ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ ରହିଛି ମୋଟ ୩୫ଟି ଜିଲ୍ଲା ପରିଷଦ ଜୋନ୍‌। ଆଦିବାସୀ ଅଧ୍ୟୁଷିତ ଏହି ଜିଲ୍ଲାରେ ମଧ୍ୟ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ୩ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ହେଉଛନ୍ତି କୋଟିପତି। ସେମାନେ ହେଲେ ସୁନ୍ଦରଗଡ (କ) ବିଜେପି ପ୍ରାର୍ଥୀ ପ୍ରବୀଣ ନାୟକ, କୋଇଡା (ଖ)ର ବିଜେଡି ପ୍ରାର୍ଥୀ ଅଶୋକ କୁମାର ନାୟକ ଓ ବିଶ୍ରା (କ)ର ଜେଏମ୍ଏମ୍‌ ପ୍ରାର୍ଥୀ ଲେଥା ତିର୍କୀ। ନାମାଙ୍କନ ପତ୍ର ଦାଖଲ ସମୟରେ ସେମାନେ ଦେଇଥିବା ସତ୍ୟପାଠରେ ଏହା ସ୍ବୀକାର କରିଛନ୍ତି।

Advertisment

ସୁନ୍ଦରଗଡ଼ (କ)ର ବିଜେପି ପ୍ରାର୍ଥୀ ପ୍ରବୀଣ ଓ ତାଙ୍କ ସମ୍ପର୍କୀଙ୍କ ନାଁରେ ମୋଟ୍‌ ୨ କୋଟି ୯୫ ଲକ୍ଷ ୭୦ ହଜାର ୯୭୩ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ରହିଛି। ତାଙ୍କ ବାପାଙ୍କ ନାଁରେ ୧ କୋଟି ୫୦ ଲକ୍ଷ ଜମି ରହିଛି। ନିଜ ନାଁରେ ୨୦ ଲକ୍ଷ ଟଙ୍କାର ଜମି ରହିଥିବା ସେ ଦର୍ଶାଇଛନ୍ତି। ଏଥିସହ ୩୦ ହଜାରର କାର୍‌, ୬୦ ଲକ୍ଷ ଟଙ୍କାର ୩ଟି ଟ୍ରକ, ୫ଲକ୍ଷ ଟଙ୍କାର ଦୁଇଟି ଟ୍ରାକ୍ଟର, ୨ ଲକ୍ଷ ୫୦ ହଜାର ଟଙ୍କାର ଦୁଇଟି ଜେସିବି, ପତ୍ନୀଙ୍କ ନାଁରେ ୩ ଲକ୍ଷ ଟଙ୍କାର କାର୍‌ ଓ ୪ ଲକ୍ଷ ଟଙ୍କାର ଟ୍ରାକ୍ଟର ରହିଛି। ପତ୍ନୀଙ୍କ ନାଁରେ ୪ ଲକ୍ଷ ଓ ନିଜ ନାଁରେ ଦେଢ଼ଲକ୍ଷ ଟଙ୍କାର ସୁନାଗହଣା ରହିଛି। ବିଭିନ୍ନ ବ୍ୟାଙ୍କରେ ପତ୍ନୀ ଓ ତାଙ୍କ ନାଁରେ ୧୬ ଲକ୍ଷ ୧୮ ହଜାର ୪୫୨ ଟଙ୍କା ଜମା ରହିଛି।
ସେହିପରି ଅନ୍ୟ କୋଟିପତି ପ୍ରାର୍ଥୀ କୋଇଡା (ଖ)ର ବିଜେଡି ପ୍ରାର୍ଥୀ ଅଶୋକ କୁମାର ନାୟକଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୋଟ୍‌ ମୂଲ୍ୟ ୩ କୋଟି ୭୫ ଲକ୍ଷ ଟଙ୍କା ରହିଛି। ତାଙ୍କର ଭୁବନେଶ୍ବର ଚନ୍ଦ୍ରଶେଖରପୁରରେ ୧ କୋଟି ୧୦ ଲକ୍ଷ ୪୦ ହଜାରର ପ୍ଲଟ ରହିଛି। ତାଙ୍କ ସହ ତାଙ୍କ ଭାଇ, ଭଉଣୀ ଓ ମା’ଙ୍କ ନାଁରେ ମୋଟ୍‌ ୧ କୋଟି ୩୦ ଲକ୍ଷ ଟଙ୍କାର ଜମିର ଅଛି। ସେହିପରି ମୋଟ୍‌ ୨ କୋଟି ୧ ଲକ୍ଷ ୫ ହଜାର ଟଙ୍କାର ବିଭିନ୍ନ ଗାଡି ରହିଛି।

ଏଥି ମଧ୍ୟରେ ରହିଛି ୧୦ ଲକ୍ଷ ଟଙ୍କାର ଦୁଇଟି ଲୋଡର, ୧ ଲକ୍ଷ ୫୦ ହଜାର ଟଙ୍କାର କାର୍‌, ୮ ଲକ୍ଷ ଟଙ୍କାର ଟ୍ରକ୍‌, ୧୫ ହଜାର ଟଙ୍କାର ସ୍କୁଟି ରହିଛି। ସେମିତି ଦେଢ଼ଲକ୍ଷ ଟଙ୍କାର ସୁନାଗହଣା ମଧ୍ୟ ସେ କିଣିଛନ୍ତି। ବିଭିନ୍ନ ବ୍ୟାଙ୍କରେ ୫ ଲକ୍ଷ ୮୮ ହଜାର ୯୦୫ ଟଙ୍କା ଜମା ରହିଛି। ଏଥିସହ ଦୁଇଟି କମ୍ପାନୀରେ ଯଥାକ୍ରମେ ୨ ଲକ୍ଷ ୫୦ ହଜାର ଓ ୩୩ ହଜାର ଟଙ୍କାର ଅଂଶ ରହିଛି। ଅନୁରୂପ ଭାବେ ପତ୍ନୀଙ୍କ ନାଁରେ ବିଭିନ୍ନ ବ୍ୟାଙ୍କରେ ୭ ଲକ୍ଷ ୬୪ ହଜାର ୭୯୪ ଟଙ୍କା ଜମା ରହିଥିବା ସେ ତାଙ୍କ ସତ୍ୟ ପାଠରେ ଦର୍ଶାଇଛନ୍ତି। ଉଲ୍ଲେଖନୀୟ ଯେ ଶ୍ରୀ ନାୟକଙ୍କ ବାପା ବେଣୁଧର ନାୟକ ବଣାଇ ନିର୍ବାଚନ ମଣ୍ଡଳୀରେ ଦୁଇ ଦୁଇଥର ବିଧାୟକ ଥିଲେ। ତାଙ୍କ ଭଉଣୀ ଗତ ଜିଲ୍ଲା ପରିଷଦ ନିର୍ବାଚନରେ ବିଜୟୀ ହୋଇଥିଲେ। ଏଥର ତାଙ୍କ ସହ ପ୍ରତିଦ୍ବନ୍ଦିତା କରୁଛନ୍ତି ସିପିଆଇ (ଏମ୍‌)ର ବାଦଲ ବାରିକ୍, କଂଗ୍ରେସର ରାଜକିଶୋର ପାତ୍ର, ବିଜେପିର କୁଳମଣି ପାତ୍ର, ସ୍ବାଧୀନ ପ୍ରାର୍ଥୀ ଦିଲୀପ କୁମାର ଦାସ ଓ ଅଲ୍‌ ଝାଡ଼ଖଣ୍ଡ ଷ୍ଟୁଡ଼େଣ୍ଟସ ୟୁନିୟନର ସସ୍ମିତା ବାରିକ୍‌। ବଣାଇଁ ନିର୍ବାଚନ ମଣ୍ଡଳୀରେ ସିପିଆଇ(ଏମ୍‌)ର ଭଲ ଦବଦବା ଥିବାରୁ ବିଜେଡି ଓ ସିପିଆଇ (ଏମ୍‌) ମଧ୍ୟରେ କଡା ଟକ୍କର ହେବ।

ଜିଲ୍ଲାର ଆଉ ଜଣେ କୋଟିପତି ଜିଲ୍ଲା ପରିଷଦ ପ୍ରାର୍ଥୀ ହେଲେ ବିଶ୍ରା (କ)ରୁ ଲଢ଼ୁଥିବା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌)ର ଲେଥା ତିର୍କୀ। ତାଙ୍କର ମୋଟ୍‌ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୨୫ କୋଟି ୨୮ ଲକ୍ଷ ୧୮ ହଜାର ଟଙ୍କା ରହିଛି। ଏଥି ମଧ୍ୟରେ ଜାମସେରାରେ ୧ କୋଟି ଟଙ୍କାର ଓ ଜଗଦାରେ ୨୪ କୋଟିର ଜମି ରହିଛି। ଏଥିସହ ତାଙ୍କର ୫ ଲକ୍ଷ ଟଙ୍କାର କାର୍‌, ୨୦ ହଜାର ଟଙ୍କାର ହୋଣ୍ଡା ଏକ୍ଟିଭା ମଧ୍ୟ ରହିଛି। ବ୍ୟାଙ୍କରେ ୯୦ ହଜାର ଟଙ୍କାର ଜମା ରହିଛି। ତାଙ୍କ ପତ୍ନୀଙ୍କ ନାଁରେ ୨୨ ଲକ୍ଷ ଟଙ୍କା ଫିକ୍‌ସ ଡିପୋଜିଟ୍‌ ଥିବାବେଳେ ୮ ହଜାର ଟଙ୍କା ଜମା ରହିଛି। ଲେଥାଙ୍କ ବିରୋଧରେ ବିଶ୍ରା (କ) ଜିଲ୍ଲା ପରିଷଦ ଜୋନ୍‌ରୁ ବିଜେପିରୁ ତପନ କୁମାର ସ୍ବାଇଁ, କଂଗ୍ରେସରୁ ସୁଶୀଲ କୁମାର କିଣ୍ଡୋ, ବିଜେଡିରୁ ହାଲୁ ମୁଣ୍ଡାରୀ, ସ୍ବାଧୀନରୁ ଚରଣ ମହାତୋ, ନିରୁପମା ସାହୁ, ଶୁକ୍ରାମ କୁମ୍ଭାର ଓ ସିପିଆଇ (ଏମ୍‌)ରୁ ପ୍ରଦୀପ ଗୌଡ ଲଢ଼ୁଛନ୍ତି। ଗତ ବର୍ଷ ବିଶ୍ରା (କ) ଓ (ଖ) ଆସନ ବିଜେପି ଖାତାକୁ ଯାଇଥିଲା। ଚଳିତ ଥର ବିଜେପି, କଂଗ୍ରେସ, ବିଜେଡି ଓ ଜେଏମ୍‌ଏମ୍‌ ମଧ୍ୟରେ କଡା ଟକ୍କର ହେବ ବୋଲି ଜଣାପଡିଛି।