ଜଗନ୍ନାଥପ୍ରସାଦ: ବୟସର ଛାପ ପଡ଼ିଛି ସତ। କିନ୍ତୁ ଏବେବି ସେ କର୍ମଠ ଓ ଚଳଚଞ୍ଚଳ। ସୂର୍ଯ୍ୟାସ୍ତ ପୂର୍ବରୁ ଶେଯରୁ ଉଠି ପ୍ରାତଃଭ୍ରମଣ। ଆଉ ଫେରିବା ପରେ ଗିଲ‌ାସେ ଲେମ୍ବୁ ପାଣି ପିଇବା ଏବଂ ଜଳଖିଆରେ ରୁଟି ଖାଇବା ତାଙ୍କର ନିତିଦିନିଆ ଅଭ୍ୟାସ। ସବୁଠୁ ବଡ଼କଥା ହେଉଛି, ଆଜି ବି ସେ କାହା ଉପରେ ନିର୍ଭରଶୀଳ ନୁହଁନ୍ତି। ବରଂ ନିଜର ସମସ୍ତ ଆନୁଷଙ୍ଗିକ କାମକୁ ନିଜେ କରିଆସୁଛନ୍ତି। ଏଯାବତ୍ କୌଣସି ପ୍ରକାର ରୋଗ ମଧ୍ୟ ତାଙ୍କୁ ଛୁଇଁପାରିନି। ଏଭଳି ଜଣେ ବୟୋଜ୍ୟେଷ୍ଠ ବ୍ୟକ୍ତିତ୍ବ ହେଉଛନ୍ତି, ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବସ୍‌ଷ୍ଟାଣ୍ଡ୍ ଲକ୍ଷ୍ମୀବଜାର ନିକଟ ବାସିନ୍ଦା ଯୁଧିଷ୍ଠିର ସାହୁ। ୯୬ ବର୍ଷ ବୟସରେ ତାଙ୍କ ଯୁବସୁଲଭ ଜୀବନଶୈଳୀ ସମସ୍ତଙ୍କ ପାଇଁ ଏକ ଉଦାହରଣ ପାଲଟିଛି। ୧୯୨୭ ମସିହାରେ ଜନ୍ମିତ ଯୁଧିଷ୍ଠିରଙ୍କ ପୁଅଝିଅ, ଜ୍ବାଇଁବୋହୂ, ନାତିନାତୁଣୀ ଓ ଅଣନାତିନାତୁଣୀଙ୍କୁ ମିଶାଇ ୬୨ ଜଣ ଅଛନ୍ତି। ନିଜ ଜୀବନକାଳ ମଧ୍ୟରେ ସେ ୪ଟି ପିଢ଼ିଙ୍କୁ ଦେଖିସାରିଲେଣି।

Advertisment

ଯୁଧିଷ୍ଠିର ବର୍ତ୍ତମାନ ସାନପୁଅ ପୂ୍ର୍ଣ୍ଣଚନ୍ଦ୍ରଙ୍କ ପାଖରେ ୪୦ ବର୍ଷ ହେଲା ରହିଛନ୍ତି। ପୂର୍ଣ୍ଣଚନ୍ଦ୍ର ଓ ତାଙ୍କ ପୁଅ ବସ୍‌ଷ୍ଟାଣ୍ଡରେ ଏକ ମିଠା ଓ ଜଳଖିଆ ଦୋକାନ କରିଛନ୍ତି। ନିଜ ଜୀବନର ଅନୁଭୂତି ବଖାଣି ଯୁଧିଷ୍ଠିର କହିଛନ୍ତି, ପରିବାର କହିଲେ ତାଙ୍କର ଚାରିଝିଅ ଓ ତିନିପୁଅ। ବଡ଼ଝିଅ ୨୦ ବର୍ଷ ହେଲା ଆରପାରିକୁ ଚାଲିଯାଇଥିବା ବେଳେ ଅନ୍ୟ ପୁଅମାନେ ଅନ୍ୟତ୍ର ରହୁଛନ୍ତି। ସେ ସାନପୁଅ ପାଖରେ ରହୁଛନ୍ତି। ଯୁବାବସ୍ଥାରେ ସେ ମଧ୍ୟ ମିଠା ଓ ଜଳଖିଆ ଦୋକାନ କରି ପରିବାର ଚଳାଉଥିବା ବେ‌ଳେ ସାନପୁଅ ଏହି ବୃତ୍ତିକୁ ଏବେ ଆପଣାଇଛନ୍ତି।

ତେବେ ଅତୀତର ଖାଦ୍ୟପେୟ ତୁଳନାରେ ବର୍ତ୍ତମାନର ଖାଦ୍ୟପେୟରେ ଅନେକ ପରିବର୍ତ୍ତନ ଆସିଯାଇଥିବା ସେ କହିଛନ୍ତି। ଫଳରେ ସେ ସନ୍ତୁଳିତ ଆହାର ହିଁ ଖାଇବାକୁ ପସନ୍ଦ କରୁଥିବା ଯୁଧିଷ୍ଠିର କହିଛନ୍ତି। ଭୋର୍‌ରୁ ଉଠି ନିଜ ନିତ୍ୟକର୍ମ ସାରିବା ସହ ବାଡ଼ି ଧରି ପ୍ରାତଃଭ୍ରମଣରେ ବାହାରିପଡ଼ନ୍ତି। ଏହି ସମୟରେ ବିଭିନ୍ନ ବର୍ଗର ଲୋକ ତାଙ୍କୁ ଭେଟି ଭାବବିନିମୟ କରନ୍ତି। ଅନ୍ୟମାନଙ୍କୁ ମୂଲ୍ୟବାନ ପରାମର୍ଶ ଦେବାକୁ ପଛାନ୍ତିନି। କିନ୍ତୁ ପୂର୍ବରୁ ସମାଜରେ ‌‌‌ଯୌଥ ପରିବାରର ପରମ୍ପରା ରହିଥିବା ବେଳେ ସାଂପ୍ରତିକ ପରିସ୍ଥିତିରେ ସମସ୍ତେ ଏଥିରୁ ଦୂରେଇଯାଉଥିବାରୁ ଯୁଧିଷ୍ଠିର କ୍ଷୋଭ ପ୍ରକାଶ କରିଛନ୍ତି। ସମସ୍ତ ଭୋଜିଭାତ ଓ ସାମାଜିକ କାର୍ଯ୍ୟକ୍ରମରେ ନାତିନାତୁଣୀ ଏବଂ ଅନ୍ୟ ପରିବାରବର୍ଗଙ୍କୁ ଦେଖିଲେ ଖୁସି ଲାଗେ ବୋଲି ଯୁଧିଷ୍ଠିର କହିଛନ୍ତି।