ ହଜାର ୩୭୦ ନନ୍‌-ଗେଜେଟେଡ୍‌ ପଦ ରହିଛି। ଉତ୍ତର ରେଳପଥରେ ସର୍ବାଧିକ ୩୭ ହଜାର ୪୩୬ ନନ୍‌-ଗେଜେଟେଡ୍‌ ପଦବୀ ଖାଲିଥିବା ବେଳେ ପୂର୍ବ ରେଳପଥରେ ୨୮ ହଜାର ୨୦୪, କେନ୍ଦ୍ରୀୟ ରେଳପଥରେ ୨୭ ହଜାର ୧୭୭, ପଶ୍ଚିମ ରେଳପଥରେ ୨୬ ହଜାର ୨୨୭ ନନ୍‌-ଗେଜେଟେଡ୍‌ ପଦ ଖାଲି ରହିଛି। ଗେଜେଟେଡ୍‌ ପଦବି କଥା ଯଦି ବିଚ‌ାରକୁ ନିଆଯାଏ, ତେବେ ପୂର୍ବତଟ ରେଳପଥରେ ୧୯୫ ପଦ ଖାଲିଥିବା ବେଳେ ପଶ୍ଚିମ ‌ରେଳପଥରେ ୧୭୨, ପୂର୍ବ କେନ୍ଦ୍ରୀୟ ରେଳପଥରେ ୧୭୦, ଦକ୍ଷିଣ ରେଳପଥରେ ୧୬୧ ପଦ ବହୁ ବର୍ଷ ହେଲା ଖାଲି ପଡ଼ିଛି। ବିଭିନ୍ନ ଜୋନ୍‌ରେ ଖାଲିଥିବା ପଦବି ବ୍ୟତୀତ ରେଲୱେର ବିଭିନ୍ନ ୟୁନିଟ୍‌ରେ ୫୦୭ଟି ଗେଜେଟେଡ୍‌ ଓ ୧୨ ହଜାର ୭୬୦ ନନ୍‌-ଗେଜେଟେଡ୍‌ ପଦରେ କେହି ନାହାନ୍ତି। ମେଟ୍ରୋ ରେଲୱେରେ ୨୨ଟି ଗେଜେଟେଡ୍‌ ଓ ୮୫୬ ନନ୍‌-ଗେଜେଟେଡ୍‌ ପଦ ଖାଲିଥିବା ନେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ରାଜ୍ୟସଭାରେ ସୂଚନା ଦେଇଥିଲେ।

ପୂର୍ବତଟ ରେଳପଥ ବି ଏହି ଖାଲି ପଦ ତାଲିକାରୁ ବାଦ୍‌ ପଡ଼ିନାହିଁ। ଓଡ଼ିଶା, ଆନ୍ଧ୍ର ଓ ଛତିଶଗଡ଼ର କେତେକ ଅଞ୍ଚଳକୁ ନେଇ ଗଠିତ ଏହି ଜୋନ୍‌ରେ ୮୭ ଗେଜେଟେଡ୍‌ ଓ ୮ ହଜାର ୪୪୭ ନନ୍‌-ଗେଜେଟେଡ୍‌ ପଦ ଖାଲି ରହିଛି। ଦୀର୍ଘ ଦିନ ଧରି ନିଯୁକ୍ତି ହେଉ ନ ଥିବାରୁ ଖାଲି ପଦ ସଂଖ୍ୟା ବଢ଼ିଚାଲିଛି। କେବେ, କିଭଳି ଖାଲି ପଦ ପୂରଣ ହେବ, ସେନେଇ ମନ୍ତ୍ରଣାଳୟ କିମ୍ବା ମନ୍ତ୍ରୀଙ୍କ ପାଖରୁ ସଠିକ୍‌ ଉତ୍ତର ମିଳିପାରୁନାହିଁ। ବରଂ ସମସ୍ତଙ୍କର ସେହି ଚିରାଚରିତ ଉତ୍ତର ଖୁବ୍‌ଶୀଘ୍ର ନିଯୁକ୍ତି ପ୍ରକ୍ରିୟା କରାଯାଇ ପଦବି ପୂରଣ କରାଯିବ। ସୂଚନା ଅନୁଯାୟୀ ଗତ ୫ବର୍ଷ ମଧ୍ୟରେ ରେଳପଥ ନିଯୁକ୍ତି ବୋର୍ଡ ଓ ରେଳପଥ ନିଯୁକ୍ତି ସେଲ୍‌ ମାଧ୍ୟମରେ ୧ ଲକ୍ଷ ୮୯ ହଜାର ୭୯୦ ପଦବି ପୂରଣ ହୋଇଛି। ତା’ପରେ ବି ଆହୁରି ଏତେସଂଖ୍ୟକ ପଦ ଖାଲି ରହିବା ଚିନ୍ତାର ବିଷୟ। ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ଆହୁରି କହିଛନ୍ତି ଯେ ଖାଲି ପଦବି ପୂରଣ ହେବା ଏକ ନିୟମିତ ପ୍ରକ୍ରିୟା। ଆବଶ୍ୟକତା ଅନୁଯାୟୀ ଏ ଦିଗରେ ପଦକ୍ଷେପ ନିଆଯାଉଛି।

ସମ୍ବନ୍ଧିତ ଖବର