ଭୁବନେଶ୍ବର: ଚଳିତ ନିର୍ବାଚନରେ ରାଜ୍ୟରେ ମାତ୍ର ୩୩୮୦ କିନ୍ନର ଦେବେ ଭୋଟ। ସେଥିରେ ପୁଣି କେନ୍ଦୁଝରରେ କୌଣସି କିନ୍ନର ମତଦାତା ନାହାନ୍ତି। ବୌଦ୍ଧ ଜିଲ୍ଲାର କଣ୍ଟାମାଳରେ ୧, ସମ୍ବଲପୁର ଜିଲ୍ଲା କୁଚିଣ୍ଡା, ବରଗଡ଼ ଜିଲ୍ଲା ଭଟଲି, କେନ୍ଦୁଝର ଜିଲ୍ଲା ପଟନା ପ୍ରତ୍ୟେକରେ ୨ ଜଣ ଲେଖାଏଁ, ନବରଙ୍ଗପୁର ଝରିଗ୍ରାମ, ପୁରୀ ଜିଲ୍ଲା କାକଟପୁରରେ ମାତ୍ର ୩ ଜଣ କିନ୍ନର ଭୋଟର ଥିବା ନେଇ ନିର୍ବାଚନ କମିସନଙ୍କ ପକ୍ଷରୁ ଜାରି ରିପୋର୍ଟରେ ଏହି ସୂଚନା ଦିଆଯାଇଛି। ୨୦୧୯ରେ କିନ୍ନର ମତଦାତାଙ୍କ ସଂଖ୍ୟା ୨୯୨୩ ରହିଥିଲା।

Advertisment

୨୦୧୪ ମସିହାରେ ସର୍ବୋଚ୍ଚ ନ୍ୟାୟାଳୟର ଗୁରୁତ୍ବପୂର୍ଣ୍ଣ ରାୟ ଅନୁସାରେ, କିନ୍ନରମାନଙ୍କୁ ସ୍ବତନ୍ତ୍ର ଲିଙ୍ଗର ମାନ୍ୟତା ମିଳିଛି। ୨୦୧୧ ମସିହାର ଜନଗଣନା ଅନୁସାରେ ଏମାନଙ୍କ ସଂଖ୍ୟା ୨୦ ହଜାର। ବର୍ତ୍ତମାନ ଏହା ୫୦ ହଜାରକୁ ଅତିକ୍ରମ କରିବା ନେଇ ବିଭିନ୍ନ କିନ୍ନର ଗୋଷ୍ଠୀଙ୍କ ପକ୍ଷରୁ ଅନୁମାନ କରାଯାଉଛି। ଏଭଳି ସ୍ଥିତିରେ ନିର୍ବାଚନରେ ଏତେ କମ ସଂଖ୍ୟକ ମତଦାତା ରହିବା ବିସ୍ମିତ ସୃଷ୍ଟି କଲାଣି। ଆଜିବି ରାଜ୍ୟରେ କିନ୍ନରଙ୍କ ପ୍ରତି ସାମାଜିକ ଅସ୍ପୃଶ୍ୟତା ଏବଂ ଉପହାସ କେତେ ଭୟଙ୍କର ସ୍ଥିତିରେ ରହିଛି ତାହା ଏଥରୁ ସ୍ପଷ୍ଟ ଅନୁମେୟ। ତେଣୁ ସେମାନେ ପୁରୁଷ ଏବଂ ମହିଳାଙ୍କ ପରିଚୟରେ ଲୁଚିବାକୁ ବାଧ୍ୟ ହେଉଛନ୍ତି। କିନ୍ନରମାନଙ୍କର କହିବା ଅନୁସାରେ, ଦେଶରେ ୧୯୯୮ ମସିହାରେ ମଧ୍ୟପ୍ରଦେଶର ସବନମ ମାଉସୀ ପ୍ରଥମ କିନ୍ନର ବିଧାୟକ ହୋଇଛନ୍ତି। ମଧ୍ୟପ୍ରଦେଶ, ରାୟପୁରରେ କିନ୍ନର ମେୟର ମଧ୍ୟ ହୋଇଛନ୍ତି। ଓଡ଼ିଶାର ସବୁ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସରେ କିନ୍ନର ନେତ୍ରୀ ଥିବା ସତ୍ତ୍ବେ ନିର୍ବାଚନରେ କାହାକୁ ସୁଯୋଗ ଦିଆଯାଇ ନାହିଁ। ଗତ ନିର୍ବାଚନରେ ଯାଜପୁର ଏବଂ କଟକ ବାରବାଟି ବିଧାନସଭାରେ କିନ୍ନର ପ୍ରାର୍ଥୀ ହୋଇଥିଲେ ମଧ୍ୟ ସେମାନେ ହାରି ଯାଇଥିଲେ।

