କଟକ: ରାଜ୍ୟରେ ଏବେ ୭ଟି ସରକାରୀ ଏମ୍ବିବିଏସ୍ ମେଡିକାଲ କଲେଜ୍ ଗୋଟିଏ ସରକାରୀ ଡେଣ୍ଟାଲ୍ କଲେଜ ରହିଛି। ଏଥିରେ ପ୍ରତିବର୍ଷ ୧୧ ଶହରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢ଼ିବାର ସୁଯୋଗ ପାଉଛନ୍ତି। କିନ୍ତୁ ଏହି ସରକାରୀ ମେଡିକାଲ କଲେଜରେ ପାଠ ପଢ଼ାଇବା ପାଇଁ ବିଶେଷଜ୍ଞ ଡାକ୍ତରଙ୍କ ଅଭାବ ଏବେ ଗୁରୁତର ପରିସ୍ଥିତି ସୃଷ୍ଟି କରିଛି। ମୋଟ ସ୍ବୀକୃତିପ୍ରାପ୍ତ ପଦବିର ୪୫ ପ୍ରତିଶତ ଏବେ ଖାଲି ପଡ଼ିଛି। ସରକାରୀ ମେଡିକାଲ କଲେଜଗୁଡ଼ିକରେ ଖାଲି ପଡ଼ିଥିବା ପଦବିକୁ ନେଇ ନାସନାଲ୍ ମେଡିକାଲ୍ କମିସନ୍ (ଏନ୍ଏମ୍ସି) ଚିନ୍ତାପ୍ରକଟ କରିବା ସହିତ ଦେଶର ସମସ୍ତ ସରକାରୀ ମେଡିକାଲ କଲେଜକୁ ଫାକଲ୍ଟି ସଂକ୍ରାନ୍ତ ତଥ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
କେଉଁ ବିଭାଗରେ କେତେ ପଦବି ଅଛି ଓ କେତେ ଖାଲି ପଡ଼ିଛି ତାର ବିବରଣୀ ଦେବାକୁ ଚିଠି କରିଛନ୍ତି। କିନ୍ତୁ ଏନ୍ଏମ୍ସି ତଥ୍ୟ ମାଗିବା ପରେ ଏବେ ଏହାକୁ ନେଇ ଏବେ ରାଜ୍ୟ ପାଇଁ ଅଡ଼ୁଆ ବଢ଼ିଛି। ରାଜ୍ୟରେ ଥିବା ୭ଟି ସରକାରୀ ମେଡିକାଲ କଲେଜ ପାଇଁ ମୋଟ ୮୩୪ଟି ମଂଜୁରୀପ୍ରାପ୍ତ ପଦବି ଥିବା ବେଳେ ଅଛନ୍ତି ମାତ୍ର ୪୫୬ ଜଣ। ଅର୍ଥାତ ୪୫ ପ୍ରତିଶତ ପଦବି ଫାଙ୍କା ପଡ଼ିଛି। ଏଭଳି ତଥ୍ୟ ଏନ୍ଏମ୍ସିକୁ ଗଲେ ରାଜ୍ୟର କିଛି ମେଡିକାଲ କଲେଜର ଅନୁମତି ପ୍ରତ୍ୟାହାର ହେବା ଆଶଙ୍କା ସୃଷ୍ଟି ହୋଇଛି।
ତଥ୍ୟ ମୁତାବକ, ରାଜ୍ୟରେ ଏବେ ସରକାରୀ-ବେସରକାରୀ ଭାବେ ମୋଟ ୧୫ଟି ମେଡିକାଲ କଲେଜ ରହିଛି। ସେଥରୁ ୭ଟି ଏମ୍ବିବିଏସ ଓ ଗୋଟିଏ ବିଡିଏସ୍ ସରକାରୀ ମେଡିକାଲ କଲେଜ ରହିଛି। ରାଜ୍ୟରେ କଟକର ଶ୍ରୀରାମଚନ୍ଦ୍ର ଭଂଜ ମେଡିକାଲ କଲେଜ, ବ୍ରହ୍ମପୁରର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ, ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନସ୍ ଆଣ୍ଡ ରିସର୍ଚ, ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ, କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ, ବଲାଙ୍ଗୀରର ଭୀମଭୋଇ ମେଡିକାଲ କଲେଜ, ବାଲେଶ୍ବରର ଫକୀରମୋହନ ମେଡିକାଲ କଲେଜ ସରକାରୀ ଏମବିବିଏସ୍ କଲେଜ ହୋଇଥିବା ବେଳେ ଏସସିବିରେ ଡେଣ୍ଟାଲ୍ କଲେଜ ବି ରହିଛି। ଏସ୍ସିବିରେ ୨୫୦ (ଏମବିବିଏସ୍) ସିଟ୍ ଥିବା ବେଳେ, ବ୍ରହ୍ମପୁରରେ ୨୫୦, ବୁର୍ଲାରେ ୨୦୦ ସିଟ୍ ରହିଛି। କାର୍ଯ୍ୟକ୍ଷମ ଅନ୍ୟ ୪ଟି ମେଡିକାଲ କଲେଜରେ ୪୦୦ସିଟ୍ ରହିଛି। ଅର୍ଥାତ ୭ଟି ସରକାରୀ ମେଡିକାଲ କଲେଜରେ ମୋଟ ୧୧୦୦ ଏମବିବିଏସ୍ ସିଟ୍ ରହିଛି। ଏସ୍ସିବି ଡେଣ୍ଟାଲ କଲେଜରେ ୫୦ଟି ସିଟ୍ ରହିଛି। ସରକାର ନୂଆ କରି ଖୋଲିଥିବା ୪ଟି ମେଡିକାଲରେ ଏସ୍ସିବି, ବ୍ରହ୍ମପୁର ଓ ବୁର୍ଲାରୁ ବିଶେଷଜ୍ଞଙ୍କୁ ନେଇ ନିଯୁକ୍ତି ଦେଉଛନ୍ତି। ଅନ୍ୟପଟେ ପୁରୀ, ଯାଜପୁରରେ ବି ସରକାରୀ ମେଡିକାଲ କଲେଜର ଭିତ୍ତିଭୂମି ପ୍ରସ୍ତୁତ ଚାଲିଛି।
ଏସ୍ସିବିକୁ ଏମ୍ସ ପ୍ଲସ୍ କରିବାକୁ ସରକାର ଘୋଷଣା କରିଛନ୍ତି। କିନ୍ତୁ ସବୁଠୁ ଗୁରୁତ୍ବପୂର୍ଣ୍ଣ ତଥା ମୂଳ ଆବଶ୍ୟକତା ବିଶେଷଜ୍ଞ ଡାକ୍ତର ଅଭାବ ଥିବା ବେଳେ ସରକାରୀ ମେଡିକାଲ କଲେଜଗୁଡ଼ିକର ସ୍ଥିତି ଆଗକୁ କଣ ହେବ ତାହାକୁ ନେଇ ଆଶଙ୍କା ପ୍ରକାଶ ପାଇଛି। ଏ ସଂପର୍କରେ ଡିଏମ୍ଇଟି ପ୍ରଫେସର ଡାକ୍ତର ସିବିକେ ମହାନ୍ତି କହିଛନ୍ତି, ଏନ୍ଏମ୍ସି କିଛି ଦିନ ତଳେ ରାଜ୍ୟର ମେଡିକାଲ ଶିକ୍ଷା ବ୍ୟବସ୍ଥାକୁ ନେଇ ବିଭିନ୍ନ ତଥ୍ୟ ମାଗିଛନ୍ତି। ଏନ୍ଏମ୍ସି ତାଙ୍କର ଡାଟା ବେସ୍ ପ୍ରସ୍ତୁତ କରିବାକୁ ଏଭଳି ତଥ୍ୟ ମାଗିଛନ୍ତି। ବିଭାଗ ପକ୍ଷରୁ ସେ ସବୁ ତଥ୍ୟ ପ୍ରଦାନ କରିବାକୁ ପଦକ୍ଷେପ ନିଆଯାଉଛି। କିନ୍ତୁ ରାଜ୍ୟରେ ସରକାରୀ ମେଡିକାଲ କଲେଜରେ ଶିକ୍ଷାଦାନ ପାଇଁ ବିଶେଷଜ୍ଞ ଡାକ୍ତରଙ୍କ ଅଭାବ ସଂପର୍କରେ ପ୍ରଫେସର ମହାନ୍ତି ସ୍ପଷ୍ଟ ସୂଚନା ଦେଇନାହାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/doctor.jpg)