୧୨ ବର୍ଷ ତଳର ନିଷ୍ପତ୍ତି ଶୀତଳଭଣ୍ଡାରରେ: ସହର ଥାନାକୁ ୧୦୦, ଗାଁ ଥାନାକୁ ୫୦ ପୁଲିସ କେବେ?

ଖାଲି ପଡିଛି ୬ ହଜାର ପୁଲିସ ପଦବି, କୁଆଡ଼େ ଗଲା ଗୁଜୁରାଟ, ମହାରାଷ୍ଟ୍ର, କେରଳ ମଡେଲ?

କଟକ: ରାଜ୍ୟରେ ଏବେ ପୁଲିସ ବିଭାଗରେ ଖାଲି ପଡିଛି ୬ ହଜାରରୁ ଅଧିକ ପଦବି। ବର୍ତ୍ତମାନ କରୋନା ପରିସ୍ଥିତିରେ ପୁଲିସ କର୍ମଚାରୀ ସଂକ୍ରମିତ ହୋଇ ଚାଲିଥିବାବେଳେ ଏପଟେ ଆବଶ୍ୟକ କର୍ମଚାରୀଙ୍କ ଅଭାବ କ୍ରମଶଃ ଗୁରୁତର ପରିସ୍ଥିତି ସୃଷ୍ଟି କରିଛି। ୨୦୦୮ରେ ଅର୍ଥାତ ୧୨ ବର୍ଷ ପୂର୍ବରୁ ନିଆଯାଇଥିବା ନିଷ୍ପତ୍ତି ଏଯାଏ କାର୍ଯ୍ୟକାରୀ ହୋଇ ପାରି ନଥିବାରୁ ଏଭଳି ସ୍ଥିତି ଉପୁଜୁଥିବା କୁହାଯାଉଛି। ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ କି’ ସହରାଞ୍ଚଳର ପ୍ରତି ଥାନାରେ ୧୦୦ ଏବଂ ଗ୍ରାମାଞ୍ଚଳର ପ୍ରତି ଥାନାରେ ୫୦ ପୁଲିସ କର୍ମଚାରୀ ଯୋଗାଇ ଦିଆଯିବ। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ୬ ମାସ ମଧ୍ୟରେ କାର୍ଯ୍ୟକାରୀ କରିବାକୁ ସେତେବେଳେ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ୧୨ ବର୍ଷ ପରେ ବି ଏହି ଗୁରୁତ୍ବପୂର୍ଣ୍ଣ ସରକାରୀ ନିଷ୍ପତ୍ତି କାର୍ଯ୍ୟକାରୀ ହୋଇପାରିଲାନାହିଁ। ଥାନାସ୍ତରରେ ଅଧିକ କର୍ମଚାରୀ ନିଯୁକ୍ତି ବଦଳରେ ଏବେ ପ୍ରାୟ ୬ ହଜାର ୩୫୦ ପୁଲିସ କର୍ମଚାରୀ ପଦବି ରାଜ୍ୟରେ ଖାଲିପଡ଼ିଛି।

ସୂଚନା ଅନୁଯାୟୀ, ୨୦୦୮ରେ ଓଡ଼ିଶା ପୁଲିସ ଡିଜି ଗୋପାଳ ନନ୍ଦ ଥିବାବେଳେ ସେହି ବର୍ଷ ଅଗଷ୍ଟ ମାସରେ ଅବସର ନେବା ପୂର୍ବରୁ ପୁଲିସ ବିଭାଗରେ ମାନବ ସମ୍ବଳ ବୃଦ୍ଧି ପାଇଁ ରାଜ୍ୟ ସରାକାରଙ୍କ ସହିତ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା। ଗୁଜୁରାଟ, ମହାରାଷ୍ଟ୍ର, କେରଳ ମଡେଲ ଓଡ଼ିଶାରେ କାର୍ଯ୍ୟକାରୀ କରିବାକୁ ଶ୍ରୀ ନନ୍ଦ ପ୍ରସ୍ତାବ ଦେଇଥିଲେ। ସହରାଞ୍ଚଳର ଥାନା ପିଛା ୧୦୦ ପୁଲିସ ଅଫିସର ଓ କର୍ମଚାରୀ ଏବଂ ଗ୍ରାମାଞ୍ଚଳରେ ୫୦ ଜଣଙ୍କୁ ନିଯୁକ୍ତି ଦେବାକୁ ପ୍ରସ୍ତାବ ରହିଥିଲା। ବମ୍ବେରେ ଗୋଟିଏ ଥାନାରେ ୩୦୦ରୁ ୪୦୦ ପୁଲିସ କର୍ମଚାରୀ କାର୍ଯ୍ୟ କରୁଥିବା ଦର୍ଶାଯାଇଥିଲା। ଓଡ଼ିଶାର ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ  ସଚିବ, ଗୃହ ସଚିବ, ଅର୍ଥମନ୍ତ୍ରୀ ଏବଂ ପୁଲିସ ଡିଜି ଶ୍ରୀ ନନ୍ଦଙ୍କ ମଧ୍ୟରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ବି ଚୂଡ଼ାନ୍ତ ହୋଇଥିଲା। କିନ୍ତୁ ସେହି ସମୟରେ ବିଜୁ ପଟ୍ଟନାୟକ ଟ୍ରେନିଂ ଇନଷ୍ଟିଚ୍ୟୁଟରେ ନୂଆ ପ୍ରାର୍ଥୀଙ୍କ ତାଲିମ ପାଇଁ ଖାଲି ନଥିବାରୁ ୨୦୦୮ ଡିସେମ୍ବର କିମ୍ବା ୨୦୦୯ ଜାନୁଆରିରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ।

କିନ୍ତୁ ବର୍ତ୍ତମାନ ସୁଦ୍ଧା ନିଷ୍ପତ୍ତିକୁ ସରକାର ଶୀତଳଭଣ୍ଡାରରେ ପକାଇ ରଖିବା ଦ୍ବାରା ଏହାର ସିଧାସଳଖ ପ୍ରଭାବ ପୁଲିସ କର୍ମଚାରୀଙ୍କ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନ ଉପରେ ପଡ଼ୁଛି। ଜଣେ ପୁଲିସ କର୍ମଚାରୀ ଥାନା ସ୍ତରରେ ଦୈନିକ ୧୮ ଘଣ୍ଟାରୁ କମ୍ ସମୟ କାମ କରୁନାହାନ୍ତି। ଓଡ଼ିଶାରେ ଭିଜିଲାନ୍ସ ବିଭାଗରେ ଦୋଷୀ ସାବ୍ୟସ୍ତ ହାର ବାର୍ଷିକ ୫୦ ପ୍ରତିଶତ ରହୁଥିବା ବେଳେ ପୁଲିସ ବିଭାଗରେ ବାର୍ଷିକ ୧୦ ପ୍ରତିଶତ ରହୁଛି। ଗୁଣାତ୍ମକ ତଦନ୍ତ ନହେବାରୁ ଦୋଷୀଙ୍କୁ ଦଣ୍ଡ ଦେବାରେ ସମର୍ଥ ହୋଇପାରୁ ନଥିବା କୁହାଯାଉଛି। ବର୍ତ୍ତମାନ ସହରାଞ୍ଚଳ ଥାନାରେ ହୋମଗାର୍ଡ, ଓଏପିଏଫ୍, କନଷ୍ଟେବଳ, ହାବିଲଦାର, ଏଏସଆଇ, ଏଆଇ ଏବଂ ଇନସ୍ପେକ୍ଟରଙ୍କୁ ମିଶାଇ ପ୍ରାୟ ୬୦ ଜଣ ରହୁଥିବା ବେଳେ ଗ୍ରାମାଞ୍ଚଳରେ ପ୍ରାୟ ୨୦ରୁ ୨୫ ରହୁଛନ୍ତି। ପୁଲିସ ବିଭାଗରୁ ମିଳିଥିବା ସୂଚନା ମୁତାବକ, ଚଳିତବର୍ଷ ରାଜ୍ୟରେ ୨୩୫ ଇନସ୍ପେକ୍ଟରଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ୧୫ ଜଣ ଇନସ୍ପେକ୍ଟରଙ୍କୁ ୨୦୧୯ରୁ ନିଲମ୍ବିତ କରାଯାଇଥିବା ବେଳେ ବିଭିନ୍ନ ଆଳ ଦେଖାଇ ସେମାନଙ୍କ ଉପରୁ ନିଲମ୍ବନ ଉଠା ଯାଉନାହିଁ। ଅନ୍ୟପଟେ ମୋଟ ୬୧୨ ପୁଲିସ ଥାନାରେ ଇନସ୍ପେକ୍ଟର ମଞ୍ଜୁରି ପଦବି ୨୨ ଶହ ଥିବାବେଳେ ଏବେ ୧୯ଶହ ଜଣ ଅଛନ୍ତି। ୩୦୦ ପଦବି ଖାଲିପଡ଼ିଛି। ଏସଆଇ ୨ ହଜାର ୫୦୦ ମଞ୍ଜୁରି ପଦବି ଥିବା ବେଳେ ୨୫୦ ଖାଲି ପଡ଼ିଛି। ଏଏସଆଇ ମଞ୍ଜୁରି ପଦବୀ ୬ ହଜାର ଥିବା ବେଳେ ୮୦୦ ଖାଲିପଡ଼ିଛି। ଯେଉଁ ଏସଆଇ ଏବେ କାର୍ଯ୍ୟ କରୁଛନ୍ତି ଆସନ୍ତା ୨୦୨୨ ଯାଏ ଇନସ୍ପେକ୍ଟର ପଦବିକୁ ପଦୋନ୍ନତି ପାଇଁ ଯୋଗ୍ୟ ହେବେ ନାହିଁ। ଏସଆଇରୁ ଇନସ୍ପେକ୍ଟର ପଦବିକୁ ପଦୋନ୍ନତି ପାଇଁ ସର୍ବନିମ୍ନ ୭ ବର୍ଷର କାର୍ଯ୍ୟ ଦକ୍ଷତା ସ୍ଥିର କରାଯାଇଛି। ସେହିପରି ଥାନା ଓ ବାଟାଲିୟନରେ କନଷ୍ଟେବଳ ଓ ହାବିଲଦାର ମଞ୍ଜୁରି ପଦବି ୬୦ ହଜାର ଥିବାବେଳେ ୫ ହଜାର ଖାଲି ପଡ଼ିଛି। ପୂର୍ବତନ ପୁଲିସ ଡିଜି ଗୋପାଳ ନନ୍ଦଙ୍କ କହିବା ଅନୁଯାୟୀ, ପୁଲିସ ବିଭାଗରେ ମାନବ ସମ୍ବଳର ବିକାଶ ଆବଶ୍ୟକ। ୨୦୦୮‌ର ନିଷ୍ପତ୍ତି ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକାରୀ ନହେବା ଚିନ୍ତାଜନକ। ଜଣେ ପୁଲିସ କର୍ମଚାରୀ ବାର୍ଷିକ ସର୍ବାଧିକ ୭ରୁ ୮ଟି ମାମଲାର ତଦନ୍ତ କରିବା କଥା। କିନ୍ତୁ ଏବେ ୪୦ରୁ ଉର୍ଦ୍ଧ୍ବ ମାମଲା ବାର୍ଷିକ ଲଦିଦେବା ଦ୍ବାରା ତଦନ୍ତ ପ୍ରକ୍ରିୟା ଆଦୌ ଠିକ୍ ହୋଇପାରୁନାହିଁ।

ସମ୍ବନ୍ଧିତ ଖବର