ମୀରା ପରିଡ଼ା କହିଛନ୍ତି, ରାଜ୍ୟରେ କିନ୍ନର ନୀତି-୨୦୧୭ର ଚିଠା ପ୍ରସ୍ତୁତ ହୋଇଛି। ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ, ଆୟ ମାନଦଣ୍ଡ ଅନୁଯାୟୀ ପେନସନ ଏବଂ ଏସଏଚଜି ଜରିଆରେ ସ୍ବାବଲମ୍ବୀ ହେବା ପାଇଁ ୧ ଲକ୍ଷ ୨୫ ହଜାର ଋଣ, ସହରାଞ୍ଚଳ ବିକାଶ ବିଭାଗ ପକ୍ଷରୁ ଜଳ ବିଶୋଧନ ପ୍ରକଳ୍ପ, ପାର୍କିଂ ଆଦି ସମେତ ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ପାଇଁ ରୋଜଗାରର ଯୋଜନା କରାଯାଉଛି। ସାମାଜିକ କର୍ମକର୍ତ୍ତା ମେଘନାଙ୍କ କହିବା ଅନୁସାରେ, କିନ୍ନରମାନଙ୍କ ପାଇଁ ଏହି ଯୋଜନାଗୁଡ଼ିକ ରହିଥିଲେ ମଧ୍ୟ ଏହା ଠିକ ଭାବରେ କାର୍ଯ୍ୟକାରୀ ହେଉ ନାହିଁ। ଉଦାହରଣ ସ୍ବରୂପ, ସର୍ବୋଚ୍ଚ ନ୍ୟାୟାଳୟ ପକ୍ଷରୁ ତୃତୀୟ ଲିଙ୍ଗ ମାନ୍ୟତା ସତ୍ତ୍ବେ ଆଧାର କାର୍ଡ, ପାସପୋର୍ଟରେ ସ୍ବତନ୍ତ୍ର ପରିଚୟ ପତ୍ର ପାଇବା ସହଜ ନୁହେଁ କି ସମ୍ଭବ ନୁହେଁ। ଯେତେ ଦିନ ପର୍ଯ୍ୟନ୍ତ ସେମାନଙ୍କୁ ସାମାଜିକ ମର୍ଯାଦା ମିଳିବ ନାହିଁ ଏହା କୌଣସି ଉପଯୋଗରେ ଆସିବ ନାହିଁ। ଏଥିପାଇଁ ଜନସଚେତନତାର ଅଭିଯାନ ସହିତ ଶିକ୍ଷାରୁ ଚାକିରି ପର୍ଯ୍ୟନ୍ତ ସ୍ବତନ୍ତ୍ର ଯୋଜନା ଦରକାର। ରାଜ୍ୟର କିନ୍ନର ମତଦାତାଙ୍କ ସଂଖ୍ୟା ଖୋର୍ଧାରେ ୫୬୦, ବଲାଙ୍ଗୀରରେ ୨୭୫, ଗଞ୍ଜାମରେ ୨୭୩, କଟକରେ ୨୬୫, ସୁନ୍ଦରଗଡ଼ରେ ୧୬୮, ଭଦ୍ରକରେ ୧୫୧, ଅନୁଗୁଳରେ ୧୩୨, ବାଲେଶ୍ବରରେ ୧୪୪ ଜଣ ରହିଛନ୍ତି।