ରାଜ୍ୟରେ ଆଉ ୫ କରୋନା ପଜିଟିଭ୍, ୫ ସୁସ୍ଥ

ଚିହ୍ନଟ ହେବା ପୂର୍ବରୁ ୫ ହସ୍ପିଟାଲକୁ ଯାଇଥିଲେ

ଭୁବନେଶ୍ବର: ରାଜ୍ୟରେ ବାଲେଶ୍ବର ଜିଲ୍ଲାରେ ୫ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ସମସ୍ତ ଆକ୍ରାନ୍ତ ସେହି ଜିଲ୍ଲାରେ ପୂର୍ବରୁ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୯ରେ ପହଞ୍ଚିଛି। ଅପରପକ୍ଷରେ ରାଜ୍ୟରେ ୫ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ଚିହ୍ନଟ ହୋଇଥିବା ୫ସଂକ୍ରମିତ ବାଲେଶ୍ବର ଜିଲ୍ଲାର। ସେମାନଙ୍କ ମଧ୍ୟରେ ୩ଜଣ ପୁରୁଷ ଥିବା ବେଳେ ୨ଜଣ ମହିଳା ରହିଛନ୍ତି। ଏହାକୁ ମିଶାଇ ବାଲେଶ୍ବର ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୮ରେ ପହଞ୍ଚିଛି। ସେହିପରି ରାଜ୍ୟରେ ଆଜି ୫ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଭୁବନେଶ୍ବର, କଳାହାଣ୍ଡି, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା ଓ ଢେଙ୍କାନାଳର ଜଣେ‌ ଲେଖାଏଁ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ୨୯ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇସାରିଲେଣି। ରାଜ୍ୟରେ ୧୧୭୪୮ କୋଭିଡ୍‌ ନମୁନା ପରୀକ୍ଷା ହୋଇଥିବା ବେଳେ ସଂକ୍ରମଣ ହାର ୦.୭୬‌ ରହିଛି। ଚିହ୍ନଟ ୭୯ଜଣ ସଂକ୍ରମିତଙ୍କ ମଧ୍ୟରୁ ଏବେ ୪୯ଜଣ ସକ୍ରିୟ ସଂକ୍ରମିତ ଚିକିତ୍ସିତ ହେଉଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଉଛି।

ଅପରପକ୍ଷରେ କିଛି ଦିନ ହେବ ବାଲେଶ୍ବର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଘଟିବା ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଏହାକୁ ନଜରରେ ରଖି ରାଜ୍ୟ ସ୍ବାସ୍ଥ୍ୟସେବା ନିର୍ଦ୍ଦେଶକଙ୍କୁ ବାଲେଶ୍ବର, ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଭଦ୍ରକ, ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କୁ ଯାଜପୁର ଜିଲ୍ଲାକୁ ଗସ୍ତ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଏହାସହ ରାଜ୍ୟ ରାପିଡ୍ ରେସପନ୍ସ ଟିମ୍ ବା ଆର୍‌ଆର୍‌ଟିକୁ ଏହି ଜିଲ୍ଲାଗୁଡ଼ିକୁ ତୁରନ୍ତ ଗସ୍ତ କରିବା ଲାଗି କୁହାଯାଇଛି। ଯାଜପୁର ଜିଲ୍ଲାକୁ କଟକସ୍ଥିତ ଏସ୍‌ସିବି ମେଡିକାଲ କଲେଜ, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାକୁ ଫକୀର ମୋହନ ମେଡିକାଲ କ‌ଲେଜକୁ ସମସ୍ତ ପ୍ରକାର ବୈଷୟିକ ସହାୟତା ପ୍ରଦାନ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ବାଲେଶ୍ବର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ଯେଉଁ ସଂକ୍ରମଣ ଅବରୋଧ ଅଞ୍ଚଳ ବା କଣ୍ଟେନମେଣ୍ଟ ଜୋନ୍‌ ରହିଛି, ତାହାର ତଦାରଖ କରିବା ଲାଗି ମେଡିକାଲ କଲେଜର ବିଶେଷଜ୍ଞଙ୍କ ସମେତ ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀ ଓ ଆର୍‌ଆର୍‌ଟିକୁ ସ୍ବାସ୍ଥ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି।

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୧୮ ତାରିଖରେ ବାଲେଶ୍ବର ଜିଲ୍ଲା ନେଳିଆବାଗ ଅଞ୍ଚଳର ୬୧ତମ କରୋନା ସଂକ୍ରମିତଙ୍କ ସମେତ ୮ ସଂକ୍ରମିତଙ୍କ ଯାତ୍ରା ଇତିହାସ ସଂପର୍କରେ ସୂଚନା ଦିଆଯାଇଛି। ୬୧ତମ ସଂକ୍ରମିତ ଜଣକ କରୋନା ପଜିଟିଭ ଚିହ୍ନଟ ହେବା ପୂର୍ବରୁ ରାଜ୍ୟର ୫ଟି ହସ୍ପିଟାଲକୁ ଚିକିତ୍ସା ପାଇଁ ଯାଇଥିବା ଜଣାପଡ଼ିଛି। ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରୁ ଆରମ୍ଭ କରି ଭୁବନେଶ୍ବରର ଆପୋଲୋ ହସ୍ପିଟାଲ, କ୍ୟାପିଟାଲ ହସ୍ପିଟାଲ, କିମ୍‌ସ କୋଭିଡ୍‌ ହସ୍ପିଟାଲ ଓ ଶେଷରେ ଏମ୍‌ସ୍‌ ଭୁବନେଶ୍ବରରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ତେବେ ଏହି ସମୟ ଭିତରେ ସଂପୃକ୍ତ ବ୍ୟକ୍ତିଜଣକ କେତେ‌ ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେ ସଂପର୍କରେ କୌଣସି ସୂଚନା ଦିଆଯାଇନାହିଁ।

ସୂଚନା ଅନୁସାରେ, ୫୮ବର୍ଷର ସଂପୃକ୍ତ ବ୍ୟକ୍ତିଜଣକ ଗତ ମାସ ୧୧ ତାରିଖରେ ଝାଡ଼ଖଣ୍ଡ ଯାଇ ଫେରିଥିଲେ। ତାଙ୍କୁ ଜ୍ବର ହେବାରୁ ନିଜ ସ୍କୁଟିରେ ଚଳିତ ମାସ ୭ ତାରିଖରେ ସେ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ। ପରବର୍ତୀ ସମୟରେ ଏକ ଭଡ଼ା ଗାଡ଼ିରେ ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଘରକୁ ଓ ପରେ ଭୁବନେଶ୍ବର ଆପୋଲୋ ହସ୍ପିଟାଲକୁ ଆସିଥିଲେ। ୧୪ ତାରିଖ‌ରେ ଆପୋଲୋ ହସ୍ପିଟାଲରୁ କ୍ୟାପିଟାଲ ହସ୍ପିଟାଲ ଓ ପରେ କିମ୍‌ସ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। କିମ୍‌ସ କୋଭିଡ ହସ୍ପିଟାଲରେ ତାଙ୍କର ୧୪ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଚିକିତ୍ସା କରାଯାଇଥିଲା। ସେହିଦିନ ସଂପୃକ୍ତ ବ୍ୟକ୍ତିଙ୍କୁ ଏମ୍‌ସ‌ରେ ଆଡିମିଟ୍ କରାଯିବା ସହ କୋଭିଡ୍‌ ନମୁନା ସଂଗ୍ରହ କରାଯାଇଥିଲା। ୧୮ତାରିଖରେ ସେ କରୋନା ପଜିଟିଭ୍ ଥିବା ସ୍ପଷ୍ଟ ହୋଇଥିଲା। ପୁନର୍ବାର ତାଙ୍କୁ କିମ୍‌ସ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

