‘ହୁ’ ନିୟମାବଳୀ ଅନୁସାରେ ରାଜ୍ୟରେ ଅଛନ୍ତି ୨୦ହଜାର କମ୍ ଡାକ୍ତର

ଭୁବନେଶ୍ବର : ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ)ର ନିୟମାବଳୀ ଅନୁସାରେ ପ୍ରତି ୧ହଜାର ଜନସଂଖ୍ୟାରେ ଜଣେ ଡାକ୍ତର ରହିବା ଆବଶ୍ୟକ। ରାଜ୍ୟର ସାଢ଼େ ୪ କୋଟି ଲୋକଙ୍କ ପାଇଁ ୪୫,୫୫୨ ଡାକ୍ତରଙ୍କ ଆବଶ୍ୟକତା ରହିଛି। ରାଜ୍ୟରେ ଏବେ ୨୪,୭୮୦ ଡାକ୍ତର ପଞ୍ଜୀକୃତ ଥିବା ବେଳେ ଆଉ ୨୦,୭୭୨ ଡାକ୍ତରଙ୍କ ଆବଶ୍ୟକତା ରହିଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି।

ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି, ରାଜ୍ୟରେ ସମୁଦାୟ ୧୦,୭୭୪ ମଞ୍ଜୁରୀପ୍ରାପ୍ତ ଡାକ୍ତରୀ ପଦବି ରହିଛି। ତହିଁରେ ୭୧୮୦ଜଣ କାର୍ଯ୍ୟରତ ଥିବା ବେଳେ ୩୫୯୪ ପଦବି ଖାଲି ପଡ଼ିଛି। ତେବେ ଆଡ ହକ୍ ଭାବେ ୩୭, ଠିକାରେ ୯୧୮, କର୍ପସ ପାଣ୍ଠି ଜରିଆରେ ଠିକାରେ ୭ ଓ ଜିଲ୍ଲା ଖଣିତ ପାଣ୍ଠି ଅଧୀନରେ ୭୧ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ଯାହାଫଳରେ ରାଜ୍ୟରେ କାର୍ଯ୍ୟରତ ଡାକ୍ତରଙ୍କ ସଂଖ୍ୟା ୮୨୧୩କୁ ବୃଦ୍ଧି ପାଇଛି। ‌ସେହିପରି ମଞ୍ଜୁରୀପ୍ରାପ୍ତ ୨୯୯୨ ଫାର୍ମାସିଷ୍ଟଙ୍କ ମଧ୍ୟରୁ ୨୨୨୬ଜଣ କାର୍ଯ୍ୟରତ ଥିବା ବେଳେ ୭୬୬ ଖାଲି, ଲାବ୍ ଟେକ୍‌ନିସିଆନ୍‌ରେ ୫୯୨, ରେଡିଓଗ୍ରାଫର ୨୮୦ ପଦବି ଖାଲି ରହିଛି। ତେବେ ମେଡିକାଲ କଲେ‌ଜରେ ୧୧୩ ଫାର୍ମାସିଷ୍ଟ, ୧୩୩ ଲାବ୍ ଟେକ୍‌ନିସିଆନ୍ ଓ ୫୧ଜଣ ରେଡିଓଗ୍ରାଫର ପଦବି ଖାଲି ପଡ଼ିଛି।

ରାଜ୍ୟ ସରକାର ଭାରତୀୟ ଜନସ୍ବାସ୍ଥ୍ୟ ମାନଦଣ୍ଡ(ଆଇପିଏଚ୍‌ଏସ୍‌) ନୀତିକୁ ଅନୁସରଣ କରି ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ବାସ୍ଥ୍ୟ କେନ୍ଦ୍ର ଖୋଲୁଛନ୍ତି। ୩୦ହଜାର ଜନସଂଖ୍ୟାରେ ଗ୍ରାମାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର(ପିଏଚ୍‌ସି), ପାହାଡ଼ିଆରେ ୨୦ହଜାର, ୫୦ହଜାର ଜନସଂଖ୍ୟାରେ ସହରାଞ୍ଚଳ ପିଏଚ୍‌ସି ଓ ୨.୫-୩ଲକ୍ଷ ଜନସଂଖ୍ୟାରେ ପଲିକ୍ଲିନିକ୍‌ ଖୋଲା ଯାଉଛି। ରାଜ୍ୟରେ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ଲାଗି ୨୦୨୨-୨୩ ଆର୍ଥିକ ବର୍ଷରେ ୫୪୮.୨ କୋଟିର ବ୍ୟୟ ଅଟକଳ କରାଯାଇଛି। ଡାକ୍ତରମାନଙ୍କ ଅଭାବ ପୂରଣ କରିବା ଲାଗି ଗତ ୪ବର୍ଷ ହେଲା ନିୟମିତ ଭାବେ ଲୋକସେବା ଆୟୋଗର ଚୟନ ପ୍ରକ୍ରିୟା ମାଧ୍ୟମରେ ଡାକ୍ତରମାନଙ୍କୁ ନିଯୁକ୍ତି ପ୍ରଦାନ କରାଯାଉଛି। ସେହିପରି ଓଏସ୍‌ଏସ୍‌ଏସ୍‌ସିର ଚୟନ ପ୍ରକ୍ରିୟା ମାଧ୍ୟମରେ ପାରାମେଡିକାଲ କର୍ମଚାରୀଙ୍କୁ ମଧ୍ୟ ନିୟମିତ ଭାବେ ନିଯୁକ୍ତି ଦିଆଯାଉଥିବା ଶ୍ରୀ ପୂଜାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର