ବ୍ରହ୍ମପୁର : ଏ ଗଞ୍ଜାମ ମହୀ ମଞ୍ଜୁ ଶତଦଳ, କଳା ଲୀଳା ନଟନଟୀ କୋଳାହଳ’। ଅର୍ଥାତ୍ ଗଂଜାମ ଜିଲ୍ଲା ହିଁ ଲୀଳାର ଜନ୍ମଭୂମି। ରାମ ଲୀଳା, କୃଷ୍ଣ ଲୀଳା, ଭାରତ ଲୀଳା, ରାଧାପ୍ରେମ ଲୀଳା ଆଦି ଏହି ଅଞ୍ଚଳରୁ ସୃଷ୍ଟି। ଲୋକଚରିତ୍ର, ଲୋକଧର୍ମ, ଲୋକଚଳଣି, ଲୋକବାଦ୍ୟ,  ଲୋକକଥା ଆଦିର ବିଚିତ୍ର ସମନ୍ବୟରେ ଏହି ଲୀଳା ଗୁଡ଼ିକ ବେଶ୍ ସମୃଦ୍ଧ। ତେବେ ରାମ ଲୀଳା ହେଉଛି ସର୍ବପ୍ରାଚୀନ ଲୋକନୃତ୍ୟ, ଯାହାକି ଅଷ୍ଟାଦଶ ଶତାବ୍ଦୀରେ ଆରମ୍ଭ ହୋଇଥିବା ଗବେଷକମାନେ ମତ ଦିଅନ୍ତି। ଗଞ୍ଜାମ ଜିଲ୍ଲାର ଏକାଧିକ ଲୀଳାକାର ରାମଲୀଳା ରଚନା କରିଛନ୍ତି। ଗବେଷକ ଲିଙ୍ଗରାଜ ନାହାକଙ୍କ ସୂଚନା ମୁତାବକ, ହୁମା ଅଞ୍ଚଳର ବୈଶ୍ୟ ସଦାଶିବ, ଚିକିଟି ରାଜା କୃଷ୍ଣଚନ୍ଦ୍ର ରାଜେନ୍ଦ୍ର ଦେବ (୧୭୧୦-୧୭୯୦), ପୀତାମ୍ବର ରାଜେନ୍ଦ୍ର (୧୭୯୧ - ୧୮୧୯), ପାରଳାଖେମୁଣ୍ଡିର ରଘୁନାଥ ପରିଚ୍ଛା, ପାଲୁରୁ ନିକଟବର୍ତ୍ତୀ ମଧୁସୂଦନପୁରର କେଶବ ପଟ୍ଟନାୟକ,  ଧରାକୋଟ  ରାଜା  ରଘୁନାଥ  ସିଂହ, ବାଲିପଦରର  କଳ୍ପତରୁ ଦାସ(୧୮୧୪ - ୧୮୮୬), ବୁଗୁଡ଼ାର କମଳ ଲୋଚନ ପଟ୍ଟନାୟକ, ଘୁମୁସର ବରପଲ୍ଲୀର ବିପ୍ର ଜନାର୍ଦ୍ଦନ, ବରଗଡ଼ ରାଜା ରଘୁନାଥ ସିଂହ ଓ ବିପ୍ର କୁଞ୍ଜ, ହିଞ୍ଜିଳିର ଯୁଧିଷ୍ଠିର ସାହୁ, ଧରାକୋଟ ନିକଟସ୍ଥ ବେଠୁଆର ମାଗତା ସାହୁ, ନିମିନା ଗ୍ରାମର ବିପ୍ର ମାଧବ ପ୍ରମୁଖ ସେମାନଙ୍କ ମଧ୍ୟରୁ ଅନ୍ୟତମ। ତେବେ ଗଞ୍ଜାମ ଜିଲ୍ଲାରେ ବହୁଳ ଭାବରେ ବୈଶ୍ୟ ସଦାଶିବ ଓ କଳ୍ପତରୁ ଦାସଙ୍କ ‘ରାମ ଲୀଳା’ ପରିବେଷିତ ହେବା  ଦେଖାଯାଏ।

Advertisment

ରାମଳୀଳ‌ାରେ ଗାୟକଙ୍କ ସ୍ବତନ୍ତ୍ରତା ରହିଛି। ଶ୍ରୀ ଗାୟକ ନାସା ଓ କପାଳରେ ତିଳକ ଚିତା, କର୍ଣ୍ଣରେ କୁଣ୍ଡଳ, ପଙ୍ଗୁଲୁ, ହାତରେ ସୁନା ଖଡ଼ୁ, ସୁନା ବାଜୁବନ୍ଧ, ଆଙ୍ଗୁଠିରେ ସୁନା ମୁଦି, ବେକରେ ସୁନା ହାର, ମୁଣ୍ଡରେ ଜୁଡ଼ା, ପଗଡ଼ି ପିନ୍ଧନ୍ତି। ପିନ୍ଧା ଉତ୍ତରୀୟ ଭାବେ ବ୍ରହ୍ମପୁର ପାଟ ବ୍ୟବହାର କରନ୍ତି। ପଡ଼ି ଗାୟକଙ୍କ ବେଶଭୂଷା ଠିକ୍ ଶ୍ରୀଗାୟକଙ୍କ ପରି, କିନ୍ତୁ ସେ ମୁଣ୍ଡରେ ପଗଡ଼ି ପିନ୍ଧନ୍ତି ନାହିଁ। ବିଭିନ୍ନ ଭୂମିକାରେ ଅଭିନୟ କରୁଥିବା କଳାକାରଙ୍କ ବେଶଭୂଷାରେ ମଧ୍ୟ ସ୍ବତନ୍ତ୍ରତା ରହିଛି। ରାବଣ ଭୂମିକା ନିଭାଉଥିବା କଳାକର ଦଶମୁଣ୍ଡ ବିଶିଷ୍ଟ କିରିଟି ପିନ୍ଧୁଥିବା ବେଳେ କୁମ୍ଭକର୍ଣ୍ଣ, ଇନ୍ଦ୍ରଜିତଙ୍କର ମଧ୍ୟ ସ୍ବତନ୍ତ୍ର କିରିଟି ଥାଏ। ରାମ, ଲକ୍ଷ୍ମଣ ଓ ସୀତାଙ୍କ ଭୂମିକାରେ ଅଭିନୟ କରୁଥିବା କଳାକାରଙ୍କ ରାଜକୀୟ ଏବଂ ବନବାସୀ ବେଶଭୂଷା ଭିନ୍ନଭିନ୍ନ ହୋଇଥାଏ। ତେବେ ରାମଲୀଳାର ନାରୀ ଚରିତ୍ରରେ କେବଳ ପୁରୁଷମାନେ ଅଭିନୟ କରିଥାନ୍ତି।

ଲୋକନୃତ୍ୟ ଓ ଲୋକକଳା ପାଇଁ ସମ୍ରଗ ଭାରତ ବର୍ଷରେ ଗଞ୍ଜାମ ଜିଲ୍ଲା ଅନନ୍ୟ, ଯାହାର ଏଭଳି କୌଣସି ଗାଁ ନାହିଁ, ଯେଉଁଠାରେ କୌଣସି ଲୋକନୃତ୍ୟ ନାହିଁ। ଏସବୁ ଲୋକନୃତ୍ୟ ପିଢ଼ି ପରେ ପିଢ଼ି ଅତିକ୍ରମ କରି ଶହ ଶହ ବର୍ଷ ଧରି ବଞ୍ଚି ରହିଛି। ସାରା ରାଜ୍ୟରେ କେବଳ ଗଞ୍ଜାମରେ ସର୍ବାଧିକ ପ୍ରାୟ ୬୩ ପ୍ରକାର ଲୋକନୃତ୍ୟ ରହିଥିବା ଜଣାଯାଏ। ସମୟ କ୍ରମେ ଆଧୁନିକ ଓ ପାଶ୍ଚାତ୍ୟ ସଭ୍ୟତାର ପ୍ରଭାବରେ ହେଉ ଅବା ପୃଷ୍ଠପୋଷକତାର ଅଭାବ, କିମ୍ବା ଲୋକରୁଚିର ପରିବର୍ତ୍ତନ, ପ୍ରଚାର ପ୍ରସାର ଅଭାବରୁ ହେଉ, ବହୁ ଲୋକ ନୃତ୍ୟ ଏବେ ଲୁପ୍ତପ୍ରାୟ ସ୍ଥିତିରେ ରହିଛି। ଏଭଳି ଲୋକକଳାକୁ ପୁନଃ ଲୋକଲୋଚନକୁ ଆଣିବା ପାଇଁ ଆମର ଛୋଟ ପ୍ରୟାସ ‘ଆମ ଲୋକକଳା’।

ରାମଲୀଳାର ପରିବେଷଣ ଶୈଳୀ ସ୍ବତନ୍ତ୍ର। ଅତୀତରେ ରାମଲୀଳାର ଅଭିନେତାଗଣ ଉପଯୋଗୀ ବେଶଭୂଷାରେ ସଜ୍ଜିତ ହୋଇ ମୁକ୍ତ ରଙ୍ଗମଞ୍ଚରେ କଥାବସ୍ତୁର ଅନୁକରଣରେ ମୂକ ଅଭିନୟ କରୁଥିଲେ। ଗାୟକ ସମସ୍ତ କଥାବସ୍ତୁ ସଙ୍ଗୀତ ଆକାରରେ ଗାନ କରୁଥିଲେ। ଉପସ୍ଥିତ ଦର୍ଶକମାନେ ସେଥିରେ ପାଳି ଧରୁଥିଲେ। ମୁଖ୍ୟ ଚରିତ୍ରଙ୍କ କାଠ ତିଆରି ପ୍ରତିମାମାନ ନାଚ ମଣ୍ଡଳୀରେ ରଖା ଯାଉଥିଲା। ଗାୟକଙ୍କ ଗାୟନ ବର୍ଣ୍ଣନା ଅନୁସାରେ ନିର୍ଦ୍ଦିଷ୍ଟ ପ୍ରତିମାଙ୍କ ପାଖରେ ଠିଆ ହୋଇ ଅଭିନୟ ସହ ଲୀଳା ପ୍ରଦର୍ଶନ କରୁଥିଲେ। ପରବର୍ତ୍ତୀ କାଳରେ ଅଭିନେତାମାନେ ବେଶ ପୋଷାକ ମାଧ୍ୟମରେ ଗୀତ ଗାଇ ନୃତ୍ୟ ପରିବେଷଣ କଲେ। ରାମଲୀଳା ଆରମ୍ଭରେ ମୃଦଙ୍ଗ ବାଦନ ପ୍ରାୟ ଅଧା ଘଣ୍ଟା ପର୍ଯ୍ୟନ୍ତ ହୁଏ। ୮-୧୦ଜଣ ତଳେ ବସି ପାଳି ଧରନ୍ତି। ଏହାପରେ ପଡ଼ି ଗାୟକ ମଂଚକୁ ଆସି ମଙ୍ଗଳା ଚରଣ ପାଠ କରନ୍ତି। ଶେଷରେ ଶ୍ରୀ ଗାୟକ ମଞ୍ଚକୁ ଆସି ଲୀଳାକୁ ଆଗେଇ ନିଅନ୍ତି। ରାମଲୀଳାରେ ସଙ୍ଗୀତ ଓ ନୃତ୍ୟ ପରିବେଷଣ ପାଇଁ ତିନି ପ୍ରକାର ବାଦ୍ୟଯନ୍ତ୍ର ବ୍ୟବହାର କରାଯାଏ, ଯଥା ମୃଦଙ୍ଗ, ଗିନି, ଝାଞ୍ଜ, ଘୁଙ୍ଗୁର ଓ ହାରମୋନିୟମ।

ରାମଲୀଳା କାବ୍ୟବୃତ୍ତକୁ ଅନୁକରଣ କରିଥିବା ଯୋଗୁଁ ଏଥିରେ ଅନେକ ଅଳଙ୍କାର ସଂଯୋଜିତ ହୋଇଅଛି। ସାଧାରଣତଃ ଏହି ଲୀଳାରେ ଅନୁପ୍ରାସ ଅଳଙ୍କାର ପ୍ରୟୋଗ କରି ଅତ୍ୟଧିକ ଅନୁରାଗ ପ୍ରକାଶ କରାଯାଇଛି। ତେଣୁ ଏହା ଦର୍ଶକଙ୍କୁ ଆମୋଦିତ କରିଥାଏ। ସଙ୍ଗୀତ, ନୃତ୍ୟ, ଅଭିନୟ, ଅଳଙ୍କାରର ଯଥାର୍ଥ ପ୍ରୟୋଗ ଯୋଗୁଁ ରାମଲୀଳା ଏକ ସାର୍ଥକ ସୃଷ୍ଟି। ଏଣୁ ଏହା ଲୋକ ନାଟକ ପରମ୍ପରାରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି। ଦିନଥିଲା ଗଞ୍ଜାମର ଅଧିକାଂଶ ଗ୍ରାମରେ ଏପରି କି ଗୋଟିଏ ଗୋଟିଏ ଗ୍ରାମରେ ରାମଲୀଳା ପାଇଁ ଦୁଇଟି ଲେଖାଏଁ ଦଳ ଥିଲା। କିନ୍ତୁ ସାମ୍ପ୍ରତିକ ସ୍ଥିତିରେ ସାରା ଜିଲ୍ଲାରେ ହାତଗଣତି କେତୋଟି ଦଳ ରହିଛି। ଭଗ୍ନ ଆଖଡ଼ା ଘର, ଅସଜଡ଼ା ବାଦ୍ୟ ଯନ୍ତ୍ର ଓ ବେଶ ପୋଷାକ ଅତୀତର ସ୍ମୃତି ବହନ କରିଛି।