୬୩, ୬୪, ୬୫ ଓ ୬୬ ନମ୍ବର ସଂକ୍ରମିତ କୋଲକାତାରୁ ଫେରିଛନ୍ତି। ୬୩ ନଂ ଆକ୍ରାନ୍ତ ଭଦ୍ରକ ବାସୁଦେବପୁର ଅଞ୍ଚଳର ହୋଇଥିବା ବେଳେ ଏକ ଟ୍ରକ୍ ଜରିଆରେ ୯ତାରିଖରେ କୋଲାକାତାରୁ ‌ଘରକୁ ଫେରିଥିଲେ। ଚଳିତ ମାସ ୧୫-୧୯ ପର୍ଯ୍ୟନ୍ତ ସରକାରଙ୍କ ସଙ୍ଗରୋଧ ବ୍ୟବସ୍ଥାରେ ରହିଥିଲେ। ତାଙ୍କର କୌଣସି ଲକ୍ଷଣ ନ ଥିବା ସତ୍ତ୍ବେ ବାହାର ରାଜ୍ୟରୁ ଫେରିଥିବା କାରଣରୁ ନମୁନା ସଂଗ୍ରହ ହୋଇଥିଲା। ପଜିଟିଭ୍ ଆସିବା ପରେ ତାଙ୍କୁ ଅଶ୍ବିନୀ କୋଭିଡ୍‌ ହସ୍ପିଟାଲରେ ଭର୍ତି କରାଯାଇଛି। ୬୪ନଂ ଆକ୍ରାନ୍ତ ମଧ୍ୟ ଗତ ମାସ ୨୯ ତାରିଖରେ ଏକ ଭଡ଼ା ଗାଡ଼ିରେ ଅନ୍ୟ ୭ଜଣ ଯାତ୍ରୀଙ୍କ ସହ କୋଲକାତାରୁ ଫେରିଥିଲେ। ଯାତ୍ରା ଇତିହାସ ପାଇଁ ତାଙ୍କ ନମୁନା ସଂଗ୍ରହ ହୋଇଥିଲା ଓ ପରେ ପଜିଟିଭ୍ ଚିହ୍ନଟ ହେବାରୁ ଅଶ୍ବିନୀ କୋଭିଡ୍‌ ହସ୍ପିଟାଲରେ ଭର୍ତି କରାଯାଇଛି। ୬୫ନଂ ଆକ୍ରାନ୍ତ ଭଣ୍ଡାରୀପୋଖରୀ ରାହାଣିଆର ୬୬ବର୍ଷର ବ୍ୟକ୍ତିଙ୍କର କୌଣସି ଲକ୍ଷଣ ନ ଥିଲା। ମାତ୍ର ନମୁନା ପରୀକ୍ଷାରେ ପଜିଟିଭ୍ ଆସିବା ପରେ ତାଙ୍କୁ ଅଶ୍ବିନୀ କୋଭିଡ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ୬୬ନଂ ଆକ୍ରାନ୍ତ ଭଣ୍ଡାରୀପୋଖରୀ କୁଶଗାଡ଼ିଆର ଅଞ୍ଚଳର ୪୮ବର୍ଷୀୟ ବ୍ୟକ୍ତି ହୋଇଥିବା ବେଳେ କୋଲାକାତାରୁ ଫେରିଥିଲେ। ଏବେ ତାଙ୍କୁ ଅଶ୍ବିନୀ କୋଭିଡ ହସ୍ପିଟାଲରେ ଚିକିତ୍ସା କରାଯାଉଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ସୁନ୍ଦରଗଡ଼ ବିଶ୍ରା ଅଞ୍ଚଳର ୬୯ ନଂ ଆକ୍ରାନ୍ତ ଜଣେ ୪୦ବର୍ଷର ବ୍ୟକ୍ତି। ପୂର୍ବରୁ ତାଙ୍କ ପଡ଼ୋଶୀ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏହି ବ୍ୟକ୍ତି ଘରେ ସଙ୍ଗରୋଧ ରହିଥିଲେ ହେଁ ତାଙ୍କଠାରେ କରୋନା ଲକ୍ଷଣ ଦେଖିବାକୁ ମିଳିଥିଲା। ଗତକାଲି ତାଙ୍କର ନମୁନା ପଜିଟିଭ୍ ଆସିଥିଲା। ଆଜି ତାଙ୍କୁ ରାଉରକେଲାସ୍ଥିତ ହାଇ‌ଟେକ୍ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଦୁଇଦିନ ତଳେ ବାଲେଶ୍ବର ଜିଲ୍ଲାରେ ଚିହ୍ନଟ ହୋଇଥିବା ୨ବର୍ଷର ଏକ କୁନି ଝିଅଟିର ଚଳିତ ମାସ ୬ତାରିଖରୁ ଥଣ୍ଡା ଓ କାଶ ଜାରି ରହିଥିଲା। ବରହମପୁରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ବା ସିଏଚ୍‌ସିରେ ତାକୁ ୭ତାରିଖ ଓ ୧୬ତାରିଖରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। କରୋନା ଲକ୍ଷଣ ନେଇ ଝିଅଟିର ନମୁନା ସଂଗ୍ରହ ହୋଇଥିଲା ଓ ୧୯ ତାରିଖରେ କରୋନା ପଜିଟିଭ୍ ଆସିଥିଲା। ଗତକାଲିଠାରୁ ସେ କଟକସ୍ଥିତ ଅଶ୍ବିନୀ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଛି।

ସମ୍ବନ୍ଧିତ ଖବର