ଓଡ଼ିଶାରେ ୫୭,୬୫୦ ଚେକ ବାଉନ୍ସ ମାମଲା: ଆମିକସ୍‌ କ୍ୟୁରିଙ୍କ ସୁପାରିସ ଉପରେ ମତଲୋଡ଼ିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଓଡ଼ିଶାରେ ଚଳିତ ମାସ ୧୩ ସୁଦ୍ଧା ୫୭,୬୫୦ ଚେକ୍‌ ବାଉନ୍ସ ମାମଲା ରହିଛି। ଆମିକସ କ୍ୟୁରି ତଥ‌ା ବରିଷ୍ଠ ଆଇନଜୀବୀ ସିଦ୍ଧାର୍ଥ ଲୁଥ୍ରାଙ୍କ ଦ୍ବାରା ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିବା ରିପୋର୍ଟରେ ଏହି ତଥ୍ୟ ଉଲ୍ଲେଖ ରହିଛି। ଆମିକସ କ୍ୟୁରିଙ୍କ ରିପୋର୍ଟ ଅନୁସାରେ ୨୦୨୧ ଜାନୁଆରି ୧ ରୁ ୨୦୨୧ ଡିସେମ୍ବର ୩୧ ପର୍ଯ୍ୟନ୍ତ ଓଡ଼ିଶାରେ ୭,୮୨୬ ଚେକ ବାଉନ୍ସ ମାମଲା ପଂଜୀକୃତ ହୋଇଥିଲା। ଏହି ସମୟ ଅବଧି ମଧ୍ୟରେ ୩,୫୧୮ ମାମଲା ଫଇସଲା ହୋଇଥିଲା। ‌ଅନ୍ୟ ପକ୍ଷରେ ଦେଶର ୨୮ଟି ରାଜ୍ୟରେ ୨୦୨୧ରେ ମୋଟ ୬,୮୮,୭୫୧ ଚେକ ବାଉନ୍ସ ମାମଲା ପଂଜୀକୃତ ହୋଇଥିବା ବେଳେ ୪,୭୮,୩୭୭ ମାମଲା ଫଇସଲା ହୋଇଛି।
ଭାରତରେ ୨୮ଟି ରାଜ୍ୟରେ ଏପ୍ରିଲ ୧୩, ୨୦୨୨ ସୁଦ୍ଧା ୩୩,୪୪,୨୯୦ ଟି ଚେକ ବାଉନ୍ସ ମାମଲା ବିଚାରାଧୀନ ରହିଛି। ସର୍ବାଧିକ ମାମଲା ମହାରାଷ୍ଟ୍ର, ରାଜସ୍ଥାନ, ଗୁଜରାଟ, ଦିଲ୍ଲୀ ଓ ଉତ୍ତରପ୍ରଦେଶରେ ରହିଛି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏଲ୍‌ ନାଗେଶ୍ବର ରାଓ, ବିଚାରପତି ଜଷ୍ଟିସ ବିଆର ଗଭାଇ ଓ ବିଚାରପତି ଜଷ୍ଟିସ ରବୀନ୍ଦ୍ର ଭଟ୍ଟଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ଏହାକୁ ଏନ୍ଆଇଏ (ନିଗୋସିଏବଲ୍‌ ଇନ୍‌ଷ୍ଟ୍ରୁମେଣ୍ଟ୍‌ ଆକ୍ଟ)ର ଧାରା ୧୩୮ ଦ୍ବାରା ତ୍ବରିତ ଫଇସଲା ପାଇଁ କେନ୍ଦ୍ର ସରକାର, ରାଜ୍ୟ ସରକାର ଓ ହାଇକୋର୍ଟମାନଙ୍କ ଦ୍ବାରା ଅବସରପ୍ରାପ୍ତ ବିଚାର ବିଭାଗୀୟ ଅଧିକାରୀଙ୍କୁ ନେଇ ସ୍ବତନ୍ତ୍ର ମା‌ଜିଷ୍ଟ୍ରେଟ୍‌ କୋର୍ଟ ଗଠନ କରିବା ନେଇ ଆମିକସ କ୍ୟୁରିଙ୍କ ପ୍ରସ୍ତାବ ଉପରେ ମତ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଏହା ପୂର୍ବରୁ ବମ୍ବେ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଆର୍‌ଭି ଚୌହାନଙ୍କ ଅଧ୍ୟକ୍ଷତାରେ ଗଠିତ ବିଶେଷଜ୍ଞ କମିଟି ମାର୍ଚ ୪, ୨୦୨୧ ରିପୋର୍ଟରେ ଏନ୍‌ଆଇଏରେ ମାମଲାଗୁଡ଼ିକର ତ୍ବରିତ ଫଇସଲା ପାଇଁ ସ୍ବତନ୍ତ୍ର କୋର୍ଟ ଗଠନ ପାଇଁ ପ୍ରସ୍ତାବ ଦେଇଥିଲେ। ଖଣ୍ଡପୀଠଙ୍କ ଦ୍ବାରା ବିଶେଷଜ୍ଞ କମିଟି ଓ ଆମିକସ କ୍ୟୁରିଙ୍କ ନାସନାଲ ପୋର୍ଟାଲ ଫର ସମନ୍ସ, ପ୍ରି ସମନ୍ସ ମେଡିଏସନ ବ୍ୟବସ୍ଥା ସ୍ଥାପନ ପାଇଁ ଦିଆଯାଇଥିବା ସୁପାରିସ ଉପରେ ମତ ରଖିବା ପାଇଁ କେନ୍ଦ୍ର, ରାଜ୍ୟ ଓ ହାଇକୋର୍ଟମାନଙ୍କୁ ନିର୍ଦ୍ଦେଶ ଜାରିକରିଛନ୍ତି। ଏହା ସହିତ ଖଣ୍ଡପୀଠ ସର୍ବୋଚ୍ଚ ନ୍ୟାୟାଳୟ ଏପ୍ରିଲ ୧୯, ୨୦୨୧ରେ ହାଇକୋର୍ଟମାନଙ୍କୁ ଏନ୍‌ଆଇଏର ଧାରା ୧୩୮ ଦ୍ବାରା ସମାରି ଟ୍ରାଏଲରୁ ସମନ୍ସ ଟ୍ରାଏଲର ମେକାନିକାଲ୍‌ ରୂପାନ୍ତର ପାଇଁ ମାଜିଷ୍ଟ୍ରେଟମାନଙ୍କୁ ଯେଉଁ ପ୍ରାକଟିସ୍‌ ଡାଇରେକ୍ସନ ଜାରି କରିବା ନିର୍ଦ୍ଦେଶ ଦେଇଥିଲେ ତାକୁ ଓଡ଼ିଶା ସମେତ ମାଡ୍ରାସ, ସିକିମ, ଉତ୍ତରାଖଣ୍ଡ ଓ ପାଟନା ହାଇକୋର୍ଟ ଅନୁପାଳନ କରିନଥିବାରୁ ବିଳମ୍ବ ନ କରି ଆଦେଶକୁ କ୍ରିୟାନ୍ବୟନ କରିବାପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର